କରୋନା କାଳରେ ପୋଲିସ ଦମନଲୀଳାକୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କରୋନା କାଳରେ ପୋଲିସର ଦମନଲୀଳାକୁ ସୁପ୍ରିମକୋର୍ଟ  କଡ଼ା ଭର୍ତ୍ସନା କରିଛନ୍ତି। ସୋସିଆଲ ମିଡିଆରେ  ପୋଷ୍ଟକୁ ନେଇ ପୋଲିସର କାର୍ଯ୍ୟାନୁଷ୍ଠାନକୁ ନାପସନ୍ଦ କରିବା ସହ ଏନେଇ ରାଜ୍ୟ ସରକାରମାନଙ୍କୁ ତାଗିଦ କରିଛନ୍ତି ସର୍ବୋଚ୍ଚ ଅଦାଲତ ।

ସୋସିଆଲ ମିଡିଆ ପୋଷ୍ଟ ପାଇଁ ଏକ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତକୁ ଡାକିବା ନିନ୍ଦନୀୟ ବୋଲି କହିଛନ୍ତି କୋର୍ଟ । ପଶ୍ଚିମବଙ୍ଗ ପୋଲିସ ପକ୍ଷରୁ ଦିଲ୍ଲୀର ଜଣେ ଯୁବତୀଙ୍କୁ ସମନ କରିବାକୁ ନେଇ ତାଗିଦ କରିଛନ୍ତି କୋର୍ଟ। ବେଙ୍ଗଲରେ ଲକଡାଉନ ପାଳନ ହେଉନି ବୋଲି ସମାଲୋଚନା କରି ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଥିଲେ ସଂପୃକ୍ତ ଯୁବତୀ ।

ଏ ନେଇ ପୋଲିସ ତାଙ୍କୁ କୋଲକାତା ଆସି ପକ୍ଷ ରଖିବାକୁ କହିଥିଲା। ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଯୁବତୀ । ଜଷ୍ଟିସ ଡି ଓ୍ୱାଇ ଚନ୍ଦ୍ରଚୂଡ ଏବଂ ଇନ୍ଦିରା ବାନାର୍ଜୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି ବେଳେ କହିଥିଲେ ଯେ, ସାଧାରଣ ନାଗରିକଙ୍କୁ ରାଜ୍ୟ ସରକାର ହଇରାଣ କରିପାରିବେ ନାହିଁ । ମହାମାରୀ ମୁକାବିଲା ଠିକ୍ ଭାବେ ପରିଚାଳନା ହେଉନି କହିଲେ ମାମଲା ହେବନି । ଏହା ସହ ସୀମା ନ ଟପିବା ପାଇଁ ତାଗିଦ କରିଛନ୍ତି ଖଣ୍ଡପୀଠ।

You might also like