ଅପରେଶନ ପରେ ଗର୍ଭବତୀଙ୍କ ମୃତ୍ୟୁ: ଅସ୍ଥି ଖୋଜୁ ଖୋଜୁ ମିଳିଲା …..

ଅମୃତସର: ଅନେକ ଆଶା ନେଇ ରୋଗୀ ଡାକ୍ତରଙ୍କ ପାଖକୁ ଆସିଥାଏ। ପରିବାର ଲୋକେ ଡାକ୍ତରଙ୍କୁ ଭଗବାନଙ୍କ ଅବତାର ବୋଲି ମାନି ନେଇଥାନ୍ତି। ଡାକ୍ତର ହିଁ ତାଙ୍କ ପାଇଁ ଶେଷ ଆଶା ଭରସା। ହେଲେ କେତେଜଣ ଡାକ୍ତର ଏକଥା ବୁଝି ପାରନ୍ତି ?  ବେଳେବେଳେ ଏମିତି ହୁଏ, ଡାକ୍ତରଙ୍କ ସାମନ୍ୟ ଅବହେଳା, ଅନ୍ୟମନସ୍କତା ରୋଗୀର ଜୀବନ ନେଇଯାଏ। ଏମିତି ଏକ ଉଦାହରଣ ଦେଖିବାକୁ ମିଳିଛି ପଞ୍ଜାବରେ।

ପଞ୍ଜାବର ମୋଗା ସରକାରୀ ଡାକ୍ତରଖାନାରେ ଘଟିଛି ଏହି ଘଟଣା। ତେବେ ଘଟଣା ପଦାକୁ ଆସିଲା, ଯେତେବେଳେ ପରିବାର ଲୋକେ ମହିଳାଙ୍କ ଅସ୍ଥି ଖୋଜିବାକୁ ଶ୍ମଶାନକୁ ଯାଇଥିଲେ। ଶ୍ମଶାନରୁ ଅସ୍ଥି ଖୋଜୁ ଖୋଜୁ ମିଳିଥିଲା କଇଁଚି ଏବଂ ଅସ୍ତ୍ରୋପଚାର ସମୟରେ ଡାକ୍ତର ବ୍ୟବହାର କରିଥିବା କିଛି ସାମଗ୍ରୀ। ଡାକ୍ତରଙ୍କ ଅବହେଳା ଯୋଗୁ ଯେ ମହିଳାଙ୍କର ମୃତ୍ୟୁ ଘଟିଛି ଏହା ଜଣାପଡିବା ପରେ ପରିବାର ଲୋକେ ଥାନାରେ ଏତଲା ଦେଇଥିଲେ। ତେବେ ସଂପୃକ୍ତ ଡାକ୍ତର ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି।

ଅନ୍ୟପକ୍ଷେ ସାଉଥ ସିଟି ପୋଲିସ ପରିବାର ଲୋକଙ୍କ ଅଭିଯୋଗ ପାଇବା ପରେ ଡାକ୍ତରଖାନାର ବରିଷ୍ଠ ମେଡିକାଲ ଅଫିସରଙ୍କୁ ପତ୍ର ଲେଖି ରିପୋର୍ଟ ମାଗିଛନ୍ତି। ପରିବାର ଲୋକେ ଅଭିଯୋଗ କରିଛନ୍ତି, ସରକାରୀ ଡାକ୍ତରଙ୍କ ଅବହେଳା ଯୋଗୁ ଏପରି ସ୍ଥିତି ସୃଷ୍ଟି ହୋଇଛି। ତେଣୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ପୋଲିସ ପରିବାର ଲୋକଙ୍କଠାରୁ ଉକ୍ତ କଇଁଚି ଏବଂ ଅନ୍ୟାନ୍ୟ ସାମଗ୍ରୀ ନେଇ ତାହାର ଯାଞ୍ଚ ଆରମ୍ଭ କରିଛି।

ତେବେ ଡାକ୍ତରଖାନାର ଜଣେ ଡାକ୍ତର ସିମରନ କୌରଙ୍କ କହିବା ଅନୁଯାୟୀ ସଂପୃକ୍ତ ମହିଳା ତାଙ୍କ ପାଖକୁ ୬ ତାରିଖ ଆସିଥିଲେ। ଗତ ରବିବାର ଦିନ ସେ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କଲେ। ତାଙ୍କୁ ଫରୀଦକୋଟ ସ୍ଥାନାନ୍ତର କରିବା ପାଇଁ କୁହାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ତେବେ ସେଠାରେ ମଧ୍ୟ ତାଙ୍କର ପେଟ ଖୋଲି ଚେକ୍‌ କରାଯାଇଥିଲା। ଯେଉଁ ଭିଡିଓ ସେ ଦେଖିଛନ୍ତି ଏବଂ ଯେଉଁ କଇଁଚି  ମିଳିଛି ତାହା ଉକ୍ତ ହସ୍‌ପିଲାଟର ନୁହେଁ। ତେଣୁ ଏହାର ଯାଞ୍ଚ କରାଯାଉ ବୋଲି ସେ କହିଛନ୍ତି।

ଏଠି କହିରଖିବୁ, ମୃତ ମହିଳା ୩ ଦିନ ପୂର୍ବରୁ ମୋଗା ସରକାରୀ ଡାକ୍ତରଖାନାରେ ‌ଅସ୍ତ୍ରୋପଚାର ପରେ ଏକ ସନ୍ତାନ ଜନ୍ମ ଦେଇଥିଲେ। ଏହାପରେ ତାଙ୍କର ଅବସ୍ଥା ଖରାପ ହେବାକୁ ଲାଗିଲା। ତାଙ୍କୁ ଫରିଦାବାଦ କୋର୍ଟକୁ ପଠାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

 

You might also like