ଅନାହାରରେ ମରିଯିବେ କି ଚିଡ଼ିଆଖାନାର ସିଂହ !

ନୂଆଦିଲ୍ଲୀ:ସିଂହ ଜଙ୍ଗଲର ରଜା। ନିଜର ଶକ୍ତି ତାର ପରିଚୟ। ହେଲେ ଏଠାରେ ଦେଖନ୍ତୁ ତ ଏଇ ସିଂହଙ୍କ ଫଟୋକୁ। ଲାଗୁଛି କେତେ ଅସହାୟ ସତରେ ଏମାନେ ? ଦୂରରୁ ବି ଏମାନଙ୍କ ହାଡ଼କଙ୍କାଳ ଗଣି ହୋଇଯାଉଛି। ଚାଲିବାକୁ ଦେହରେ ବଳ ନାହିଁ। ହେଲେ କାହିଁକି ?

ସୁଦାନର ରାଜଧାନୀ ଖାରତୁମ୍‌ର ଅଲ୍‌ କ୍ୟୁରେଶୀ ଚିଡ଼ିଆଖାନାରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି। ଏଠାରେ ଥିବା ୫ଟି ସିଂହ ଖାଦ୍ୟାଭାବରୁ ଏପରି ଦିଶୁଛନ୍ତି। ଫଟୋ ଭାଇରାଲ ହେବା ପରେ ଏମାନଙ୍କୁ ଉକ୍ତ ଚିଡିଆଖାନରୁ ସ୍ଥାନାନ୍ତର ପାଇଁ ଦାବି ହୋଇଛି।

ଜଣେ ଆକ୍ଟିଭିଷ୍ଟ ଉସ୍‌ମାନ ସଲିଆ ଫେସବୁକ୍‌ରେ ଏକ ପୋଷ୍ଟ କରି ଲେଖିଛନ୍ତି, ଗତ କିଛି ସପ୍ତାହ ହେଲା ସିଂହମାନଙ୍କ ସ୍ୱାସ୍ଥ୍ୟାବସ୍ଥା କ୍ରମାଗତ ଭାବେ ବିଗଡ଼ିବାରେ ଲାଗିଛି।  ସେ ଯେତେବେଳେ ଏହି ସିଂହଙ୍କୁ ଦୂରରୁ ଦେଖିଲେ, ସେମାନଙ୍କ ହାଡ ଶରୀର ଭିତରୁ ଗଣି ହୋଇ ଯାଉଥିବା ସେ କହିଛନ୍ତି। ଏହି ସିଂହମାନଙ୍କୁ ବଞ୍ଚାଇବା ପାଇଁ ଅପିଲ୍‌ ସେ ନିବେଦନ କରିଛନ୍ତି।

 

ଚିଡିଆଖାନା କର୍ତ୍ତୃପକ୍ଷ ଏବଂ ପ୍ରାଣୀ ଚକିତ୍ସକଙ୍କ କହିବା ଅନୁଯାୟୀ, ସେମାନଙ୍କ ଶରୀରର ଓଜନ ଯାହା ଥିଲା ଇତି ମଧ୍ୟରେ ୨ରୁ ୩ ଭାଗ କମି ଯାଇଛି। ଚିଡିଆଖାନା କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ, ପ୍ରତିଦିନ ଆବଶ୍ୟକ ପରିମାଣର ଖାଦ୍ୟ ଏଠାରେ ମିଳୁନାହିଁ। ଏପରକି ଅନେକଥର ନିଜ ପକେଟ୍‌ରୁ ପଇସା ଖର୍ଚ୍ଚ କରି ଏମାନଙ୍କୁ ଖାଇବାକୁ ଦେଉଛୁ। ସୂଚନା ଥାଉ କି, ଏହି ପାର୍କ ପ୍ରାଇଭେଟ୍‌ ଫଣ୍ଡିଂ ଦ୍ୱାରା ଚାଲୁଛି।

ସୋଶାଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ଅନେକ ଲୋକ ଏହି ସିଂହମାନଙ୍କୁ ଦେଖିବାକୁ ଆସୁଛନ୍ତି। ଏବେ ଏହି ୫ ସିଂହ ମଧ୍ୟରୁ ଗୋଟିଏ ସିଂହକୁ ଦଉଡ଼ିରେ ବାନ୍ଧି ଗ୍ଲୁକୋଜ ପାଣି ଡ୍ରପର୍‌ରେ ଦିଆଯାଉଛି ଯେପରି ଡିହାଇଡ୍ରେସନ ନ ହୁଏ। ଚିଡିଆଖାନା କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ, ଚିଡିଆଖାନାର ଖରାପ ପରିବେଶର ପ୍ରଭାବ ଜୀବଜନ୍ତୁଙ୍କ ଉପରେ ପଡୁଛି।

 

You might also like