ହଠାତ ଘୋଟି ଆସିଲା ଅନ୍ଧାର, ୪୦ ଡିଗ୍ରୀର ଦାଉ ଦାଉ ଖରା ବେଳେ ଉଭାନ ହୋଇଗଲେ ସୂର୍ଯ୍ୟ..

ଜୟପୁର/ଚୁରୁ: ଦିନ ଥାଉ ଥାଉ ହଠାତ ଘୋଟି ଆସିଲା ଅନ୍ଧାର । ୪୦ ଡିଗ୍ରୀ ଦାଉ ଦାଉ ଖରା ବେଳେ ହଠାତ୍ ଉଭାନ ହୋଇଗଲେ ସୂର୍ଯ୍ୟ ଦେବତା । ଆଉ ମାଡ଼ି ଆସିଲା ଅନ୍ଧାର । ତେବେ ଏହା ପଛରେ କାରଣ କ’ଣ ? ବୈଜ୍ଞାନିକମାନେ କହିଲେ ଏହା କେବଳ  ପରିବେଶକୁ ଧ୍ୱଂଶ କରିବାର ଫଳ ।

ରାଜସ୍ଥାନର ଅନେକ ଅଞ୍ଚଳରେ ଗୁରୁବାର ଅପରାହ୍ନ ବେଳକୁ ହାଠାତ୍ ପାଣି ପାଗରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଲା । ପଶ୍ଚିମ ରାଜସ୍ଥାନର ଚୁରୁ ଏବଂ ଜୈସଲମେର୍ ସମେତ ବିଭିନ୍ନ ଜିଲ୍ଲାରେ ପ୍ରବଳ ଧୂଳିଝଡ଼ ପ୍ରବାହିତ ହେଲା । ଏଥିରେ ଅନେକ ଧନ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଚୁରୁରେ ଘଣ୍ଟା ପ୍ରତି ୪୦ କିଲୋମିଟର ବେଗରେ ଧୂଳିଝଡ଼ ପ୍ରବାହିତ ହେବା ଯୋଗୁଁ ପୁରା ସହରରେ ଅନ୍ଧକାର ମାଡ଼ି ଆସିଲା ।

ଅନ୍ୟପଟେ ଏଭଳି ଧୂଳି ଝଡ଼ କାରଣରୁ ଜୈସଲମେରରେ ବିମାନ ବି ଅବତରଣ କରିପାରିଲା ନାହିଁ । ପାଗରେ ଅଚାନକ ଏଭଳି ପରିବର୍ତ୍ତନ ହେତୁ ତାପମାତ୍ରା ମଧ୍ୟ କମିଗଲା । ଏହାଦ୍ୱାରା ଲୋକଙ୍କୁ ଭିଷଣ ଗରମରୁ ସାମାନ୍ୟ ଆଶ୍ୱସ୍ତି ମଧ୍ୟ ମିଳିଲା ।

ଚୁରୁରେ ଏହି ବାଲିଝଡ଼ ଅପରାହ୍ନ ସମୟରେ ହୋଇଥିଲେ ମଧ୍ୟ ତାହା ସନ୍ଧ୍ୟାର ଭ୍ରମ  ସୃଷ୍ଟି କଲା ।  ଆକାଶରେ ସତେ ଯେମିତି ସୂର୍ଯ୍ୟ କୁଆଡ଼େ ଗାୟବ ହୋଇଗଲେ । ମଧ୍ୟାହ୍ନ ପ୍ରାୟ ୧୨ଟା  ସମୟରେ ଘଣ୍ଟା ପ୍ରତି ୪୦ କିଲୋମିଟର ବେଗରେ ପବନ ବହିଲା । ହଠାତ୍ ଉତ୍ତର-ପଶ୍ଚିମ ଦିଗରୁ ଏକ ବିରାଟ ବାଲୁକା ବେଲୁନ୍ ଉଠିଲା ଏବଂ ଦେଖୁ ଦେଖୁ ତାହା ପରା ସହରକୁ ମାଡ଼ି ବସିଲା । ଏହି ଝଡ଼ ଅଚାନକ ଆସିଥିବା ଯୋଗୁଁ ଲୋକମାନେ ନିଜକୁ ସଜାଗ ମଧ୍ୟ କରି ପାରିନଥିଲେ । ତେଣୁ ଅନେକ ଧନ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଲା ।

ସକାଳ ୧୧ଟା  ସୁଦ୍ଧା ତାପମାତ୍ରା ୪୦ ଡିଗ୍ରୀ ଥିଲା
ଏହି ଝଡ଼ ଯୋଗୁଁ ଅଚାନକ ସନ୍ଧ୍ୟା ହୋଇଯିବାରୁ ଲୋକଙ୍କୁ ଦିନ ବେଳେ ବି ଗାଡ଼ିରେ ଲାଇଟ ଲଗାଇବାକୁ ପଡ଼ିଥିଲା । ଗୁରୁବାର ସକାଳର ତାପମାତ୍ରା ୩୦.୬ ଡିଗ୍ରୀରୁ ଆରମ୍ଭ ହୋଇଥିବା ବେଳେ ଦିନ ୧୧ଟା ବେଳକୁ ତାପମାତ୍ରା ୪୦ ଡିଗ୍ରୀ ଛୁଇଁ ସାରିଥିଲା । ଆଉ ଏହାପରେ ହଠାତ୍ ପାଗରେ ବଡ଼ ପରିବର୍ତ୍ତନ ଆସିଥିଲା । ବୁଧବାର ଦିନ ଚୁରୁରେ ସର୍ବାଧିକ ତାପମାତ୍ରା ୪୦.୬ ଡିଗ୍ରୀ ରହିଥିବା ବେଳେ ସର୍ବନିମ୍ନ ତାପମାତ୍ରା ୨୬.୦ ଡିଗ୍ରୀ ରେକର୍ଡ କରାଯାଇଛି ।

ଜୟପୁରରେ ମଧ୍ୟ ପାଣିପାଗ ବଦଳିଗଲା
ଚୁରୁ ବ୍ୟତୀତ ଶ୍ରୀଗଙ୍ଗାନଗର ଏବଂ ଭରତପୁରରେ ମଧ୍ୟ ପାଣିପାଗ କଡ଼ ଲେଉଟାଇଛି । ସେହିଭଳି ରାଜଧାନୀ ଜୟପୁରରେ ମଧ୍ୟ ପାଗରେ ବଡ଼ ପରିବର୍ତ୍ତନ ଦେଖାଯାଇଛି । ଏଠାରେ ଆକାଶରେ ବାଦଲ ମାଡ଼ି ଆସିବା ପରେ ଖରା ଗାୟବ ହୋଇଯାଇଥିଲା । ଆକାଶରେ ସୂର୍ଯ୍ୟ  ଦେବତା ସମ୍ପୂର୍ଣ୍ଣ ଲୁଚି ଯାଇଥିଲେ । ଏହାସହ ଶୀତଳ ପବନ ବହିବା କାରଣରୁ ଲୋକମାନଙ୍କୁ ତାପମାତ୍ରାରୁ ସାମାନ୍ୟ ଆଶ୍ୱସ୍ତି ମିଳିଥିଲା ।

You might also like