ବିଗୁଡ଼ୁଛି ୟୁପି ସ୍ଥିତି, ୩୦ ଏପ୍ରିଲ ଯାଏଁ ସ୍କୁଲ ବନ୍ଦ କରିଦେଲେ ଯୋଗୀ ସରକାର..

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ହୁହୁ ହୋଇ ବଢ଼ୁଛି କରୋନା ସଂକ୍ରମଣ। ଏହାକୁ ଦୃଷ୍ଟିରେ ରଖି ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଗୁଡ଼ିକ ଏପ୍ରିଲ ୩୦ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ସମୟ ମଧ୍ୟରେ କୋଚିଂ ସେଣ୍ଟରଗୁଡ଼ିକ ମଧ୍ୟ କ୍ଲାସ୍ କରିପାରିବେ ନାହିଁ। କେବଳ ପୂର୍ବ ନିର୍ଦ୍ଧାରିତ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି। ମନ୍ତ୍ରୀମାନଙ୍କ ସହ ବୈଠକ ପରେ ସିଏମ ଯୋଗୀ ଆଦିତ୍ୟନାଥ ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ନୂଆ କାର୍ଯ୍ୟସୂଚୀ ଅନୁଯାୟୀ ରାଜ୍ୟରେ ବୋର୍ଡ ପରୀକ୍ଷା ଆସନ୍ତା ୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ତେବେ ସ୍କୁଲଗୁଡ଼ିକ ଛୁଟି ରହିବା କାରଣରୁ ଛାତ୍ରଛାତ୍ରୀଙ୍କ ପାଇଁ ସମସ୍ୟା ଦେଖାଦେଇପାରେ ବୋଲି ଆଶଙ୍କା କରାଯାଉଛି। ସ୍କୁଲ ଗୁଡ଼ିକ କେବଳ ଅନଲାଇନ ଦ୍ୱାରା କ୍ଲାସ କରିପାରିବେ। ପ୍ରାକ୍ଟିକାଲ କ୍ଲାସ ପାଇଁ ମଧ୍ୟ ସେମାନଙ୍କୁ ଅନୁମତି ନାହିଁ।

ଯୋଗୀ କହିଛନ୍ତି, କରୋନା ସଂକ୍ରମଣକୁ ରୋକିବାକୁ ହେଲେ ଟେଷ୍ଟ-ଟ୍ରାକ୍-ଟ୍ରିଟ ମନ୍ତ୍ର ପରେ ଗୁରୁତ୍ୱ ଦେବାକୁ ହେବ। ରାଜ୍ୟରେ ଦୈନିକ ଅତିକମରେ ଏକ ଲକ୍ଷ RTPCR ପରୀକ୍ଷା କରାଯିବ। ଏଥିପାଇଁ ସମସ୍ତ ସରକାରୀ ଏବଂ ବେସରକାରୀ ପରୀକ୍ଷା ଲ୍ୟାବଗୁଡିକ ପୂର୍ଣ୍ଣ କ୍ଷମତା ସହିତ କାର୍ଯ୍ୟ କରିବା ଆବଶ୍ୟକ। ଟେଷ୍ଟିଂରେ କୌଣସି ପ୍ରକାର ବିଳମ୍ବ ହେବା ଉଚିତ ନୁହେଁ, କାରଣ ବିଳମ୍ବ ହେଲେ ପରିସ୍ଥିତି ଅଣାୟତ ହେବାର ସମ୍ଭାବନା ରହିଛି। ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସଂସ୍ଥାରେ କୋଭିଡ୍ ଗାଇଡଲାଇନକୁ କଡ଼ାକଡ଼ି ଭାବେ ପାଳନ କରାଯିବା ଉଚିତ। ଏହାସହ କରୋନା ହେଲ୍ପ ଡେସ୍କ ମଧ୍ୟ ସବୁବେଳେ ଆକ୍ଟିଭ ରହିବା ଆବଶ୍ୟକ। ମତଦାନ କର୍ମଚାରୀ, ପୋଲିସ୍ କର୍ମଚାରୀ ଏବଂ ଡାକ୍ତରୀ କର୍ମଚାରୀଙ୍କ ସମସ୍ତ ସୁବିଧା ଯୋଗାଇଦେବା ପ୍ରତି ଧ୍ୟାନ ଦିଆଯିବା ଉଚିତ୍। ଏହାସହ ମାସ୍କ, ସାନିଟାଇଜେସନ ନେଇ ଲୋକଙ୍କୁ ବାରମ୍ବାର ସଚେତନ କରିବକୁ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟରେ ଟୀକାକରଣ ଦ୍ରୁତ ଗତିରେ ଚାଲିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ୮୫ ଲକ୍ଷରୁ ଅଧିକ ଲୋକଙ୍କୁ ଟୀକାକରଣ କରାଯାଇଛି। ବୁଧବାରଠାରୁ ରାଜ୍ୟରେ ୪ ଦିନିଆ ‘ଟିକା ଉତ୍ସବ’ ଆରମ୍ଭ ହୋଇଛି। ୬୦୦୦ କେନ୍ଦ୍ରରେ ଟୀକାକରଣ କାର୍ଯ୍ୟ ଚାଲିଛି। ଟୀକାକରଣର କାର୍ଯ୍ୟ ଆହୁରି ତ୍ୱରାନ୍ୱିତ ହେବ ଯାହାଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇପାରିବ।

ରାଜ୍ୟର ପ୍ରମୁଖ ଜିଲ୍ଲା କାନପୁର, ଲକ୍ଷ୍ନୌ ଏବଂ ଗୌତମବୁଦ୍ଧ ନଗରରେ ପୂର୍ବରୁ ସ୍କୁଲ ବନ୍ଦ ହୋଇସାରିଛି। ଏବେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ସମଗ୍ର ରାଜ୍ୟର ସ୍କୁଲଗୁଡ଼ିକ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ତେବେ ବିଦ୍ୟାଳୟଗୁଡ଼ିକ ସ୍ୱଇଚ୍ଛାରେ ଅନଲାଇନ୍ କ୍ଲାସ୍ ଆୟୋଜନ କରିପାରିବେ, କିନ୍ତୁ କୌଣସି ପ୍ରକାର ଅଫଲାଇନ କ୍ଲାସ ପାଇଁ ତାଙ୍କୁ ଅନୁମତି ନାହିଁ। ଏପ୍ରିଲ୍ ୩୦ ତାରିଖ ପରେ କରୋନା ସ୍ଥିତି ଦେଖି ବିଚାର କରାଯିବ ଏବଂ ପରବର୍ତ୍ତୀ ନିର୍ଦ୍ଦେଶନାମା ଜାରି କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।

You might also like