UPSC ଆଶାୟୀ ପରୀକ୍ଷାର୍ଥୀଙ୍କୁ ସୁପ୍ରିମକୋର୍ଟଙ୍କ ଝଟ୍‌କା; ବୟସସୀମା କୋହଳ କରିବାକୁ ମନା କଲେ

ନୂଆଦିଲ୍ଲୀ: ୟୁପିଏସ୍‌ସି ସିଭିଲ ସର୍ଭିସ ପ୍ରିଲିମ୍ସ ୨୦୨୧ ପାଇଁ ଶେଷ ସୁଯୋଗକୁ ଅପେକ୍ଷା କରିଥିବା ପରୀକ୍ଷାର୍ଥୀଙ୍କୁ ନିରାଶ କରିଛନ୍ତି ସୁପ୍ରିମକୋର୍ଟ। ୟୁପିଏସ୍‌ସି ସିଭିଲ ସର୍ଭିସ ପ୍ରିଲିମ୍ସ ପାଇଁ ବୟସସୀମା ଅତିକ୍ରମ କରି ସାରିଥିବା ପରୀକ୍ଷାର୍ଥୀଙ୍କୁ ଆଉ ଗୋଟିଏ ସୁଯୋଗ ଦେବାକୁ ମନା କରି ଦେଇଛନ୍ତି ସୁପ୍ରିମ୍‌ କୋର୍ଟ। ସର୍ବୋଚ୍ଚ ଅଦାଲତଙ୍କର ଏପରି ନିଷ୍ପତ୍ତି ୨୦୦୦ରୁ ଅଧିକ ଆଶାୟୀ ପରୀକ୍ଷାର୍ଥୀଙ୍କୁ ଏକ ବଡ ଝଟକା ଦେଇଛି।

୨୦୨୦ କରୋନା ବର୍ଷ ଏହି ପ୍ରାର୍ଥୀମାନଙ୍କ ପାଇଁ ଶେଷ ବର୍ଷ ଥିଲା। ତେଣୁ ଆଉ ଗୋଟିଏ ସୁଯୋଗ ଦେବା ପାଇଁ  ଏହି ପ୍ରାର୍ଥୀମାନ ଆବେଦନ କରିଥିଲେ। ଆବେଦନକାରୀ ଚାହୁଁଥିଲେ, ବୟସ ସୀମା ଗୋଟିଏ ଥର ପାଇଁ ହଟାଇ ଦିଆଯାଉ। ହେଲେ ସରକାର ଏଥିରେ ସହମତ ହୋଇ ନ ଥିଲେ।

ୟୁପିଏସ୍‌ସି ପରୀକ୍ଷାରେ ବୟସସୀମା ଅତିକ୍ରମ କରି ସାରିଥିବା ଆଶାୟୀ ପ୍ରାର୍ଥୀଙ୍କୁ ଆଉ ଗୋଟିଏ ସୁଯୋଗ ଦେବା ନେଇ ବିଚାର କରିବାକୁ ସୁପ୍ରିମ କୋର୍ଟ କେନ୍ଦ୍ର ସରକାରଙ୍କୁ କହିଥିଲେ। ଆଉ ଗୋଟିଏ ସୁଯୋଗ ଦେବାକୁ ସରକାର ରାଜି ହୋଇଥିଲେ, କିନ୍ତୁ ଯେଉଁମାନେ ୨୦୨୦ ପରୀକ୍ଷାରେ ସେମାନଙ୍କର ସବୁ ସୁଯୋଗ ଶେଷ କରି ସାରିଛନ୍ତି ଏବଂ ଯେଉଁ ପ୍ରାର୍ଥୀଙ୍କ ବୟସସୀମା ରହିଛି କେବଳ ସେମାନଙ୍କୁ ହିଁ ଅତିରିକ୍ତ ସୁଯୋଗ ଦିଆଯାଇ ପାରିବ ବୋଲି କହିଥିଲେ।

କୋର୍ଟ କହିଥିଲେ, ଦେଶରେ ମହାମାରୀ ସ୍ଥିତି ଅସାଧାରଣ ଥିଲା। ଏହା ମଧ୍ୟରେ ଅନେକ ପ୍ରାର୍ଥୀ ଆବଶ୍ୟକ ସୁବିଧା ସୁଯୋଗ ପାଇବାରୁ ବଞ୍ଚିତ ଥିଲେ। ଏପରି ସ୍ଥିତିରେ ଆବେଦନକାରୀ ପ୍ରତ୍ୟକ ବର୍ଗଙ୍କୁ ପାଇଁ ଆଉ ଗୋଟିଏ ସୁଯୋଗ ଦେବା ପାଇଁ ଅନୁରୋଧ କରିଛନ୍ତି। ତେଣୁ କେନ୍ଦ୍ର ଏହା ଉପରେ ବିଚାର କରିବା ଉଚିତ୍‌। ତେବେ ଅଦାଲତ ଏପରି ନୀତିଗତ ମାମଲା ଉପରେ ସରକାରଙ୍କୁ ଆଦେଶ ଦେବାକୁ ଚାହାନ୍ତି ନାହିଁ ବୋଲି କହିଥିଲେ। ଏ ନେଇ ମଙ୍ଗଳବାର ସୁଦ୍ଧା ରିପୋର୍ଟ ଦେବାକୁ ଅଦାଲତ କେନ୍ଦ୍ର ସରକାରଙ୍କୁ କହିଥିଲେ। ଆଜି କୋର୍ଟ ଏହି ମାମଲାର ଶୁଣାଣି କରିଛନ୍ତି।

ଏଠି କହି ରଖିବୁ, ସିଭିଲ ସର୍ଭିସ ପରୀକ୍ଷା ପାଇଁ ସାଧାରଣ ବର୍ଗର ପରୀକ୍ଷାର୍ଥୀଙ୍କ ବୟସ ସୀମା ସର୍ବାଧିକ ୩୨ ବର୍ଷ ରହିଛି। ଓବିସିଙ୍କ ପାଇଁ ୩୫, ଅନୁସୂଚିତ ଜା ଓ ଜନଜାତିଙ୍କ ପାଇଁ ୩୭ ବର୍ଷ ରହିଛି।

You might also like