୩୦ ଜୁନ୍‌ ମଧ୍ୟରେ ଏହି କାମ ନକଲେ ବ୍ୟାଙ୍କ୍‌ର କୌଣସି ସୁବିଧା ଆପଣ ପାଇବେ ନାହିଁ

ଲିଙ୍କ୍‌ କରିନାହାନ୍ତି କି ଆଧାର ସହ ପାନ୍‌?

ନୂଆଦିଲ୍ଲୀ: ଆପଣ ଏସବିଆରରେ ଆକାଉଂଟ୍‌ ରଖିଛନ୍ତି କି? ଯଦି ହଁ ତେବେ, ଏହି ସୂଚନା ଆପଣଙ୍କ ଲାଗି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ନଚେତ୍‌ ଆପଣଙ୍କ ଆକାଉଂଟ୍‌ ବନ୍ଦ ହୋଇପାରେ। ବ୍ୟାଙ୍କ୍‌ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଆପଣ ଯଦି ଜୁନ୍‌  ୩୦ ସୁଦ୍ଧା ନିଜର ପାନ୍‌ କାର୍ଡକୁ ଆଧାର ସହ ଲିଙ୍କ୍‌ ନକରାଇବେ ତେବେ ଆପଣ ଅନେକ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। Income Tax Department ପାନ୍‌ ସହ ଆଧାର ଲିଙ୍କ୍‌ କରାଇବାର ଶେଷ ତାରିଖ ଜୁନ୍‌ ୩୦ ଧାର୍ଯ୍ୟ କରିଛି। ଯଦି ଆପଣ ଏହି ସମୟରେ ପାନ୍‌ ସହ ଆଧାର କାର୍ଡକୁ ସଂଯୋଗ ନକରାନ୍ତି ତେବେ ଆପଣଙ୍କର ପାନ୍‌ କାର୍ଡ ଅସିଦ୍ଧ ହୋଇଯିବ ଅର୍ଥାତ୍‌ ଆପଣଙ୍କ ପାଖରେ ଥିବା ପାନ୍‌ କାର୍ଡ କୌଣସି କାମ ଦେବ ନାହିଁ। ଏତିକି ନୁହେଁ ବରଂ ଆୟକର ଆଇନ ଅନୁସାରେ ଆପଣଙ୍କ ଉପରେ ୧ ହଜାର ଟଙ୍କାର ଜୋରିମାନା ମଧ୍ୟ ଲାଗିବ।

ଟ୍ୱିଟ୍‌ କରି ସୂଚନା ଦେଲା ବ୍ୟାଙ୍କ୍‌

ଗ୍ରାହକଙ୍କୁ ସୂଚନା ଦେବା ଲାଗି ବ୍ୟାଙ୍କ୍‌ ଟ୍ୱିଟ୍‌ କରି କହିଛି ଯେ, ଆମେ ଆମର ସମସ୍ତ ଗ୍ରାହକଙ୍କୁ ଜଣାଉଛୁ କି ସେମାନେ ନିରବିଚ୍ଛିନ୍ନ ଭାବରେ ବ୍ୟାଙ୍କ ସେବା ପାଇବାକୁ ଆଧାର କାର୍ଡ ସହ ପାନ୍‌ର ସଂଯୋଗ କରନ୍ତୁ। ଯଦି ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସମୟ ଅନୁସାରେ ଗ୍ରାହକମାନେ ଏହା ନକରନ୍ତି ତେବେ ବ୍ୟାଙ୍କର ସେବା ପାଇବାରୁ ସେମାନେ ବଂଚିତ ହେବେ।

ଆପଣ ଆଧାର ପାନ୍‌ ଲିଙ୍କ୍‌ ନେଇ ସୂଚନା ପାଇବେ କେମିତି?

ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପାନ୍‌ ସହ ଆଧାର ସଂଯୋଗ ହୋଇଛି କି ନାହିଁ ଆପଣ Income Tax Department  ୱେବ୍‌ସାଇଟ୍‌କୁ ଯାଇ ଏ ସମ୍ବନ୍ଧରେ ସମସ୍ତ ତଥ୍ୟ ପାଇପାରିବେ। ପ୍ରଥମେ ଆପଣ ୱେବସାଇଟ୍‌କୁ ଯାଆନ୍ତୁ ପରେ, ଆଧାର କାର୍ଡରେ ଦିଆଯାଇଥିବା ନାମ, ପାନ୍‌ ନମ୍ବର ଏବଂ ଆଧାର କାର୍ଡ଼ର ନମ୍ବର ଦିଅନ୍ତୁ। ଏହାପରେ ଆଧାର କାର୍ଡ଼ରେ ଦିଆଯାଇଥିବା ଜନ୍ମ ତାରିଖ ଉପରେ କ୍ଲିକ୍‌ କରନ୍ତୁ। ପରେ ଆପଣଙ୍କୁ ଦିଆଯାଇଥିବା କୋର୍ଡ ଉପରେ କ୍ଲିକ୍‌ କରନ୍ତୁ, ଏହା ପରେ Link Aadhaar ସୁଇଚ୍‌ ଉପରେ କ୍ଲିକ୍‌ କରନ୍ତୁ। ଏହା କରିବା ପରେ ଆପଣଙ୍କ ଆଧାର ସହ ପାନ୍‌ ଲିଙ୍କ୍‌ ହୋଇଛି କି ନାହିଁ ଜଣାପଡ଼ିବ। ଯଦି ନହୋଇଛି ତେବେ ଏଠାରେ ଆପଣ ନିଜର ପାନ୍‌ ସହ ଆଧାର କାର୍ଡ଼ ଲିଙ୍କ୍‌ କରାଇପାରିବେ।

SMS ଜରିଆରେ ବି ଆଧାର ସହ ଲିଙ୍କ୍‌ ହୋଇପାରିବ ପାନ୍‌

ଏସ୍‌ଏମ୍‌ଏସ୍‌ ଦ୍ୱାରା ଆଧାର ଲିଙ୍କ୍‌ କରିବାକୁ ଆପଣଙ୍କ ଫୋନ୍‌ରେ UIDPAN ଟାଇପ୍‌ କରନ୍ତୁ। ଏହା ପରେ ୧୨ ଅଙ୍କ୍‌ ବିଶିଷ୍ଟ ଆଧାର ନମ୍ବର ଦିଅନ୍ତୁ, ପରେ ୧୦ ଅଙ୍କ ବିଶିଷ୍ଟ ନିଜର ପାନ୍‌ ନମ୍ବର ଦିଅନ୍ତୁ। ଏହା ପରେ ଷ୍ଟେପ୍‌ ୱାନ୍‌ରେ ଦିଆଯାଇଥିବା ମ୍ୟାସେଜ୍‌କୁ ୫୬୭୬୭୮ କିମ୍ବା 56161 ପଠାନ୍ତୁ।

ନିଷ୍କ୍ରିୟ ପାନ୍‌କୁ କେମିତି କରିବେ ଆକ୍ଟିଭ୍‌?

ଆପଣ ଜାଣିଛନ୍ତି କି ନିଷ୍କ୍ରିୟ ହୋଇଥିବା ପାନ୍‌ କାର୍ଡ଼କୁ ପୁଣି ଥରେ ଆକ୍ଟିଭ୍‌ କରିହେବ। ଏହା ପାଇଁ କେବଳ ଗୋଟିଏ ଏସଏମଏସ୍‌ କରିବାକୁ ପଡ଼ିବ। ଆପଣଙ୍କ ମୋବାଇଲ୍‌ର ମ୍ୟାଜେଜ୍‌ ବକ୍ସକୁ ଯାଇ ୧୨ ଅଙ୍କ ବିଶିଷ୍ଟ ପାନ୍‌ ନମ୍ବର ଏଂଟର କରନ୍ତୁ ପରେ ସ୍ପେସ୍‌ ଦେଇ ନିଜର ୧୦ ଅଙ୍କ ବିଶିଷ୍ଟ ଆଧାର ନମ୍ବର ଦିଅନ୍ତୁ ପରେ 567678 କିମ୍ବା 56161 ନମ୍ବରକୁ SMS କରନ୍ତୁ। ଏହା ପରେ ଆପଣଙ୍କ ପାନ୍‌ ପୁଣି ଥରେ ଆକ୍ଟିଭ୍‌ ହେବ।

ତେବେ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସମୟ ମଧ୍ୟରେ ଆପଣ ଯଦି ଆଧାର-ପାନ୍‌ ଲିଙ୍କ୍‌ ନକରନ୍ତି ତେବେ ବ୍ୟାଙ୍କ୍‌ ପକ୍ଷରୁ ମିଳୁଥିବା ସୁବିଧାରୁ ଆପଣମାନେ ବଂଚିତ ହୋଇପାରନ୍ତି। ତେଣୁ ବିଳମ୍ବ ନକରି ଯଥାଶୀଘ୍ର ଆଧାର-ପାନ୍‌କୁ ଲିଙ୍କ୍‌ କରାଇ ଦିଅନ୍ତୁ।

You might also like