ଗିରଫ ରେସଲର ସୁଶୀଲ କୁମାରଙ୍କ ଜୀବନ ପ୍ରତି ବିପଦ ! ଗ୍ୟାଙ୍ଗଷ୍ଟରଙ୍କ ହିଟ ଲିଷ୍ଟରେ ପହିଲମାନ୍

ନୂଆଦିଲ୍ଲୀ: ରେସଲର ସାଗର ଧନଖର ହତ୍ୟା ମାମଲାରେ ଗିରଫ ଅଲମ୍ପିକ ବିଜେତା ରେସଲର ସୁଶୀଲ କୁମାର ଓ ତାଙ୍କ ସାଥୀ ଅଜୟ ବକ୍କରବାଲାଙ୍କୁ ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ଜେରା କରୁଛି।  ଇତି ମଧ୍ୟରେ ଖବର ମିଳିଛି, ନିଜ ଜନ୍ମଦିନରେ (ବୁଧବାର) ବିଶ୍ୱ ଚାମ୍ପିୟନ ତଥା ରାଷ୍ଟ୍ରମଣ୍ଡଳ ଖେଳରେ ତିନି ତିନିଟି ସ୍ୱର୍ଣ୍ଣ ପଦକ ଜିତିଥିବା ସୁଶୀଳ କ୍ରାଇମ ବ୍ରାଞ୍ଚ କାର୍ଯ୍ୟାଳୟରେ ଭୋ ଭୋ କାନ୍ଦି ପକାଇଥିଲେ। ସବୁବର୍ଷ ପହିଲମାନଙ୍କ ଜନ୍ମଦିନ ଧୂମଧାମରେ ପାଳନ ହେଉଥିଲା। ହେଲେ ଏଥର ସେ ସମ୍ପୂର୍ଣ୍ଣ ଏକା। ଜନ୍ମଦିନରେ କେବଳ ତାଙ୍କ ଭାଇ ମହଜ କିଛି ସମୟ ପାଇଁ ଆସି ତାଙ୍କୁ ଦେଖା କରିଥିଲେ।

ସୂଚନାଥାଉ କି, ହତ୍ୟା ଅଭିଯୋଗରେ ଗିରଫ ସୁଶୀଲ କୁମାରଙ୍କୁ ୬ ଦିନ ପାଇଁ ପୋଲିସ ରିମାଣ୍ଡରେ ନେଇଛି। ସୁଶୀଲ ନିଜେ କହିଛନ୍ତି, ଗତକିଛି ଦିନ ହେବ ସେ ଖାଲି ପୋଲିସଠାରୁ ବଞ୍ଚି ନ ଥିଲେ, ଗ୍ୟାଙ୍ଗଷ୍ଟର ସନ୍ଦୀପ ଓରଫ କାଲା ଜେଠଡିଠାରୁ ମଧ୍ୟ ଲୁଚି ବୁଲୁଥିଲେ। ମିଳିଥିବା ମିଡିଆ ଖବର ଅନୁଯାୟୀ, ସୁଶୀଲଙ୍କ ଜୀବନ ପ୍ରତି ବିପଦ ରହିଛି।

ମେ’ ୪ ତାରିଖ ଛତ୍ରସାଲ ଷ୍ଟାଡିୟମରେ ସୁଶୀଲ ଓ ତାଙ୍କ ସାଥୀ ଯେତେବେଳେ ବିପକ୍ଷ ଲୋକଙ୍କୁ ଆକ୍ରମଣ କରିଥିଲେ, ସେତେବେଳେ ଗ୍ୟାଙ୍ଗଷ୍ଟର କାଲା ଜେଠଡିର ଭଣଜା ସୋନୁ ବି ଥିଲା। ମାରପିଟ ସମୟରେ ସୋନୁ ବି ଗୁରୁତର ହୋଇଥିଲା। ସେଥିପାଇଁ କାଲା ଜେଠଡି ସୁଶୀଲ ଉପରେ ଅସନ୍ତୁଷ୍ଟ ଅଛି ଏବଂ  ତାଙ୍କଠାରୁ ପ୍ରତିଶୋଧ ନେବା ପାଇଁ ଛକି ବସିଛି। ତେବେ କାଲା ଜଠଡୀ ଗ୍ୟାଙ୍ଗ ତାଙ୍କ ଉପରେ ଆକ୍ରମଣ କରିପାରେ ବୋଲି ସୁଶୀଲ ଆଶଙ୍କା କରୁଛନ୍ତି।

ପୋଲିସ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ସୁଶୀଲଙ୍କ ଜନ୍ମଦିନରେ ତାଙ୍କୁ କ୍ରାଇମ ବ୍ରାଞ୍ଚ କାର୍ଯ୍ୟାଳୟରେ ଜେରା କରାଯାଇଥିଲା। ଏହି ସମୟରେ ତାଙ୍କ ଆଖି ତଳକୁ ଥିଲା। ସେଦିନ ସକାଳୁ ସକାଳୁ ସେ ବିଷାଦଗ୍ରସ୍ତ ଦେଖା ଯାଉଥିଲେ। ସେଦିନ ସେ ନା ଠିକ୍‌ ଭାବେ ଖାଇଥିଲେ ନା କଥା ହୋଇଥିଲେ। ଏହି ସମୟରେ ଆସିଥିବା ନିଜ ଭାଇଙ୍କୁ ଦେଖି ସେ ଭାବବିହ୍ୱଳ ହୋଇଯାଇଥିଲେ ଏବଂ କାନ୍ଦି ପକାଇଥିଲେ। କିଛି ସମୟ ପରେ ସେ ନିଜକୁ ସମ୍ଭାଳିଥିଲେ। ହେଲେ ଏହା ପରେ ପରେ ତାଙ୍କୁ କ୍ରାଇମବ୍ରାଞ୍ଚ ଜେରା କରିଥିଲା।

ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସୁଶୀଲ କୁମାର ଅପମାନର ପ୍ରତିଶୋଧ ନେବାପାଇଁ ଗ୍ୟାଙ୍ଗଷ୍ଟାର ଫୌଜକୁ ଏକାଠି କରାଇ ଦେଇଥିଲେ। ମ’ ୪ ତାରିଖ ଗ୍ୟାଙ୍ଗଷ୍ଟର ସୋନୁ, ରବୀନ୍ଦ୍ର ଓ ଅନ୍ୟ କେତେଜଣଙ୍କ ସହ ସୁଶୀଲ କୁମାରଙ୍କର ଏକ ଫ୍ଲାଟକୁ ନେଇ ଝଗଡ଼ା ହୋଇଥିଲା। ସେମାନେ ସୁଶୀଲଙ୍କ କଲରକୁ ଧରି ତାଙ୍କୁ ଧମକଚମକ ବି ଦେଇଥିଲେ।

ଏହି ଅପମାନର ପ୍ରତିଶୋଧ ନେବାପାଇଁ ସୁଶୀଲ ଗ୍ୟାଙ୍ଗଷ୍ଟରଙ୍କ ସହାୟତା ନେଇଥିଲେ। ହରିଆଣାର କିଛି ଗୁଣ୍ଡାଙ୍କୁ ମଧ୍ୟ ଡକାଇଥିଲେ। ସେହିଦିନ ରାତିରେ ସୋନୁଙ୍କ ସମେତ ଅନ୍ୟମାନଙ୍କୁ ନିସ୍ତୁକ ପିଟିଥିଲେ। ଏହି ଘଟଣାରେ ସାଗରଙ୍କୁ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଗୁରୁତର ଭାବେ ସମସ୍ତଙ୍କୁ ଡାକ୍ତରଖାନା ନିଆଯାଇଥିଲା। ହେଲେ ସେଠାରେ ସାଗରଙ୍କର ମୃତ୍ୟୁ ଘଟିଥିଲା।

ପୋଲିସର କହିବା ଅନୁଯାୟୀ, ସୁଶୀଲ ଯେତେବେଳେ ଛତ୍ରସାଲ ଷ୍ଟାଡିୟମ ଆସିଥିଲେ, ତାଙ୍କ ସହ ଅଧିକ ପହିଲମାନ ନ ଥିଲେ। ସେଦିନ ସୋନୁ, ସାଗର ଓ ଅନ୍ୟମାନେ ସୁଶୀଲଙ୍କୁ ଅପମାନିତ କରିବା ସହ ଷ୍ଟାଡିୟମରେ ତାଙ୍କୁ ଚଲାଇଥିଲେ। ସୁଶୀଲ ଏହି ଅପମାନର ପ୍ରତିଶୋଧ ନେବା ପାଇଁ ଲାଗି ପଡ଼ିଥିଲେ। ହରିଆଣାରୁ ଗୁଣ୍ଡାଙ୍କୁ ଡକାଇଥିଲେ। ପ୍ରଥମେ ସେମାନେ ଏକ ସ୍ଥାନରେ ଏକାଠି ହୋଇଥିଲେ । ସେଠାରେ ଖାଇବା, ପିଇବା କରିଥିଲେ। ଏହା ପରେ ୫/୬ଟି କାର ନେଇ ରାତି ପ୍ରାୟ ୧୨ଟାରେ ଶାଲିମର ବାଗରେ ଥିବା ରବୀନ୍ଦ୍ରଙ୍କ ଘରେ ପହଞ୍ଚିଥିଲେ। ରବୀନ୍ଦ୍ର ତାଙ୍କ ଘର ସାମ୍ନାରେ ଛିଡ଼ା ହୋଇ ଆଇସକ୍ରିମ ଖାଉଥିଲେ। ରବୀନ୍ଦ୍ର ଓ ତାଙ୍କ ସାଥୀ ବିକାଶଙ୍କୁ ନିଜ କାର୍‌ରେ ବସାଇ ନେଇ ଆସିଥିଲେ।

ଏହା ପରେ ସମସ୍ତେ ମାଡଲ ଟାଉନସ୍ଥିତ ସୋପୁର ଫ୍ଲାଟକୁ ଯାଇଥିଲେ। ସେଠାରୁ ସୋନୁ, ସାଗର, ଅମିତ ଓ ଭକ୍ତୁଙ୍କୁ କାର୍‌ରେ ବସାଇ ଛତ୍ରସାଲ ଷ୍ଟାଡିୟମକୁ ଆଣିଥିଲେ। ସେତେବେଳକୁ ସମୟ ପ୍ରାୟ ରାତି ଗୋଟାଏ ହେବ। ସେଠାରେ ପାର୍କିଂ ଏରିଆରେ ୬ ଜଣ ପହିଲମାନଙ୍କୁ ଘେରି ଯାଇଥିଲେ ସୁଶୀଲ ଓ ତାଙ୍କର ସାଥୀ। ଲାଠି ଓ ହକି ଷ୍ଟିକ୍‌ରେ ନିସ୍ତୁକ ପିଟିଥିଲେ। ପରେ ଡାକ୍ତରଖାନାରେ ସାଗରଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ଫେରାର ହୋଇ ଯାଇଥିଲେ ସୁଶୀଲ।

୧୮ ଦିନ ପରେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ସୁଶୀଲଙ୍କୁ ରାଜଧାନୀର ମୁଣ୍ଡକା ଇଲାକାରୁ ଗିରଫ କରିଥିଲା।

You might also like