କୁନି ଝିଅ ଲିଡଓ୍ୱାନାଙ୍କ ଚିଠିର ଉତ୍ତର ଦେଲେ ପ୍ରଧାନ ବିଚାରପତି ଜଷ୍ଟିସ ରମନ୍ନା, ଲେଖିଲେ..

ନୂଆଦିଲ୍ଲୀ: ଦେଶର ଭୟଙ୍କର କରୋନା ସ୍ଥିତି ଉଣା ଅଧିକେ ସମସ୍ତ ନାଗରିକଙ୍କୁ ଚିନ୍ତାରେ ପକାଇଛି । କିଛି ଦିନ ତଳେ ପ୍ରତିଦିନ ଲକ୍ଷାଧିକ ଲୋକ ଆକ୍ରାନ୍ତ ହେବା, ହଜାର ହଜାର ଲୋକଙ୍କ ମୃତ୍ୟୁ ହେବା, ଅକ୍ସିଜେନ ପାଇଁ ଚାରିଆଡ଼େ ହାହାକାର, ଗଙ୍ଗା ନଦୀରେ ଶହ ଶହ ମୃତଦେହ ଭାସିବା ଓ ନଦୀ କୂଳ ବାଲିରେ ଶବ ପୋତା ହେବା ଖବର ସାରା ଦେଶକୁ ମର୍ମାହତ କରିଥିଲା । ଦେଶର ଏହି ସ୍ଥିତି ଗୋଟିଏ କୁନି ଝିଅକୁ ମଧ୍ୟ ବେଶ୍ ଚିନ୍ତିତ କରିଥିଲା । ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ସ୍ଥିତିରେ ସୁଧାର ଆସିବା, ବିଶେଷ କରି ଅକ୍ସିଜେନ ଅଭାବ ଦୂର ହେବା, ମୃତ୍ୟୁ ସଂଖ୍ୟା କମିବା ପରେ ସେହି ଝିଅଟି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କୁ ଏକ ଚିଠି ଲେଖିଛି । ଜଷ୍ଟିସ୍ ରମନ୍ନାଙ୍କୁ ଭାବପ୍ରବଣ କରି ଦେଇଛି ସେଇ ଚିଠି ।

ଦେଶର କରୋନା ମୁକାବିଲାରେ ସୁପ୍ରିମକୋର୍ଟଙ୍କ ଭୂମିକାକୁ ପ୍ରଶଂସା କରି ପ୍ରଧାନ ବିଚାରପତିଙ୍କୁ ଏକ କୁନି ଝିଅର ଚିଠି । ଏହି ଚିଠି ଲେଖିଛନ୍ତି କେରଳ ଥିସୁର ସହରର କେନ୍ଦ୍ରୀୟ ବିଦ୍ୟାଳୟରେ ପଢୁଥିବା ପଞ୍ଚମ ଶ୍ରେଣୀର ଛାତ୍ରୀ ଲିଡଓ୍ୱିନା ଯୋସେଫ୍‌ । ଚିଠିରେ ସେ ଲେଖିଛନ୍ତି, କରୋନାରେ ହଜାର ହଜାର ଲୋକଙ୍କ ମୃତ୍ୟୁ ହେବା ତାକୁ ବହୁତ ବ୍ୟଥିତ କରିଥିଲା । ଦେଶର ଏଭଳି ଦୁଃସ୍ଥିତିରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରି ଲୋକଙ୍କ ଦୁଃଖ ଦୁର୍ଦ୍ଦଶା ଦୂର କରିବାରେ, ଅକ୍ସିଜେନ ଯୋଗାଣ କରି ଲୋକଙ୍କ ମୃତ୍ୟୁକୁ ରୋକିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ଏହା ତାକୁ ବହୁତ ଖୁସି ଦେଇଛି । କୋର୍ଟଙ୍କ ଉଚିତ ପଦକ୍ଷେପ କରୋନା ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟାକୁ ହ୍ରାସ କରିପାରିଛି । ସୁପ୍ରିମକୋର୍ଟଙ୍କ ପଦକ୍ଷେପ ପାଇଁ ସେ ଗର୍ବିତ ଓ ବହୁତ ଖୁସି ।

ଚିଠିରେ ଏକ ସୁନ୍ଦର ଚିତ୍ର ମଧ୍ୟ ଆଙ୍କିଛି ଏହି କୁନି ଝିଅଟି । ଚିତ୍ରରେ ଜଣେ ବିଚାରପତି ତାଙ୍କ ହାତୁଡ଼ିରେ କରୋନା ଭୂତାଣୁକୁ ବାଡ଼େଇବାର ଚିତ୍ର ରହିଛି । ତା’ସହିତ ପାଖରେ ରହିଛି ତ୍ରିରଙ୍ଗା, ଅଶୋକ ସ୍ତମ୍ଭ ଓ ମହାତ୍ମା ଗାନ୍ଧିଙ୍କ ଫଟୋ ।

ଲିଡଓ୍ୱାନାଙ୍କ ଏହି ଚିଠି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ରମନ୍ନାଙ୍କୁ ଭାବପ୍ରବଣ କରିଦେଇଛି । ସେ ଏତେ ପ୍ରଭାବିତ ହୋଇଛନ୍ତି ଯେ, ଲିଡଓ୍ୱାନାଙ୍କ ଚିଠିର ଉତ୍ତରରେ ନିଜେ ଏକ ଚିଠି ଲେଖିଛନ୍ତି ଜଷ୍ଟିସ ରମନ୍ନା । ଦେଶରେ କଣ ସବୁ ଘଟୁଛି, ତାର ଖବର ରଖୁଥିବାରୁ ଓ ଲୋକଙ୍କ ହିତ କଥା ଭାବୁଥିବାରୁ ଲିଡଓ୍ୱାନାଙ୍କୁ ପ୍ରଧାନ ବିଚାରପତି ପ୍ରଶଂସା କରିଛନ୍ତି । ଭବିଷ୍ୟତରେ ସେ ଜଣେ ଶିକ୍ଷିତ, ଦାୟିତ୍ୱବାନ୍ ନାଗରିକ ହୋଇ ଦେଶ ଗଠନରେ ସହାୟକ ହେବେ ବୋଲି ଆଶା ପ୍ରକଟ କରିଛନ୍ତି ଜଷ୍ଟିସ ରମନ୍ନା । ଚିଠି ସହିତ ତାଙ୍କ ଦସ୍ତଖତ ଥିବା ଦେଶର ଏକ ସମ୍ବିଧାନ ମଧ୍ୟ ଉପହାର ଭାବେ ଲିଡଓ୍ୱାନାଙ୍କୁ ପଠାଇଛନ୍ତି ଦେଶର ପ୍ରଧାନ ବିଚାରପତି ।

You might also like