ବିଶ୍ୱାସ ହେଉନଥିଲେ ବି ସତ: ବିଷ ବିକି କୋଟିପତି ହେଲେ ଯୁବକ

ବଜାରରେ ବିକ୍ରି ହେଉଛି ବିଷ

ନୂଆଦିଲ୍ଲୀ: ବଜାରରେ ବିକ୍ରି ହେଉଛି ବିଷ। ବିଷ ବିକି ବିକି କୋଟିପତି ୨୫ ବର୍ଷ ବୟସ୍କ ମହମ୍ମଦ ହାମିଦ୍ ବୋସ୍ତା। ହୁଏତ ଏହି ଘଟଣା ଆପଣଙ୍କୁ ଆଶ୍ଚର୍ଯ୍ୟ ଓ ଚକିତ କରିଦେଉଥିବ। କିନ୍ତୁ ଘଟଣାଟି ପୂରା ସତ୍ୟ।  ମିଳିଥିବା ସୂଚନା ଅନୁସାରେ, ବିଷ ବିକ୍ରି କରୁଛନ୍ତି ମିଶରରେ ରହୁଥିବା ହାମିଦ୍। ଆଜିର ଦିନରେ କେବଳ ବିଚ୍ଛାର ବିଷ ବିକ୍ରି କରି କରି ସେ ଲକ୍ଷପତି ହୋଇଛନ୍ତି। ତାଙ୍କର ଏହି ଅଜବ ସଉକ ଦିନେ ଯେ,  ତାଙ୍କୁ କୋଟିପତି କରିଦେବ ତାହା ସେ ନିଜେ ବି କେବେ ସ୍ୱପ୍ନରେ ସୁଦ୍ଧା ଭାବି ନଥିଲେ। ହାମିଦ୍ ବିକ୍ରି କରୁଥିବା ଏକ ଗ୍ରାମ ବିଷର ମୂଲ୍ୟ ପାଖାପାଖି ୭୩ ଲକ୍ଷ ଟଙ୍କା ରହିଛି।

ଦୁନିଆରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନଙ୍କ ସଉକ ନିଆରା। ଏହି ନିଆରା ସଉକ ବି ସେମାନଙ୍କୁ ଭିନ୍ନ ଏକ ପରିଚୟ ଦେଇଥାଏ। କିଛି ଲୋକ ନିଜର ଏହି୧୪୫ ନିଆରା ସଉକ ବଳରେ ଟଙ୍କା ରୋଜଗାର କରି କୋଟିପତି ମଧ୍ୟ ହୋଇଥାନ୍ତି। ତେବେ ସେମାନଙ୍କ ମଧ୍ୟରୁ ହାମିଦ୍ ଜଣେ।

ମିଶର ମରୁଭୂମି ଓ ତଟବର୍ତ୍ତୀ ଅଞ୍ଚଳରେ ବିଛା ଧରିବା ସଉକ ଯୋଗୁଁ ମହମ୍ମଦ ଆର୍କିଓଲୋଜିରେ ସ୍ନାତକ ପଢା ଛାଡିଦେଇଥିଲେ। ବିଛା ଧରି ସେ ତାଙ୍କର ବିଷ ବାହାର କରନ୍ତି।  ପରେ ଏହାକୁ ସେ ବିକ୍ରି କରନ୍ତି। ତେବେ ଏହି ବିଷ ଔଷଧ ତିଆରି ପାଇଁ ହିଁ ବ୍ୟବହୃତ ହୁଏ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ମାତ୍ର ୨୫ ବର୍ଷ ବୟସରେ ମହମ୍ମଦ ‘କାୟରୋ ଭେନୋମ କମ୍ପାନୀ’ର ମାଲିକ ହୋଇପାରିଛନ୍ତି।  ଏହା ଏମିତି ଏକ ପ୍ରକଳ୍ପ ଯେଉଁଥିରେ ୮୦ ହଜାରରୁ ଅଧିକ ପ୍ରଜାତିର ବିଛା ଓ ସାପ ରଖାଯାଇଥାଏ। ତେବେ ରହିଥିବା ଜୀବମାନଙ୍କର ବିଷ ବାହାର କରି ଔଷଧ କମ୍ପାନୀମାନଙ୍କୁ  ବିକ୍ରି କରାଯାଉଥିବା ନେଇ ସେ କହିଛନ୍ତି।

