ଚାଷୀ ଆନ୍ଦୋଳନକୁ ଦୃଷ୍ଟିରେ ରଖି ସୀମାରେ ବଢିଲା ସୁରକ୍ଷା

ନୂଆଦିଲ୍ଲୀ : ନୂଆ କୃଷି ଆଇନ ବିରୋଧରେ ଚାଲିଥିବା କୃଷକଙ୍କ ଆନ୍ଦୋଳନ ଆଜି ୧୮ ଦିନରେ ପହଞ୍ଚିଛି । ଆଜି ଆନ୍ଦୋଳନରେ ସାମିଲ ହୋଇଛନ୍ତି ରାଜସ୍ଥାନର କୃଷକ ଶହ ଶହ କୃଷକ । ଦିଲ୍ଲୀ-ଜୟପୁର ରାଜରାସ୍ତାକୁ ଓହ୍ଲାଇଛନ୍ତି । ରାଲି କରି ଦିଲ୍ଲୀ-ଜୟପୁର ଜାତୀୟ ରାଜପଥକୁ ଆସିଛନ୍ତି ଶତାଧିକ ଚାଷୀ ।  ଏହାସହିତ ଆସନ୍ତାକାଲି ଆମରଣ ଅନଶନ କରିବାକୁ ସଜବାଜ ହେଉଛନ୍ତି । କୃଷକଙ୍କ ମେଳିକୁ ଦୃଷ୍ଟିରେ ରଖି ଦିଲ୍ଲୀ ସୀମା ଓ ଆଖପାଖ ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଯେଭଳି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୁଏ, ତା ଉପରେ ଧ୍ୟାନ ରଖାଯାଇଛି । ହରିୟାଣା-ଦିଲ୍ଲୀର ଗାଜିପୁର ସୀମାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । କୃଷକମାନେ ନିଜ ଜିଦରେ ଅଟଳ ରହିଥିବାରୁ ସରକାରଙ୍କ ଅଡୁଆ ବଢିଛି । ଆଜି ଗୃହ ମନ୍ତ୍ରୀ ଅମିତ୍ ଶାହାଙ୍କୁ ଭେଟିଛନ୍ତି କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର । ତେବେ କୃଷକ ଆନ୍ଦୋଳନ ଭିତରେ ଗତ ୧୨ ଦିନ ଧରି ବନ୍ଦ ରହିଥିବା ଦିଲ୍ଲୀ-ନୋଏଡ଼ା ଚିଲ୍ଲା ବର୍ଡରକୁ ଆଜି ସର୍ବସାଧାରଣଙ୍କ ପାଇଁ ଖୋଲି ଦିଆଯାଇଛି ।

ଶନିବାର କୃଷକ ସଂଗଠନର ଏକ ପ୍ରତିନିଧି ଦଳ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଭେଟି ଆଲୋଚନା କରିବା ପରେ ବର୍ଡର ଖୋଲିବା ନେଇ ସହମତି ହୋଇଥିଲା ।

You might also like