ହ୍ରାସ ପାଉଛି ସଂକ୍ରମଣ : ଜୁନ ୧ରୁ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ସମ୍ଭାବନା

ଚଣ୍ଡୀଗଡ଼ : ସଂକ୍ରମଣ ଭିତରେ ସ୍କୁଲ ଖୋଲିପାରେ । ହରିୟାଣାରେ ସଂକ୍ରମଣ ହ୍ରାସ ପାଉଥିବାରୁ ସ୍କୁଲ ଖୋଲିବା ସମ୍ଭାବନା ଦେଖାଦେଇଛି । ରାଜ୍ୟରେ ଆରୋଗ୍ୟ ହାର ୯୪.୩୮ ରେ ପହଞ୍ଚିଛି । ଏଭଳି ପରିସ୍ଥିତିରେ ଜୁନ୍ ୧, ୨୦୨୧ ରୁ ବିଦ୍ୟାଳୟ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲିବା ପାଇଁ ବିଚାରବିମର୍ଷ ଚାଲିଛି । ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ପଠାଇଛନ୍ତି ଶିକ୍ଷା ନିର୍ଦ୍ଦେଶାଳୟ । ସ୍କୁଲର ବେଞ୍ଚ, କୋଠରୀ ସହିତ ଭିତ୍ତିଭୂମି ସମ୍ବନ୍ଧୀୟ ତଥ୍ୟ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହାପୂର୍ବରୁ ସଂକ୍ରମଣ ଭୟ କାରଣରୁ ହରିୟାଣା ସରକାର ଜୁନରେ ଆଗୁଆ ଗ୍ରୀଷ୍ମ ଛୁଟି ଘୋଷଣା କରିଥିଲେ, ଯାହା ଏବେ ମେ ୩୧, ୨୦୨୧ ରେ ଶେଷ ହେବ। ହରିୟାଣା ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା କିଛି ନିର୍ଦ୍ଦେଶାବଳୀ ଅନୁଯାୟୀ ବିଦ୍ୟାଳୟଗୁଡ଼ିକୁ ଖୋଲିବାକୁ ଅନୁମତି ଦିଆଯାଇପାରେ ବୋଲି ସୂଚନା ମିଳିଛି ।

ଜୁନ୍ ୧ରେ ଖୋଲିବାକୁ ଥିବା ବିଦ୍ୟାଳୟଗୁଡ଼ିକ ନିଶ୍ଚିତ ଭାବରେ କୋଭିଡ ନିର୍ଦ୍ଦେଶାବଳୀ ପାଳନ କରିବେ । ହରିୟାଣାର ପ୍ରତ୍ୟେକ ଜିଲ୍ଲାରେ କରୋନା ଜୀବାଣୁର ପ୍ରଭାବ ଧୀରେ ଧୀରେ ହ୍ରାସ ପାଉଥବାରୁ ଶିକ୍ଷା ନିର୍ଦ୍ଦେଶାଳୟ ଜୁନ୍ ୧ ରୁ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । କୋଭିଡ ନିର୍ଦ୍ଦେଶାବଳୀ ଅନୁଯାୟୀ କେବଳ ଜଣେ ଛାତ୍ର ଗୋଟିଏ ବେଞ୍ଚରେ ବସିବେ। ଏହା ସହିତ ପୂର୍ବ ପରି ମାସ୍କ, ସାନିଟାଇଜେସନ୍, ଥର୍ମାଲ୍ ସ୍କାନର୍ ବ୍ୟବହାର କରି ଶରୀରର ତାପମାତ୍ରା ମାପିବା ପରି ବ୍ୟବସ୍ଥା ଜାରି ରହିବ ।

You might also like