ଡେଡଲି ଷ୍ଟଣ୍ଟ ପ୍ରଦର୍ଶନ କଲା ‘ସରାଙ୍ଗ’     

ଏରୋ ଇଣ୍ଡିଆ-୨୦୧୯ ଶୋ

ବେଙ୍ଗାଲୁରୁ:  ବେଙ୍ଗାଲୁରୁରେ ଆୟୋଜିତ ଏରୋ ଇଣ୍ଡିଆ-୨୦୧୯ର ତୃତୀୟ ଦିନ ଥିଲା ବେଶ ଚିତ୍ତାକର୍ଷକ । ବିଶ୍ୱର ସବୁଠୁ ବଡ଼ ଏୟାର ଶୋରେ  ସରାଙ୍ଗ ସମେତ ବିଭିନ୍ନ ଦେଶର ଯୁଦ୍ଧ ବିମାନ ଏବଂ ଆନ୍ତର୍ଜାତିକ ଡ୍ରୋନ୍ ଅଲିମ୍ପିକ୍ସ ପ୍ରଦର୍ଶିତ ହୋଇଛି । ତୃତୀୟ ଦିନରେ ବାୟୁସେନା ମୁଖ୍ୟ ବିଏସ୍ ଧନୱା ପହଞ୍ଚି ବିଭିନ୍ନ ଅନ୍ତର୍ଜାତୀୟ ବିମାନ ବୁଲି ଦେଖିଥିଲେ ।

ବେଙ୍ଗାଲୁରୁ  ଆକାଶରେ ସରାଙ୍ଗ ହେଲିକପ୍ଟର ଡେଡଲି ଷ୍ଟଣ୍ଟ ପ୍ରଦର୍ଶନ କରି ଉପସ୍ଥିତ ଦର୍ଶକଙ୍କୁ ଚକିତ କରିଥିଲା । ନୀଳ ଆକାଶରେ ଚାଲିଥିବା ବିଶ୍ୱର ସବୁଠୁ ବଡ଼ ଏୟାର ଶୋର ତୃତୀୟ ଦିନ ଥିଲା କିଛି ଅଲଗା । ଭାରତୀୟ ଜ୍ଞାନ, କୌଶଳରେ ନିର୍ମିତ ସରାଙ୍ଗ ସମେତ ହାଲ୍‌ର ଅନେକଗୁଡିଏ ହେଲିକପ୍ଟର ନିଜ କଳାକୃତି ପ୍ରଦର୍ଶନ କରିଥିଲେ ।

ବିପର୍ଯ୍ୟୟ ବେଳେ ନିଜ ଅଦମ୍ୟ ସାହସର ପରିଚୟ ଦେଉଥିବା ଭାରତୀୟ ଯବାନ ମଧ୍ୟ ଏଠି କୌଶଳ ପ୍ରଦର୍ଶନ କରିଥିଲେ । କିପରି ହେଲିକପ୍ଟର ଜରିଆରେ ଉଦ୍ଧାର କାର୍ଯ୍ୟ କରାଯାଏ ଉପସ୍ଥିତ ଦର୍ଶକ ତାହାର ଅଦଭୁତ ନିଦର୍ଶନ ଦେଖିଥିଲେ । ସରାଙ୍ଗ ସମେତ ଆକାଶ ମିଶାଇଲ୍‌କୁ  ବି ଏଥର ପ୍ରଦର୍ଶନ କରାଯାଇଛି । ଖାଲି ଯେ ଭାରତର ବିମାନ ନୁହେଁ ବିଦେଶୀ ବିମାନ ମଧ୍ୟ ଭାରତ ଆକାଶରେ ନିଜ ଦକ୍ଷତା ଓ ପାରଦର୍ଶିତା ପ୍ରତିପାଦନ କରିଛନ୍ତି । ଆମେରିକା ଯୁଦ୍ଧ ବିମାନ F-16 ମଧ୍ୟ ଏହି ଶୋରେ ସାମିଲ ହୋଇଥିଲା ।

ଚଳିତ ବର୍ଷ ଏୟାର ଶୋରେ ପ୍ରଥମ ଥର ପାଇଁ ଆନ୍ତର୍ଜାତିକ ଡ୍ରୋନ୍ ଅଲମ୍ପିକ୍ସ ଆୟୋଜିତ ହୋଇଛି । ବିଭିନ୍ନ ଦେଶର ୧୨୦ଜଣ ପ୍ରତିଯୋଗୀ ଏଥିରେ ଭାଗ ନେଇଛନ୍ତି । ସୀମାରେ ଅନୁପ୍ରବେଶ ସହ ବିଭିନ୍ନ କାର୍ଯ୍ୟକଳାପ ଉପରେ ତୀକ୍ଷଣ ନଜର ରଖିବାପାଇଁ ଏହି ଡ୍ରୋନ୍ ବ୍ୟବହାର ହେବ ।

ଏୟାର ଶୋର ତୃତୀୟ ଦିନରେ ବାୟୁ ସେନା ମୁଖ୍ୟ ବିଏସ୍ ଧନୱା ପହଞ୍ଚି ସ୍ୱୀଡେଶ କମ୍ପାନି SAABର କକପିଟ୍ ବୁଲି ଦେଖିଥିଲେ  । ବେଙ୍ଗାଲୁରୁରେ ୫ ଦିନ ଧରି ଚାଲିବାକୁ ଥିବା ଏହି ଏୟାର ସୋରେ ବିଶ୍ୱର ନାମୀଦାମୀ କଂପାନିର ଯୁଦ୍ଧ ବିମାନ ନିଜ ନିଜ ଦକ୍ଷତା ପ୍ରଦର୍ଶନ କରିଛନ୍ତି । ଚଳିତ ଥର ଦେଶ ବିଦେଶରୁ ୪୦୩ କଂପାନି ଏଥିରେ ସାମିଲ ହୋଇଥିବା ବେଳେ ୬୧ଟି ବିମାନ ପ୍ରଦର୍ଶନ କରାଯିବ ।

You might also like