ତୃତୀୟ ଲହରୀର ଭୟାବହତା ରୋକିବା ପାଇଁ ତୀବ୍ର କରିବାକୁ ହେବ ଟିକାକରଣ

ସରକାରଙ୍କୁ ସତର୍କ କରାଇଲେ ବୈଜ୍ଞାନିକ

ନୂଆଦିଲ୍ଲୀ : କରୋନା ମହାମାରୀର ଭୟାବହତା ମଧ୍ୟରେ କେନ୍ଦ୍ର ସରକାରଙ୍କୁ ସତର୍କ କରାଇଲେ ବୈଜ୍ଞାନିକ । ଦେଶରେ ଟିକାକରଣ କାର୍ଯ୍ୟକ୍ରମକୁ ତୀବ୍ରତର ନକଲେ ଭୟାବହ ହେବ ତୃତୀୟ ଲହରୀ । ମାତ୍ର ୬ରୁ ୮ ମାସ ମଧ୍ୟରେ କରୋନାର ତୃତୀୟ ଲହରୀର ସାମ୍ନା କରିବାକୁ ପଡ଼ିବ । ଏଥି ସହିତ ମହାମାରୀ ରୋକିବା ପାଇଁ ଜାରି ହୋଇଥିବା ଗାଇଡଲାଇ ପାଳନ କରିବା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି ବୈଜ୍ଞାନିକ । ଦେଶରେ ସଂକ୍ରମଣ ସାମାନ୍ୟ ହ୍ରାସ ପାଇଥିଲେ ସୁଦ୍ଧା କରୋନାର ଦ୍ୱିତୀୟ ଲହରୀ ତାଣ୍ଡବ ରଚୁଛି । ମୃତ୍ୟୁ ସଂଖ୍ୟାରେ ବ୍ରେକ୍ ଲାଗୁନି ।

ଭାଇରସ ବିଷୟରେ ଅନୁମାନ କରୁଥିବା ଫର୍ମୁଲା ମଡେଲ ସହିତ ଜଡିତ ବୈଜ୍ଞାନିକ ଏମ୍ ବିଦ୍ୟାସାଗର ଗତକାଲି ଚେତାବନୀ ଦେଇ କହିଛନ୍ତି, ଦେଶରେ ଟୀକାକରଣ ଅଭିଯାନ ତ୍ୱରାନ୍ୱିତ ନକଲେ ତଥା ଆବଶ୍ୟକ ନିୟମ ନମାନିଲେ ସ୍ଥିତି ଭୟଙ୍କର ହେବ । ଆସନ୍ତା ୬ ରୁ ୮ ମାସ ମଧ୍ୟରେ କରୋନାର ତୃତୀୟ ଲହରୀ ଆସିବାର ସମ୍ଭାବନା ରହିଛି ।  ପ୍ରଫେସର ବିଦ୍ୟାସାଗର ଆହୁରି କହିଛନ୍ତି, ଶରୀରରେ ଆଣ୍ଟିବଡି ଶେଷ ହୋଇଗଲେ, ରୋଗ ପ୍ରତିରୋଧକ ଶକ୍ତି କମିଯାଏ । ଏଥି ପାଇଁ ଟୀକାକରଣ ଆବଶ୍ୟକତା ରହିଛି ।

ବିଶେଷଜ୍ଞଙ୍କ ମତ ଅନୁସାରେ ତୃତୀୟଲହରୀରେ ଛୋଟ ପିଲାମାନେ ଅଧିକ ସଂକ୍ରମିତ ହେବାର ସମ୍ଭାବନା ରହିଛି । ଏବେଠାରୁ ଅନେକ ଏସୀୟ ଦେଶ, କରୋନାର ତୃତୀୟ ଲହରୀ ସହ ଲଢ଼େଇ ଜାରି ରଖିଛନ୍ତି । କେତେକ ପାଶ୍ଚାତ୍ୟ ଦେଶରେ ଚତୁର୍ଥ ଲହରୀ ଆସିଥିବା କଥା ସାମ୍ନାକୁ ଆସିଛି। ଏଭଳି ପରିସ୍ଥିତିରେ ଭାରତ ଅନେକ ଦିନ ଧରି ତୃତୀୟ ଲହରୀରୁ ବର୍ତ୍ତି ପାରିବ ନାହିଁ। କରୋନାର ପ୍ରଥମ ଲହରୀରେ ବୟସ୍କ ବ୍ୟକ୍ତି ବିଶେଷ ଭାବେ ପ୍ରଭାବିତ ହୋଇଥିବା ବେଳେ ଦ୍ୱିତୀୟ ଲହରୀ ଯୁବଗୋଷ୍ଠୀଙ୍କ ଉପରେ ଦାଉ ସାଧୁଛି । ସେହିପରି କରୋନାର ତୃତୀୟ ଲହରୀ ଶିଶୁମାନଙ୍କ ପାଇଁ ଘାତକ ହେବ। ଏଥିରେ ପିଲାମାନେ ବିଶେଷ ଭାବେ ପ୍ରଭାବିତ ହେବେ ବୋଲି କୁହାଯାଉଛି ।

ସେପଟେ ବର୍ଷ ଶେଷ ସୁଦ୍ଧା ଦେଶରେ ସମସ୍ତ ପ୍ରାପ୍ତ ବୟସ୍କଙ୍କୁ ଟିକା ମିଳିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ । ୨୦୨୧ ଶେଷ ସୁଦ୍ଧା ସମସ୍ତ ପ୍ରାପ୍ତ ବୟସ୍କ ନାଗରିକଙ୍କୁ କରୋନା ଟିକା ଦେବା ସ୍ଥିତିରେ ଥିବ ଭାରତ । ପଶ୍ଚିମବଙ୍ଗ ଓ ଉତ୍ତର ପୂର୍ବାଞ୍ଚଳ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ କୋଭିଡ୍ ସ୍ଥିତି ସମୀକ୍ଷା ବେଳେ ସେ ଏହା କହିଛନ୍ତି । ଡାକ୍ତର ହର୍ଷବର୍ଦ୍ଧନ ଆହୁରି କହିଛନ୍ତି, ଦେଶରେ ଜାନୁଆରୀ ୧୬ରେ କୋଭିଡ୍ ଟିକାକରଣ ଅଭିଯାନ ଆରମ୍ଭ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ୧୮ କୋଟି ୫୮ ଲକ୍ଷ ୯ ହଜାର ୩୦୨ ଡୋଜ୍ ଟିକା ଲୋକଙ୍କୁ ଦିଆସରିଛି । ଏବେବି ରାଜ୍ୟ ମାନଙ୍କ ପାଖରେ ୧ କୋଟି ୬୮ ଲକ୍ଷ ୨୨ ହଜାର ୨୪୫ ଡୋଜ୍ ଟିକା ଗଚ୍ଛିତ ଅଛି । ଏବେ ଦେଶର ପ୍ରାୟ ୬ଟି କଂପାନୀ ଆଗକୁ କରୋନା ଟିକା ଉତ୍ପାଦନ କରିବା ଆଶାରେ ଅଛନ୍ତି । ସେମାନଙ୍କୁ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯାଉଛି ।

You might also like