ପିଏମ୍‌ସି ବ୍ୟାଙ୍କ ଘୋଟାଲା ଅଭିଯୁକ୍ତଙ୍କ ପତ୍ନୀଙ୍କ ଠାରୁ ୬୭ ଲକ୍ଷ ନେଇଛନ୍ତି ସଞ୍ଜୟ ରାୱତଙ୍କ ପତ୍ନୀ: ଇଡି

ମୁମ୍ବାଇ: ଶିବସେନା ନେତା ସଞ୍ଜୟ ରାୱତ୍‌ଙ୍କ ପତ୍ନି ନାଁରେ ଆସିଥିବା ବେଆଇନ୍ ଟଙ୍କା କାରବାର ଅଭିଯୋଗ ନେଇ ତଦନ୍ତ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି। ଏନେଇ ଇଡି ପକ୍ଷରୁ ସଞ୍ଜୟଙ୍କ ପତ୍ନୀଙ୍କୁ ପଚାରଉଚରା ପାଇଁ ପୂର୍ବରୁ ଡକାଯାଇଥିଲା। ଯାହାକୁ ନେଇ ବିଜେପିକୁ ଟାର୍ଗେଟ୍ କରିଥିଲା ଶିବସେନା। ଆଉ ଏବେ ଇଡି ଏହି ଟଙ୍କା କାରବାର ସମ୍ପର୍କରେ ଖୁଲାସା କରିଛି।

ସଞ୍ଜୟଙ୍କ ପତ୍ନୀ ପିଏମ୍‌ସି ବ୍ୟାଙ୍କ ଅଭିଯୁକ୍ତ ପ୍ରବୀନ ରାୱତଙ୍କ ଓ ଅନ୍ୟ ସୂତ୍ରରୁ ୬୭ ଲକ୍ଷ ଟଙ୍କା ନେଇଥିବା ଇଡି ସ୍ପଷ୍ଟ କରିଛି। ଏଥିସହିତ ଇଡି ପିଏମ୍‌ସି ବ୍ୟାଙ୍କ ଘୋଟାଲାରେ ପ୍ରିଭେନ୍ସନ୍ ଅଫ୍‌ ମନି ଲଣ୍ଡରିଂ ଆକ୍ଟ ୨୦୦୨(ପିଏମ୍‌ଏଲ୍‌ଏ) ଅନୁସାରେ ପ୍ରୀବଣ ରାୱତଙ୍କର ୭୨ କୋଟି ଟଙ୍କାର ସମ୍ପତ୍ତିକୁ ଏହି ଘଟଣାର ଆଟାଚ୍ କରାଯାଇଛି।

ପିଏମ୍‌ଏଲ୍‌ ଯାଞ୍ଚରେ ଜଣାପଡ଼ିଛି ଯେ ଅଭିଯୁକ୍ତ ପ୍ରବୀଣ ରାୱତ ଏଚ୍‌ଡିଆଇଏଲ୍‌ ଦ୍ୱାରା ୯୫ କୋଟି ଟଙ୍କା ପିଏମ୍‌ସି ବ୍ୟାଙ୍କରୁ ଉଠାଇଛନ୍ତି। ଏହିସବୁ ଟଙ୍କା ଅବୈଧ କୃଷି ଋଣ ଆଗ୍ରୀମ ରାଶି ଆଦି ବାବଦରେ ଉଠାଯାଇଛି। ତେବେ ଏତେମାତ୍ରାରେ ଟଙ୍କା ଉଠାଣ ନେଇ କୌଣସି ପ୍ରକାରର ଏଗ୍ରୀମେଣ୍ଟ କିମ୍ବା କାଗଜପତ୍ର ନାହିଁ। ତେବେ ମୁମ୍ବାଇର ପାଲଘର ଅଞ୍ଚଳରେ ଭୂମି ଅଧିଗ୍ରହଣ ପାଇଁ ପ୍ରବୀଣ ରାୱତଙ୍କୁ ଏହି ଟଙ୍କ ଦିଆଯାଇଥିବା ମେସର୍ସ ଏଚ୍‌ଡିଆଇଏଲ୍‌ ଲେଜରରେ ଉଲ୍ଲେଖ ରହିଛି।

