ମୋହାଲି: ନାକେଦମ୍‌ ହେଲେଣି ପଞ୍ଜାବ ସରକାର । କଂଗ୍ରେସରେ ଦଳୀୟ କନ୍ଦଳ ଦିନକୁ ଦିନ ଘନଉଥିବା ବେଳେ ବିରୋଧୀଙ୍କ ମଧ୍ୟ ନାକେଦମ କଲେଣି । ଗୋଟିଏ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ନିଜ ଦଳ କଂଗ୍ରେସର କିଛି ବିଦ୍ରୋହୀ ନେତା ତାଙ୍କୁ ବିରୋଧ କରୁଥିବା ବେଳେ ଏବେ ସ୍ଥିତି ଆହୁରି ଗମ୍ଭୀର ବୋଲି କୁହାଯାଉଛି । ମୁଖ୍ୟମନ୍ତ୍ରୀଙ୍କୁ ଦଳରେ ସମ୍ପୂର୍ଣ୍ଣ ସମର୍ଥନ ମିଳୁନଥିବା ବେଳେ ଏବେ ବିରୋଧୀ ଗୋଟିଏ ପରେ ଗୋଟିଏ ଦୁର୍ନୀତିର ପୋଲ ଖୋଲିବାରେ ଲାଗିଛନ୍ତି ।

ସେପଟେ ଏବେ ଅସ୍ଥାୟୀ ଶିକ୍ଷକମାନେ ରାଜରାସ୍ତାକୁ ଓହ୍ଲାଇ ସରକାରଙ୍କୁ ହରଡ଼ଘଣାରେ ପକାଇଛନ୍ତି । ପଞ୍ଜାବରେ ଏବେ ଅସ୍ଥାୟୀ ଶିକ୍ଷକଙ୍କ ଆନ୍ଦୋଳନ ଜାରି ରହିଛି । ସ୍ଥାୟୀ ନିଯୁକ୍ତି ଦାବି କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ପ୍ରାୟ ୧୩ ହଜାର ଶିକ୍ଷକ । ମୋହାଲିରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏକ ବିଲ୍ଡିଂ ଉପରକୁ ଚଢି ଯାଇଥିଲେ ଅନେକ ଶିକ୍ଷକ । ସ୍ଥାୟୀ କରାନଗଲେ ବିଲ୍ଡଂ ଉପରୁ ତଳକୁ ଡେଇଁବାକୁ ଚେତାବନୀ ଦେଇଥିଲେ । ଶିକ୍ଷକମାନେ ଦୀର୍ଘ ୧୬ରୁ ୧୮ ବର୍ଷ ଧରି କାର୍ଯ୍ୟ କରୁଥିଲେ ମଧ୍ୟ ସେମାନଙ୍କ ଦରମା ମାତ୍ର ୬ ହଜାର ଟଙ୍କା ରହିଛି । କଂଗ୍ରେସ ସରକାର ଆସିବାର ୪ ବର୍ଷରୁ ଅଧିକ ସମୟ ହୋଇଥିଲେ ମଧ୍ୟ ଶିକ୍ଷକଙ୍କୁ ସ୍ଥାୟୀ କରାଯାଇ ନାହିଁ । ଶିକ୍ଷକଙ୍କୁ ସ୍ଥାୟୀ କରାଯିବାର ପ୍ରତିଶ୍ରୁତି ଦେଇ ପାଲନ କରୁନଥିବା ଅଭିଯୋଗ କରିଛନ୍ତି ଶିକ୍ଷକ ।

ସେହିଭଳି ନିକଟ ଅତୀତରେ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂଙ୍କ ବାସଭବନ ଆଗରେ ଶିରୋମଣି ଅକାଳୀ ଦଳ ଜୋରଦାର ବିକ୍ଷୋଭ କରିଥିଲା । ସଭାପତି ସୁଖବୀର ସିଂ ବାଦଲଙ୍କ ନେତୃତ୍ୱରେ ଶହ ଶହ ସଂଖ୍ୟାରେ ଅକାଳୀ ଦଳ କର୍ମୀ ମୁଖ୍ୟମନ୍ତ୍ରୀଙ୍କ ବାସଭନରେ ଆଗରେ ବିଭିନ୍ନ ନାରାବାଜି ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ କର୍ମୀଙ୍କ ସହ ଧସ୍ତାଧସ୍ତି ହୋଇଥିଲେ । ଶେଷରେ ସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ପୋଲିସକୁ ପାଣି ମାଡ଼ କରିବାକୁ ବାଧ୍ୟ ହୋଇଥିଲା ।

ଆନ୍ଦୋଳନ ବେଳେ ପୋଲିସ ସୁଖବୀର ସିଂ ବାଦଲଙ୍କୁ ଅଟକ ରଖିଥିଲା । ପଞ୍ଜାବରେ ଭ୍ୟାକ୍ସିନେସନ୍ ସହ କୋଭିଡ ପରିଚାଳନରେ ବ୍ୟାପକ ଦୁର୍ନିତୀ ଅଭିଯୋଗ ଆଣିଥିଲା ଅକାଳୀ ଦଳ । ଏହାସହ SC ଛାତ୍ରଛାତ୍ରୀଙ୍କ ସ୍କଲାରସିପ୍ ଟଙ୍କା ବାଟମାରଣା ସହ ବେଆଇନ ଭାବେ କୃଷକଙ୍କ ଜମି ହଡପର ଅଭିଯୋଗ ମଧ୍ୟ ଆଣିଛି ଦଳ । ଗତକାଲି ପଞ୍ଜାବର ମୁଖ୍ୟ ବିରୋଧୀ ଦଳ ଆମ୍‌ ଆଦମି ପାର୍ଟି ମଧ୍ୟ ସରକାରଙ୍କ ବିରୋଧରେ ବ୍ୟାପକ ଘୋଟାଲା ଅଭିଯୋଗ ଆଣି ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଥିଲା ।

Other Stories