ସାନିଆ ମିର୍ଜାଙ୍କ ସ୍ୱାମୀ ଶୋଏବଙ୍କ କାର୍ ଦୁର୍ଘଟଣାଗ୍ରସ୍ତ
ଲାହୋର: ଟେନିସ୍ ତାରକା ତଥା ପାକିସ୍ତାନ କ୍ରିକେଟର ସାନିଆ ମିର୍ଜାଙ୍କ ସ୍ୱାମୀ ଶୋଏବ ମଲ୍ଲିକଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ରବିବାର ସନ୍ଧ୍ୟାରେ ଲାହୋରରେ ସୋଏବଙ୍କ ସ୍ପୋର୍ଟସ୍ କାର୍ ରାସ୍ତାରେ ଛିଡା ହୋଇଥିବା ଏକ ଟ୍ରକ୍କୁ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଛି।
ଯଦିଓ ଏକ ବଡ଼ ଧରଣର ଦୁର୍ଘଟଣାରୁ ଶୋଏବ ଅଳ୍ପକେ ବର୍ତ୍ତି ଯାଇଛନ୍ତି, ହେଲେ ତାଙ୍କ କାର୍ କ୍ଷତିଗ୍ରସ୍ତ ହୋଇଛି। କାର୍ର ସାମ୍ନା ପଟ ସମ୍ପୂର୍ଣ୍ଣ ଭାବରେ କ୍ଷତିଗ୍ରସ୍ତ ହୋଇଛି। ସୁରକ୍ଷିତ ଥିବା ନେଇ ନିଜେ ଶୋଏବ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।
– “I am perfectly all right everybody. It was just a happenstance accident and Almighty has been extremely Benevolent. Thank you to each one of you who’ve reached out. I am deeply grateful for all the love and care…” ~ Shoaib Malik
— Shoaib Malik 🇵🇰 (@realshoaibmalik) January 10, 2021
ସୂଚନା ଅନୁସାରେ, ଶୋଏବ ପାକିସ୍ତାନ ସୁପର ଲିଗର ପ୍ଲେୟାର ଡ୍ରାଫ୍ଟ ଇଭେଣ୍ଟ୍ ସାରି ଘରକୁ ଫେରୁଥିଲେ। ଶୋଏବଙ୍କ ସ୍ପୋର୍ଟସ୍ କାର୍ର ସ୍ପିଡ୍ ମଧ୍ୟ ଅଧିକ ଥିଲା। ଏହି ସମୟରେ ହଠାତ୍ ଭାରସାମ୍ୟ ହରାଇବାରୁ କାର୍ଟି ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଟ୍ରକ୍କୁ ଧକ୍କା ଦେଇଥିଲା। ଲାହୋର ନିକଟସ୍ଥ ନ୍ୟାଶନାଲ ହାଇ ପରଫରମାନ୍ସ ସେଣ୍ଟର ନିକଟରେ ଏହି ଦୁର୍ଘଟଣା ଘଟିଥିଲା।
ପାକିସ୍ତାନ ମିଡିଆର ରିପୋର୍ଟ ଅନୁଯାୟୀ, ରାସ୍ତାରେ କାର୍ ରେସ୍ କରୁଥିବା ଯୋଗୁ ସେ ଦୁର୍ଘଟଣାର ଶିକାର ହୋଇଛନ୍ତି। ପ୍ଲେୟାର ଡ୍ରାଫ୍ଟ ଇଭେଣ୍ଟ୍ ସାରି ୱାହାବ ରିଆଜ୍ ଓ ଶୋଏବ ନିଜ ନିଜ କାର୍ ଧରି ଘରକୁ ଫେରୁଥିବା ବେଳେ ରାସ୍ତାରେ ସେମାନେ କାର୍ ରେସ୍ କରୁଥିଲେ। ତେଣୁ ରେସ୍ ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।