ସୋଶାଲ୍ ମିଡିଆ ଆକାଉଣ୍ଟରେ ଲିଙ୍କ୍ ହେବକି ଆଧାର କାର୍ଡ, ସୁପ୍ରିମକୋର୍ଟ କହିଲେ…
ନୂଆଦିଲ୍ଲୀ: ବିଭିନ୍ନ ସୋଶାଲ୍ ମିଡିଆ ଆକାଉଣ୍ଟ ସହ ଆଧାର କାର୍ଡ ଲିଙ୍କକୁ ବାଧ୍ୟତାମୂଳକ କରିବା ପାଇଁ ଆଗତ ଆବେଦନକୁ ସୁପ୍ରିମକୋର୍ଟ ଆଜି ଖାରଜ କରିଦେଇଛନ୍ତି। ଏହି ମମାଲରେ ସୁପ୍ରିମକୋର୍ଟ କୌଣସି ପ୍ରକାରର ହସ୍ତକ୍ଷେପ କରିପାରିବେ ନାହିଁ ବୋଲି ରୁଲିଂ ଦେଇଛନ୍ତି।
ଆବେଦନକାରୀ ଓକିଲ ଅଶ୍ୱିନୀ ଉପାଧ୍ୟାୟଙ୍କୁ ଖଣ୍ଡପୀଠ କହିଛନ୍ତି, “ସବୁ କଥାରେ ସୁପ୍ରିମକୋର୍ଟ ଯେ ହସ୍ତକ୍ଷେପ କରିବେ, ତାହା ଭାବିବା ଭୁଲ। ଏହି ମାମଲା ଏବେ ମାଡ୍ରାସ ହାଇକୋର୍ଟରେ ବିଚାରାଧୀନ ରହିଛି। ତେଣୁ ଆବେଦନକାରୀ ସେଠାକୁ ଯାଆନ୍ତୁ।”
ଆବେଦନକାରୀ ଦର୍ଶାଇଥିଲେ ଯେ ଅନେକ ସମୟରେ ସୋଶାଲ ମିଡିଆରେ ନକଲି ଆକାଉଣ୍ଟମାନ ଖୋଲାଯାଉଛି। ଏହି ନକଲି ଆକାଉଣ୍ଟଧାରୀ ସୋଶାଲ ମିଡିଆରେ ଅପପ୍ରଚାର କରୁଛନ୍ତି। ୩.୫ କୋଟି ଟ୍ୱିଟର ଆକାଉଣ୍ଟଧାରୀଙ୍କ ମଧ୍ୟରୁ ୧୦% ହେଉଛନ୍ତି ନକଲି।
ଏମାନେ ଅନେକ ପ୍ରଖ୍ୟାତ ଲୋକଙ୍କ ନାଁ ଓ ଫଟୋକୁ ବ୍ୟବହାର କରି ସେମାନଙ୍କ ନାଁକୁ ଅପବ୍ୟବହାର କରୁଛନ୍ତି। ତେଣୁ ସେମାନଙ୍କ ପରିଚୟର ରେକର୍ଡକୁ ତର୍ଜମା କରିବା ପାଇଁ ସୋଶାଲ୍ ମିଡିଆ ସହ ଆଧାର ଲିଙ୍କକୁ ବାଧ୍ୟତାମୂଳକ କରାଯାଉ।
ପ୍ରାଥମିକ ଅବସ୍ଥାରେ ଏହି ଆବେଦନକୁ ଗ୍ରହଣ କରି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଜବାବ ତଲବ କରିଥିଲେ। ହେଲେ ଆଜି କୋର୍ଟ ଏହା ଉପରେ ଶୁଣାଣି କରିବେ ନାହିଁ ବୋଲି କହିଛନ୍ତି।