ରାଫେଲ୍‌ ଦୁର୍ନୀତି ମାମଲାରେ ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ରାଫେଲ୍‌ ଚୁକ୍ତି ସମ୍ପର୍କିତ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖଛନ୍ତି ସୁପ୍ରିମକୋର୍ଟ। ଆଜି ପ୍ରଧାନ ବିଚାରପତିଙ୍କୁ ଜଷ୍ଟିସ୍‌ ଗୋଗୋଇଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ।

ସର୍ବୋଚ୍ଚ ଅଦାଲତଙ୍କ ତଦାରଖରେ ଏହି ମାମଲାର ଶୁଣାଣି କରାଯାଉ ବୋଲି ଆବେଦନକାରୀମାନେ ପୂର୍ବରୁ ଅପିଲ୍‌ କରିଥିଲେ।

ଆଜି ଶୁଣାଣି ବେଳେ ମାମଲା ଲଢୁଥିବା ଓକିଲ ପ୍ରଶାନ୍ତ ଭୂଷଣ କହିଥିଲେ, ପୂର୍ବରୁ ବିମାନର ଦାମ୍ ସଂପର୍କରେ ମଧ୍ୟ ତଥ୍ୟ ଉପସ୍ଥାପନ କରାଯାଇଛି। ଏଣୁ ଏବେ ଏହାର ଦାମ୍ ଲୁଚାଇବା ପାଇଁ ସରକାରଙ୍କ ଯୁକ୍ତି ଅମୂଳକ।

ଏଥିସହିତ ପ୍ରତି ରାଫେଲ୍‌ ଜେଟ୍ ଦରରେ ୪୦ ପ୍ରତିଶତ ବୃଦ୍ଧି କାହିଁକି କରାଗଲା ବୋଲି ଯୁକ୍ତି କରିଥିଲେ ଭୂଷଣ।

ସେହିଭଳି ଆମ ଆଦମୀ ପାର୍ଟି ନେତା ସଞ୍ଜୟ ସିଂଙ୍କ ଆବେଦନ ଉପରେ ତାଙ୍କ ଓଇକିଲ ଯୁକ୍ତି ଦର୍ଶାଇଥିଲେ ଯେ ବିମାନର ଦାମ୍ ସଂପର୍କିତ ତଥ୍ୟ ସଂସଦରେ ଦୁଇ ଥର ଉପସ୍ଥାପନ କରାସରିଛି। ତେଣୁ ଗୋପନୀୟତାର ଦ୍ୱାହି ଦେଇ ଏହାକୁ ସାର୍ବଜନୀନ କରାଯାଇ ପାରିବ ନାହିଁ ବୋଲି ସରକାରଙ୍କ ଯୁକ୍ତି ଗ୍ରହଣୀୟ ନୁହେଁ ବୋଲି ସେ କହିଥିଲେ।

ଏହା ପରେ ଖଣ୍ଡପୀଠ ଆଗରେ ଭାରତୀୟ ବାୟୁ ସେନାର ୪ ଜଣ ବରିଷ୍ଠ ଅଧିକାରୀ ହାଜର ହୋଇ ସେମାନଙ୍କ ପକ୍ଷ ରଖିଥିଲେ।

ରାଫେଲ୍‌ର ଆବଶ୍ୟକତା ଦର୍ଶାଇ ଏୟାର୍‌ ଭାଇସ୍‌ ମାର୍ଶାଲ୍‌ ଟି ଚଲପତି କହିଥିଲେ ଯେ  ସୁଖୋଇ ଓ ଜାଗୁଆର ଭଳି ଯୁଦ୍ଧ ବିମାନ ତୃତୀୟ ଓ ଚତୁର୍ଥ ଜେନେରେସନର ପର୍ଯ୍ୟାୟରେ ଆସୁଛି। ତେଣୁ ଭାରତ ପାଇଁ ଫୋର୍‌ ପ୍ଲସ୍‌ ଜେନେରେସନର ଲଢୁଆ ବିମାନର ଆବଶ୍ୟକତା ଥିବାରୁ ରାଫେଲକୁ ଗୁରୁତ୍ୱ ଦିଆଯାଇଥିବା ବାୟୁ ସେନା ପକ୍ଷରୁ କୁହାଯାଇଥିଲା।

କୋର୍ଟରେ ସରକାରଙ୍କ ପକ୍ଷରୁ ଆଟର୍ଣ୍ଣି ଜେନେରାଲ୍‌ କେକେ ବେଣୁଗୋପାଳ ଡିଲ୍‌ରେ ଥିବା ଗୋପନୀୟତା ଚୁକ୍ତି ଦୃଷ୍ଟିରୁ ଦାମ୍‌ ନିର୍ଦ୍ଧାରଣ ପ୍ରକ୍ରିୟା ସଂପର୍କରେ ତଥ୍ୟ ଦିଆଯାଇପାରିବ ନାହିଁ ବୋଲି କହିଥିଲେ। ତେବେ ଦୀର୍ଘ ୪ ଘଣ୍ଟାର ଶୁଣାଣି ପରେ କୋର୍ଟ ଫୈସଲା ସଂରକ୍ଷିତ ରଖିଛନ୍ତି।

ପ୍ରଧାନ ବିଚାରପତି ଜଷ୍ଟିସ୍‌ ଗୋଗୋଇ, ଜଷ୍ଟିସ୍‌ ଏସ. କେ. କୌଲ ଏବଂ ଜଷ୍ଟିସ କେ. ଏମ୍. ଯୋଶେଫଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ।

ସୂଚନା ଥାଉକି, ପୂର୍ବରୁ କେନ୍ଦ୍ର ସରକାର ରାଫେଲ୍ ରାଜିନାମାର ଆର୍ଥିକ ବିବରଣୀ ଏକ ବନ୍ଦ ଲଫାଫାରେ ସୁପ୍ରିମକୋର୍ଟଙ୍କ ପାଖରେ ଦାଖଲ କରିସାରିଛନ୍ତି।

You might also like