ସୁପ୍ରିମ୍‌କୋର୍ଟ ବିଚାରପତିଙ୍କ ଅସନ୍ତୋଷ!

ଜଷ୍ଟିସ୍‌ ଜୋସେଫଙ୍କ ବରିଷ୍ଠତାକୁ ନେଇ ବିବାଦ

ନୂଆଦିଲ୍ଲୀ : ବିଚାରପତି ଜଷ୍ଟିସ୍‌ କେ.ଏମ.ଜୋସେଫ୍‌ଙ୍କ ବରିଷ୍ଠତାକୁ ନେଇ ପୁଣି ଅସନ୍ତୋଷ। ସୁପ୍ରିମକୋର୍ଟର ନବ ନିଯୁକ୍ତ ବିଚାରପତିମାନଙ୍କ ମଧ୍ୟରେ ଜଷ୍ଟିସ୍‌ କେ.ଏମ.ଜୋସେଫଙ୍କ ନାଁ ବରିଷ୍ଠତା ଭିତ୍ତିରେ ପଛକୁ ରଖାଯାଇଥିବା କିଛି ବରିଷ୍ଠ ବିଚାରପତି ଅଭିଯୋଗ କରିଛନ୍ତି।

ଏନେଇ ସେମାନେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ରଙ୍କୁ ଭେଟିଛନ୍ତି। ଅାସନ୍ତକାଲି ନବ ନିଯୁକ୍ତ ବିଚାରପତି ମାନେ ଶପଥ ନେବେ। ଏଥିରେ ଜଷ୍ଟିସ୍ ଇନ୍ଦିରା ବାନାର୍ଜୀ ଓ ଜଷ୍ଟିସ୍‌ ଭୀନିତ ସରଣଙ୍କ ପରେ ଜଷ୍ଟିସ୍‌ କେ.ଏମ. ଜୋସେଫ୍‌ ଶପଥ ନେବେ। ସୁପ୍ରିମ୍‌କୋର୍ଟରେ ନିଯୁକ୍ତି ପାଇଁ ଏହି ତିନି ବିଚାରପତିଙ୍କ ନାମକୁ ଅଗଷ୍ଟ ୩ରେ କେନ୍ଦ୍ର ସରକାର ସବୁଜ ସଙ୍କେତ ଦେଇଥିଲେ।

ଜଷ୍ଟିସ୍‌ କେ.ଏମ.ଜୋସେଫଙ୍କୁ ସୁପ୍ରିମ୍‌କୋର୍ଟରେ ନିଯୁକ୍ତି ଦେବାପାଇଁ ଚଳିତବର୍ଷ ଜାନୁୟାରୀ ମାସରେ ସୁପ୍ରିମକୋର୍ଟ କଲେଜିୟମ ସୁପାରିଶ କରିଥିଲେ। କିନ୍ତୁ ଗତ ଏପ୍ରିଲରେ କେନ୍ଦ୍ର ସରକାର ଏହାକୁ ପୁନର୍ବିଚାର ପାଇଁ ସୁପ୍ରିମ୍‌କୋର୍ଟ କଲେଜିୟମଙ୍କ ନିକଟକୁ ପଠାଇଥିଲେ। ଏହାପରେ ସୁପ୍ରିମକୋର୍ଟ କଲେଜିୟମ ପୁଣିଥରେ ଜଷ୍ଟିସ କେ.ଏମ.ଜୋସେଫଙ୍କ ନାମକୁ ସୁପାରିଶ କରିଥିବାରୁ କେନ୍ଦ୍ର ସରକାର ବାଧ୍ୟ ହୋଇ ତାଙ୍କୁ ସୁପ୍ରିମକୋର୍ଟ ବିଚାରପତି ଭାବେ ନିଯୁକ୍ତି ଦେବାକୁ ଘୋଷଣା କରିଛନ୍ତି।

You might also like