• translate
Prangyan Parimita
  • ଟେନସନ୍ ବଢ଼ାଇଲା ଏସବିଆଇ ରିପୋର୍ଟ
  • ଦ୍ୱିତୀୟ ଲହରୀ ଠାରୁ ଅଧିକ ଘାତକ ହେବ ତୃତୀୟ ଲହରୀ
  • ୯୮ ଦିନ ତାଣ୍ଡବ ରଚିବ ଅଦୃଶ୍ୟ ଭାଇରସ୍‌

ନୂଆଦିଲ୍ଲୀ : ଦେଶରେ ଥମିନି କରୋନାର ଦ୍ୱିତୀୟ ଲହରୀ । ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ ହ୍ରାସ ପାଉଥିବା ବେଳେ ମୃତ୍ୟୁ ସଂଖ୍ୟାରେ ବ୍ରେକ୍ ଲାଗୁନି । ଲକଡାଉନ୍ ସାହାରାରେ କରୋନାର ପ୍ରଥମ ଲହରୀର ମୁକାବିଲା କରିଥିବା ଭାରତ ଦ୍ୱିତୀୟ ଲହରୀକୁ ନିୟନ୍ତ୍ରଣ କରିପାରିଲାନି । ଦ୍ୱିତୀୟ ଲହରୀ ସମ୍ପୂର୍ଣ୍ଣ ଥମି ନଥିବା ବେଳେ କରୋନାର ତୃତୀୟ ଲହରୀ ନେଇ ଚେତାବନୀ ଦିଆଯାଇଛି । ଦେଶରେ ତୃତୀୟ ଲହରୀ ଦ୍ୱିତୀୟ ଲହରୀ ଠାରୁ ଅଧିକ ଭୟଙ୍କର ହେବ ବୋଲି ଏସବିଆଇ ରିପୋର୍ଟରେ କୁହାଯାଇଛି । ତୃତୀୟ ଲହରୀର ତାଣ୍ଡବ ୯୮ ଦିନ ପର୍ଯ୍ୟନ୍ତ ଚାଲିପାରେ ବୋଲି ଆକଳନ କରାଯାଇଛି ।

ଆହୁରି ଭୟଙ୍କର ରୂପ ନେଇ ଆସିବ କରୋନା ଭାଇରସ୍ । ତୃତୀୟ ଲହରୀରେ ସରକାର ତଥା ଲୋକଙ୍କୁ ଅଣନିଶ୍ୱାସୀ କରିପକାଇବ ଭାଇରସ୍ । ଦେଶରେ କୋଭିଡର ତୃତୀୟ ଲହରୀର ପ୍ରଭାବ ୯୭ ଦିନ ଅର୍ଥାତ୍ ତିନି ମାସରୁ ଅଧିକ ସମୟ ଧରି ରହିପାରେ । ଏସବିଆଇର ପାଞ୍ଚ ପୃଷ୍ଠାର ରିପୋର୍ଟରେ ତୃତୀୟ ଲହରୀ ବିଷୟରେ ଅନେକ ଆକଳନ କରାଯାଇଛି । ଦେଶ ଆଜି ଠାରୁ ତୃତୀୟ ଲହରୀ ପାଇଁ ପ୍ରସ୍ତୁତ ରହିଲେ ଅମ୍ଳଜାନ, ଭେଣ୍ଟିଲେଟର ଆବଶ୍ୟକ କରୁଥିବା ଗୁରୁତର ରୋଗୀଙ୍କ ସଂଖ୍ୟା ହ୍ରାସ ପାଇବ, ନହେଲେ ସ୍ଥିତି ଭୟଙ୍କର ହେବ ।

ଦେଶରେ କରୋନାର ଦ୍ୱିତୀୟ ଲହରୀ ୧୦୮ ଦିନ ପର୍ଯ୍ୟନ୍ତ ତାଣ୍ଡବ ରଚିଛି । ତୃତୀୟ ଲହରୀରେ ଉନ୍ନତ ସ୍ୱାସ୍ଥ୍ୟ ଭିତ୍ତିଭୂମି ଓ ତୀବ୍ର କରୋନା ଟିକାକାରଣ ସାହାଯ୍ୟରେ ଗୁରୁତର ରୋଗୀ ସଂଖ୍ୟା ୨୦ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ କରାଯାଇପାରେ । ପୂର୍ବରୁ କରୋନା ମୁକାବିଲା ପାଇଁ ପ୍ରସ୍ତୁତ ରହିଲେ ଦ୍ୱିତୀୟ ଲହରୀ ତୁଳନାରେ ତୃତୀୟ ଲହରୀରେ ମୃତ୍ୟୁ ସଂଖ୍ୟା ହ୍ରାସ ପାଇବାର ସମ୍ଭାବନା ରହିଛି। ଏସବିଆଇ ରିପୋର୍ଟରେ କୁହାଯାଇଛି, କରୋନା ଭାଇରସ୍ ବିରୋଧୀ ଅଭିଯାନରେ ଟିକାକରଣକୁ ସରକାର ପ୍ରାଥମିକତା ହେବା ଉଚିତ। ୧୨-୧୮ ବୟସ ବର୍ଗରେ ପ୍ରାୟ ୧୫୦-୧୭୦ ମିଲିୟନ ପିଲାଙ୍କ ଟିକାକରଣ ପାଇଁ ବିକଶିତ ଦେଶମାନଙ୍କ ମଡ଼େଲକୁ ଆପଣାଇବା ଉଚିତ ଭାରତ ।

Other Stories