ଏହି ଟଙ୍କାରୁ ପ୍ରବୀଣ ତାଙ୍କ ପତ୍ନୀ ମାଧୁରୀ ପ୍ରବୀଣ ରାୱତଙ୍କୁ ୧.୬ ଲକ୍ଷ ଟଙ୍କା ଦେଇଥିଲେ। ଆଉ ମାଧୁରୀ ଏହି ଟଙ୍କାରୁ ସଞ୍ଜୟ ରାୱତଙ୍କ ପତ୍ନୀ ବର୍ଷା ରାୱତଙ୍କୁ ବିନା ସୁଧରେ ୫୫ ଲକ୍ଷ ଟଙ୍କା ଋଣ ଦେଇଥିଲେ। ଏହି ୫୦ ଲକ୍ଷ ଟଙ୍କାରୁ ପ୍ରଥମେ ୨୦୧୦ ଡିସେମ୍ବର ମାସରେ ୫୦ ଲକ୍ଷ ଟଙ୍କା ଦେଇଥିବା ବେଳେ ୧୫ ମାର୍ଚ୍ଚ ୨୦୧୧ରରେ ଆଉ ୫ ଲକ୍ଷ ଟଙ୍କା ଟ୍ରାନ୍ସଫର କରିଥିଲେ। ଏହି ଟଙ୍କାର ହିଁ ମୁମ୍ବାଇର ଦାଦା ଇଷ୍ଟରେ ଫ୍ଲାଟ୍‌ କିଣିବା ପାଇଁ ବ୍ୟବହାର କରାଯାଇଛି ବୋଲି ଇଡି ସୂଚନା ଦେଇଛି।

ଯାଞ୍ଚରୁ ଆହୁରି ମଧ୍ୟ ଜଣାପଡ଼ିଛି ଯେ ବର୍ଷା ସଞ୍ଜୟ ରାୱତ ଓ ମାଧୁରୀ ପ୍ରବୀଣ ରାୱତ ଅବନୀ କନଷ୍ଟ୍ରକ୍ସନରେ ପାର୍ଟନର ଅଛନ୍ତି। ଏହି କମ୍ପାନୀରୁ ବର୍ଷାଙ୍କୁ ୧୨ ଲକ୍ଷ ଟଙ୍କା(ଋଣ ଦର୍ଶାଇ) ମିଳିଛି। ଏହି ୧୨ ଲକ୍ଷ ଟଙ୍କା ଏବେ ବି ବାକି ପୈଠ ହୋଇ ନାହିଁ, ସେମିତି ଋଣ ଖାତାରେ ପଡ଼ିଛି। ଏହି ଘଣଟାରେ ପଚରାଉଚରା ପାଇଁ ଗତ ମାସରେ ଇଡି ବର୍ଷା ରାୱତଙ୍କୁ ଦୁଇଥର ସମନ କରିଥିଲା। ଶେଷ ସମନର ସମୟ ୨୭ ଡିସେମ୍ବର ପର୍ଯ୍ୟନ୍ତ ଥିଲା। କିନ୍ତୁ ସେ ଏନେଇ ଆହୁରି ସମୟ ମାଗିବାରୁ ଏବେ ଜାନୁଆରୀ ୫ ତାରିଖରେ ବର୍ଷା ଇଡି ଆଗରେ ହାଜର ହେବେ ବୋଲି ସୂଚନା ମିଳିଛି।

ସୂଚନା ଥାଉକି, ଏହା ପୂର୍ବରୁ ଇଡି ରାକେଶ କୁମାର ବଧାୱନ, ବଧାୱନା ପରିବାର ଟ୍ରଷ୍ଟ ଓ ଅନ୍ୟ ମାଧ୍ୟମରୁ ୨୯୩ କୋଟି ଟଙ୍କାର ଅନେକ ସମ୍ପତ୍ତି ଆଟାଚ୍ କରିଛି। ତା ସହିତ ୬୩ କୋଟି ଟଙ୍କାର ଗହଣା ମଧ୍ୟ ଜବତ କରାଯାଇଛି। ପିଏମ୍‌ଏଲ୍‌ଏ ଦ୍ୱାରା ମୁମ୍ବାଇ ପୋଲିସର ଆର୍ଥିକ ଅପରାଧ ଶାଖା ଦ୍ୱାରା ଏଫ୍‌ଆଇଆର୍‌ ଆଧାରରେ ଧାରା ୪୦୯,୪୨୦,୪୬୫,୪୬୬,୪୭୧ ଓ ଆଇପିସି ଧାରା ୧୨୦ ବି ଲଗାଯାଇଛି। ଏହି ଅନୁସାରେ ହାଉସିଂ ଡେଭଲପ୍‌ମେଣ୍ଟ ଇନ୍‌ଫ୍ରାଷ୍ଟ୍ରକ୍‌ଚର ଲିମିଟେଡ୍‌(ଏଚ୍‌ଡିଆଇଏଲ୍‌)ର ରାକେଶ କୁମାର ବଧାୱନ, ସାରଙ୍ଗ ବଧାୱନ, ବରୟାମ ସିଂହ, ଜୟ ଥାମସ ଓ ଅନ୍ୟମାନଙ୍କ ବିରୋଧରେ ତଦନ୍ତ ଆରମ୍ଭ ହୋଇଥିଲା। ଏହି ଅଭିଯୁକ୍ତମାନେ ନିଜ ଫାଇଦା ପାଇଁ ପିଏମ୍‌ସି ବ୍ୟାଙ୍କରୁ ୪୩୫୫ କୋଟି ଟଙ୍କା ଘାଟା କରିଛନ୍ତି।

 

You might also like