ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: କହିଲେ, ସରକାରଙ୍କୁ ସମାଲୋଚନାର ଅର୍ଥ ନୁହେଁ ଦେଶ ଦ୍ରୋହ

ସମାଲୋଚନାର ଅର୍ଥ ନୁହେଁ ଦେଶ ଦ୍ରୋହ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଶୁଣାଣି। କହିଲେ, ସରକାରଙ୍କୁ ସମାଲୋଚନା କରିବା ଅର୍ଥ ନୁହେଁ ଦେଶଦ୍ରୋହ। କେବଳ ଏତିକି ନୁହେଁ ବରଂ ଗଣମାଧ୍ୟମର ସ୍ୱାଧୀନତା ପରିପ୍ରେକ୍ଷୀରେ ଦେଶଦ୍ରୋହର ସଂଜ୍ଞା ନିରୂପଣ କରିବାର ସମୟ ଆସିଯାଇଛି ବୋଲି କହିଛନ୍ତି କୋର୍ଟ। ସୂଚନା ଅନୁସାରେ କୌଣସି ଏକ ମାମଲାରେ ଆନ୍ଧ୍ର ପୋଲିସ ରାଜ୍ୟର ୨ ଟିଭି ଚ୍ୟାନେଲ ଉପରେ ଦେଶଦ୍ରୋହ ମାମଲା ଦାୟର କରିଥିଲା। ଆଉ ଏହି ମାମଲାର ଶୁଣାଣି କରି କୋର୍ଟ ଏପରି ରାୟ ଦେଇଛନ୍ତି।

ଏଥିସହିତ ଜଗନ ରେଡ୍ଡୀଙ୍କ ସରକାରଙ୍କ କୋଭିଡ ପରିଚାଳନାକୁ ନେଇ ମନ୍ତବ୍ୟ ଦେଇଥିବା ୱାଇଏସ୍‌ଆର୍‌ କଂଗ୍ରେସ ପାର୍ଟି ବିଦ୍ରୋହୀ ଏମ୍‌ପି କ୍ରିଷ୍ଣମ୍ ରାଜୁଙ୍କ ବିବୃତିକୁ ପ୍ରସାରଣ କରିଥିବା ଦୁଇ ତେଲୁଗୁ ଟିଭି ଚାନେଲ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଉପରେ ସୁପ୍ରିମ କୋର୍ଟ ରୋକ୍ ମଧ୍ୟ ଲଗାଇଛନ୍ତି।

ଗୁରୁତ୍ୱପୂର୍ଣ୍ଣ କଥା ହେଲା କୋର୍ଟ କହିଛନ୍ତି ଯେ, ଗଣମାଧ୍ୟମରେ ସରକାରଙ୍କ ବିରୋଧରେ ଯେତେ ବିରୋଧୀ ଖବର ପ୍ରକାଶ ପାଇଲେ ବି ତାହାକୁ ଦେଶଦ୍ରୋହ ମାମଲା କହିହେବ ନାହିଁ। କାରଣ ଖବରକୁ ତର୍ଜମା କରିବା ପରେ ଏହା ଉପରେ ନିଷ୍ପତ୍ତି ନିଆଯାଇପାରେ।ଏହାସହ ଦେଶଦ୍ରୋହ ‌ସୀମାର ସଂଜ୍ଞା ନିରୂପଣ କରିବା ସମୟ ଏବେ ଆସିଯାଇଛି ବୋଲି ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ କହିଛନ୍ତି। କେବଳ ଏତିକି ନୁହେଁ ବରଂ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ଗଠିତ ସ୍ୱତନ୍ତ୍ର ଖଣ୍ଡପୀଠ ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବା ପାଇଁ ଆନ୍ଧ୍ର ପ୍ରଦେଶ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।  ଭାରତୀୟ ପିଙ୍ଗଳ କୋଡ୍‌ (ଆଇପିସି)ର ଧାରା ୧୨୪ ଏ (ଦେଶଦ୍ରୋହ) ଏବଂ ଧାରା ୧୫୩ ( ଦୁଇ ଶ୍ରେଣୀ ମଧ୍ୟରେ ଶତ୍ରୁତାକୁ ପ୍ରୋତ୍ସାହିତ କରିବା)ର ବ୍ୟାଖ୍ୟା କରାଯିବା ଉଚିତ ବୋଲି ଖଣ୍ଡପୀଠ ମତ ଦେଇଛନ୍ତି। ବିଶେଷକରି ଗଣମାଧ୍ୟମର ଅଧିକାର ଏବଂ ବାକ୍ ସ୍ୱାଧୀନତା ପ୍ରସଙ୍ଗରେ ଏହି ବ୍ୟାଖ୍ୟା ଆବଶ୍ୟକ ବୋଲି ଖଣ୍ଡପୀଠ କହିଛନ୍ତି।

ଦେଶରେ ବାରମ୍ବାର ଅନେକ ଗଣମାଧ୍ୟମ ଏପରି ଘଟଣାର ସାମ୍ନା କରୁଛନ୍ତି।  ଅନେକ ସମୟରେ ସରକାରଙ୍କ ବିରୋଧରେ ଖବର ପରିବେଷଣ କରାଯାଉଥିବାରୁ ସରକାରଙ୍କୁ ତାହା ହରଡ଼ଘଣାରେ ପକାଉଛି। ତେଣୁ ଗଣମାଧ୍ୟମ ଉପରେ ଏପରି ମାମଲା ଦାୟର କରାଯାଉଛି। ପୂର୍ବରୁ ମହାରାଷ୍ଟ୍ରରେ ଏକ ଘରୋଇ ଚ୍ୟାନେଲ ମୁଖ୍ୟ ସମ୍ପାଦକଙ୍କୁ ସ୍ଥାନୀୟ ସରକାର ପ୍ରତ୍ୟେକ୍ଷ ଭାବରେ ହଇରାଣ କରୁଥିବା ଖବର ଜାତୀୟ ଗଣମାଧ୍ୟମରେ ଏକ ପ୍ରସଙ୍ଗ ହୋଇ ଉଭା ହୋଇଥିଲା। ପରେ ମୁଖ୍ୟ ସମ୍ପାଦକ ଗିରଫ ମଧ୍ୟ ହୋଇଥିଲେ। ଯାହାକୁ ନେଇ ମହାରାଷ୍ଟ୍ର ସରକାରଙ୍କ ଉପରେ କୋର୍ଟ ବର୍ଷିଥିଲେ। ଆଉ ଏବେ ଆନ୍ଧ୍ର ପୋଲିସର ଏପରି କାର୍ଯ୍ୟକୁ ନେଇ ସମାଲୋଚନା ମଧ୍ୟ କରାଯାଉଛି।

You might also like