ସିବିଆଇର ପୂର୍ବତନ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ଇସ୍ତଫା

ନୂଆଦିଲ୍ଲୀ : ଚାକିରିରୁ ସିବିଆଇର ପୂର୍ବତନ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ଇସ୍ତଫା। କେନ୍ଦ୍ର ସରକାରଙ୍କ ଚାକିରିରୁ ଇସ୍ତଫା ଦେଲେ ବର୍ମା। ଗତକାଲି ବର୍ମାଙ୍କୁ ସିବିଆଇ ନିର୍ଦ୍ଦେଶକ ପଦରୁ ହଟାଯାଇଥିଲା।

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ହାଇପାୱାର ସିଲେକ୍ସନ ପ୍ୟାନେଲ ତାଙ୍କୁ ହଟାଇଥିଲ। ଏହାପରେ ବର୍ମାଙ୍କୁ  କେନ୍ଦ୍ର ଗୃହ ମନ୍ତ୍ରାଳୟର ଅଗ୍ନିଶମ, ସିଭିଲ ଡିଫେନ୍ସ ଓ ହୋମ୍ ଗାର୍ଡ ମହାନିର୍ଦ୍ଦେଶକ ପଦରେ ଅବସ୍ଥାପିତ କରାଯାଇଥିଲା। ସିବିଆଇ ନିର୍ଦ୍ଦେଶକ ପଦରୁ ହଟାଯିବା ପରେ ଆଲୋକ ବର୍ମା କହିଥିଲେ, ମିଥ୍ୟା ଓ ପ୍ରମାଣିତ ହୋଇନଥିବା ଏକ ସାମାନ୍ୟ ଅଭିଯୋଗ ଆଧାରରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।  ଯିଏ ତାଙ୍କ ପ୍ରତି ଦ୍ୱେଷ ରଖିଥିଲେ, ସେହି ବ୍ୟକ୍ତିଙ୍କ ମିଛ ଅଭିଯୋଗକୁ ନେଇ ତାଙ୍କୁ ପଦରୁ ହଟାଯାଇଛି।

ପରେ ଗତ ୮ ତାରିଖରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସେ ସିବିଆଇ ନିର୍ଦ୍ଦେଶକ ପଦରେ ପୁନଃଅବସ୍ଥାପିତ ହୋଇଥିଲେ। ହାଇଦ୍ରାବାଦ୍‌ର ଜଣେ ବ୍ୟବସାୟୀଙ୍କ ଠାରୁ ସିବିଆଇ ଯୁଗ୍ମ ନିର୍ଦ୍ଦେଶକ ଅସ୍ଥାନା ଲାଞ୍ଚ ନେଇଥିବା ଆଲୋକ ବର୍ମା ଅଭିଯୋଗ ଆଣିଥିବା ବେଳେ ଅସ୍ଥାନା, ବର୍ମାଙ୍କ ବିରୁଦ୍ଧରେ ପାଲଟା ଅଭିଯୋଗ ଆଣିଥିଲେ।

ଏହାକୁ ନେଇ ବିବାଦ ଚରମସୀମାରେ ପହଞ୍ଚିବା ପରେ ସିଭିସିଙ୍କ ପରାମର୍ଶ ପରେ ସରକାର ଉଭୟ ଅଧିକାରୀଙ୍କୁ ବାଧ୍ୟତାମୂଳକ ଛୁଟିରେ ପଠାଇଥିଲେ। ତେବେ ଏହାକୁ ଚ୍ୟାଲେଞ୍ଜ କରି ବର୍ମା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

You might also like