ହାଇଡ୍ରୋକ୍ସିକ୍ଲୋରକ୍ୱିନ୍ ପରୀକ୍ଷଣକୁ ମନା କଲା WHO
ନୂଆଦିଲ୍ଲୀ: ମ୍ୟାଲେରିଆ ଚିକିତ୍ସାରେ ବ୍ୟବହୃତ ହେଉଥିବା ହାଇଡ୍ରୋକ୍ସିକ୍ଲୋରକ୍ୱିନ୍ ଟାବଲେଟ୍ର ପରୀକ୍ଷଣକୁ ମନା କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO)। ସୁରକ୍ଷା ପାଇଁ ଏହାର ଟେଷ୍ଟିଂକୁ ବାରଣ କରାଯାଇଥିବା ସୋମବାର WHOର ନିର୍ଦ୍ଦେଶକ ଟେଡ୍ରସ ଅନ୍ଧନୋମ୍ ଘେବ୍ରିୟେସସ୍ କହିଛନ୍ତି। ସୁରକ୍ଷା ତଥ୍ୟ ସମୀକ୍ଷା କରିବା ପରେ ଅସ୍ଥାୟୀ ଭାବେ ଏହାର ପରୀକ୍ଷଣକୁ ସ୍ଥଗିତ ରଖାଯାଇଛି ବୋଲି ଟେଡ୍ରସ ସୂଚନା ଦେଇଛନ୍ତି।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀକାଳିନ କାର୍ଯ୍ୟକ୍ରମରେ ମୁଖ୍ୟ ମାଇକେ ରେୟାନ୍ ମଧ୍ୟ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ଟାବଲେଟ୍ର ପରୀକ୍ଷଣ ବନ୍ଦ ହେବା ନେଇ ସୂଚନା ଦେଇଛନ୍ତି। ସ୍ୱାସ୍ଥ୍ୟ ସତର୍କତା ଯୋଗୁ ଏପରି ନିଷ୍ପତ୍ତି ନିଆଯାଇଥିବା ସେ କହିଛନ୍ତି।
୧୫ ହଜାର କରୋନା ରୋଗୀଙ୍କୁ ନେଇ ମେଡିକାଲି ଚିକିତ୍ସା ପତ୍ରିକା ଲାନ୍ସେଟ୍ ଏକ ଗବେଷଣା କରିଥିଲା। ଯେଉଁଥିରେ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ଟାବ୍ଲେଟ୍କୁ ନେଇ ଏପରି ତଥ୍ୟ ଆସିଛି। ଗବେଷଣା ଅନୁସାରେ, ଯେଉଁମାନେ ଅଜିଥ୍ରୋମାଇସିନ୍ ସହିତ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ଟାବ୍ଲେଟ୍ ଖାଉଛନ୍ତି ସେମାନଙ୍କ ଠାରେ ହୃଦ୍ସ୍ପନ୍ଦନ ଅସନ୍ତୁଳନ ଜନିତ ସମସ୍ୟା(କାର୍ଡିଆକ୍ ଆରିଥେମିଆ) ହେଉଛି।
ସୋମବାର ସାମ୍ବାଦିକ ସମ୍ମିଳନୀରେ WHO ନିର୍ଦ୍ଦେଶକ ଟେଡ୍ରସ୍ କହିଥିଲେ, ଲାନ୍ସେଟ୍ ଅନୁସାରେ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ବ୍ୟବହାର କରିବା ଦ୍ୱାରା ମୃତ୍ୟୁ ସଂଖ୍ୟା ବଢ଼ିବା ସହିତ ହୃଦ୍ସ୍ପନ୍ଦନ ଅସନ୍ତୁଳନ ଜନିତ ସମସ୍ୟା ଦେଖା ଦେଉଛି। ଏଥିପାଇଁ ଏହି ଟାବ୍ଲେଟ୍ ବ୍ୟବହାରରେ ଅସ୍ଥାୟୀ ଭାବେ ରୋକ୍ ଲଗାଯାଇଛି। ତେବେ ଏ ବିଷୟରେ ଅଧିକ ଗବେଷଣା କରିବାର ରହିଛି ବୋଲି WHO କହିଛି।
ପୂର୍ବରୁ ମଧ୍ୟ ବିଶ୍ୱ ସ୍ୱାସ୍ତ୍ୟ ସଂଗଠନ କରୋନା ମୁକାବିଲା ପାଇଁ ହାଇଡ୍ରୋକ୍ସିକ୍ଲୋରକ୍ୱିନ୍ ବ୍ୟବହାର ବିରୋଧରେ ଥିଲା। କେବଳ ଏହାର କ୍ଲିନିକାଲ୍ ପରୀକ୍ଷଣକୁ ଅନୁମତି ଦେଇଥିଲା।