‘Samsung Galaxy note 9’ରେ ତ୍ରୁଟି, ମହିଳାଙ୍କ ପର୍ସ ଭିତରେ ଜଳିଗଲା ଫୋନ୍

ମାସେ ତଳେ ଲଞ୍ଚ୍‌ ହୋଇଥିବା ‘Samsung Galaxy note 9’ ହଠାତ୍ ଜଳିଉଠିଲା

ନୂଆଦିଲ୍ଲୀ: ଗତମାସରେ ଲଞ୍ଚ୍‌ ହୋଇଥିଲା ସାମସଙ୍ଗ୍‌ର Samsung Galaxy note 9 ସ୍ମାର୍ଟ୍‌ ଫୋନ୍‌। 4000mAhର ଦମ୍‌ଦାର୍‌ ବ୍ୟାଟେରୀ ପାୱାର୍‌ ସହିତ ମୋବାଇଲଟି ଖୁବ୍‌ ସୁରକ୍ଷିତ ବୋଲି କମ୍ପାନୀର ସିଇଓ ଡିଜେ କୋହ କହିଥିଲେ। ତେଣୁ ଗ୍ରାହକମାନେ ଏଥିପାଇଁ ବ୍ୟସ୍ତ ହୁଅନ୍ତୁ ନାହିଁ ବୋଲି ସେ ଆଶ୍ୱାସନା ଦେଇଥିଲେ।

କିନ୍ତୁ ଏହାର ମାସକ ପରେ ସାମ୍‌ସଙ୍ଗ୍‌ର ଏହି ଦାମୀ ମୋବାଇଲ୍‌ରେ ଏକ ସାଂଘାତିକ ତ୍ରୁଟି ସାମ୍ନାକୁ ଆସିଛି। ମୋବାଇଲ୍‌ଟି ଲଙ୍ଗ୍‌ ଆଇସ୍‌ଲ୍ୟାଣ୍ଡ୍‌ର ଡାଏନି ଚୁଙ୍ଗ୍‌ ନାମକ ଜଣେ ମହିଳାଙ୍କ ପର୍ସରେ ଥିବା ବେଳେ ହଠାତ୍ ବିସ୍ଫୋରଣ ହୋଇ ଜଳିଯାଇଥିବା ଅଭିଯୋଗ ହୋଇଛି।

ନ୍ୟୁୟର୍କ ଟାଇମ୍‌ସରେ ପ୍ରକାଶିତ ଖବର ଅନୁଯାୟୀ, ଡାଏନି ଚୁଙ୍ଗ୍‌ ଲିଫ୍ଟ୍‌ରେ ଯାଉଥିବା ବେଳେ ହଠାତ୍‌ ତାଙ୍କର ସାମ୍‌ସଙ୍ଗ୍‌ ଗାଲାକ୍ସି ନୋଟ୍‌ ୯ ସ୍ମାର୍ଟ ଫୋନ୍‌ଟି ଗରମ ହୋଇଯାଇଥିଲା। ତେଣୁ ସେ ମୋବାଇଲ୍‌ଟିକୁ ପର୍ସ ଭିତରେ ରଖି ଦେଇଥିଲେ। ସଙ୍ଗେ ସଙ୍ଗେ ମୋବାଇଲ୍‌ଟି ପର୍ସ ଭିତରେ ବିସ୍ଫୋରଣ ହେବା ସହିତ ଜଳିଉଠିଥିଲା।

ଏ ନେଇ ମହିଳା ଜଣକ କ୍ଷତିପୂରଣ ଦାବି ସହିତ ସାମ୍‌ସଙ୍ଗ୍ କମ୍ପାନୀ ବିରୋଧରେ ମାମଲା ରୁଜୁ କରିଛନ୍ତି। ଅନ୍ୟପଟେ ଏପର୍ଯ୍ୟନ୍ତ କୌଣସି ଅଭିଯୋଗ ଆସି ନଥିବା ସାମ୍‌ସଙ୍ଗ୍‌ କମ୍ପାନୀର ଜଣେ ପ୍ରବକ୍ତା କହିଛନ୍ତି।

You might also like