ତେବେ ଅଲ୍ଟ୍ରାଭାଓଲେଟ ଲାଇଟ ସାହାଯ୍ୟରେ ବିଛାର ବିଷ ବାହାର କରିବାକୁ ହାଲୁକା ଇଲେକ୍ଟ୍ରିକ ଶକ ଦିଆଯାଇଥାଏ। ପରେ କରେଣ୍ଟ ଲାଗିବା ମାତ୍ରେ ବିଛାର ବିଷ ବାହାରି ଯାଇଥାଏ। ଏହାପରେ ବିଷକୁ ସଂଗ୍ରହ କରି ଷ୍ଟୋର କରାଯାଇଥାଏ।

ମିଳିଥିବା ସୂଚନା ଅନୁଯାୟୀ, ବିଛାର ଏକ ଗ୍ରାମ ବିଷରୁ ପାଖାପାଖି ୨୦ ହଜାରରୁ ୫୦ ହଜାର ଯାଏଁ ବିଷରୋଧକ ଡୋଜ ତିଆରି କରାଯାଇପାରେ। ହାମିଦ୍ ଏହି ବିଷ ଆମେରିକା ଓ ୟୁରୋପକୁ ସପ୍ଲାଏ କରୁଥିବା କହିଛନ୍ତି। ସେଠାରେ ବିଷରୋଧକ ଏବଂ ହାଇପରଟେନ୍ସନ ଭଳି ରୋଗର ଔଷଧ ତିଆରି ପାଇଁ ଏହି ବିଷ ବ୍ୟବହାର କରାଯାଇଥାଏ। ଏକ ଗ୍ରାମ ବିଛା ବିଷ ବିକିଲେ ତାଙ୍କୁ ୧୦ ହଜାର ଆମେରିକୀୟ ଡଲାର ଯାହାକି ଆମ ଦେଶର ମୂଲ୍ୟ ଅନୁସାରେ ପାଖାପାଖି ୭୩ ଲକ୍ଷ ଟଙ୍କା। ଆମେରିକାରେ ପ୍ରତି ବର୍ଷ ପାଖାପାଖି ୮୦ ହଜାର ଲୋକଙ୍କୁ ବିଷାକ୍ତ ବିଛା ଓ ସାପ କାମୁଡି ଦିଅନ୍ତି। ବିଷଧର ସାପ ଓ ବିଛା କାମୁଡିବା ପରେ ତୁରନ୍ତ ଚିକିତ୍ସା ଆବଶ୍ୟକ ହୋଇଥାଏ। କିନ୍ତୁ ଦୁର୍ଭାଗ୍ୟବଶତଃ ଆଣ୍ଟିଭେନମ ଡ୍ରଗ୍ସ ବା ବିଷରୋଧକ ବଜାରରେ ଏତେ ମାତ୍ରାରେ ଉପଲବ୍ଧ ନଥାଏ। ସେଥିପାଇଁ ଏହି ଔଷଧର ଦାମ ମଧ୍ୟ ବହୁତ ଅଧିକ।

କହିବାକୁ ଗଲେ, ବିଷାକ୍ତ ଜୀବ କାମୁଡିବା ଦ୍ୱାରା ମଣିଷ ଶରୀରରେ ଥିବା କୋଷ ନଷ୍ଟ ହୋଇଯାଇଥାଏ। ଯାହାଫଳରେ  ବ୍ରେନ୍ ହ୍ୟାମରେଜ ହେବାର ଆଶଙ୍କା ରହିଥାଏ। ଏହି ବିଷ ଏତେ ବିଷାକ୍ତ ହୋଇଥାଏ ଯେ ମାତ୍ର କିଛି ମୁହୂର୍ତ୍ତରେ ହିଁ ପ୍ରାଣ ହରାଇଥାଏ ମଣିଷ। ତେବେ ବିଷ ବିକ୍ରି କରି ବି ଜଣେ କୋଟିପତି ହୋଇପାରୁଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

You might also like