ଉପମୁଖ୍ୟମନ୍ତ୍ରୀ ପଦରୁ ବିଦା ହେବା ପରେ କ’ଣ ହେବ ସଚିନ୍ ପାଇଲଟ୍‌ଙ୍କ ପରବର୍ତ୍ତୀ ପଦକ୍ଷେପ?

ଜୟପୁର: ଉପମୁଖ୍ୟମନ୍ତ୍ରୀ ଓ ରାଜସ୍ଥାନ କଂଗ୍ରେସ ମୁଖ୍ୟ ପଦରୁ ବିଦା ହେବା ପରେ କଣ ହେବ ସଚିନ୍ ପାଇଲଟ୍‌ଙ୍କ ପରବର୍ତ୍ତୀ ପଦକ୍ଷେପ? ଏହି କଳ୍ପନାଜଳ୍ପନା  ଭିତରେ ଆଜି ପାଇଲଟ ସ୍ପଷ୍ଟ କରିଛନ୍ତି ଯେ, ସେ ବିଜେପିରେ ଯୋଗ ଦେଉନାହାନ୍ତି। ଯଦିଓ ଆଜି ସାମ୍ବାଦିକ ସମ୍ମିଳନୀରେ ଏନେଇ ଅଧିକ ଖୁଲାସା କରିବାର ଥିଲା, କିନ୍ତୁ ଶେଷ ମୂହୁର୍ତ୍ତରେ ତାହା ବାତିଲ ହୋଇଥିଲା। ପାଇଲଟ ଓ ତାଙ୍କ ସମର୍ଥକ ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା ପ୍ରକ୍ରିୟା ଆରମ୍ଭ କରିବାକୁ ଯାଇ ନୋଟିସ ଜାରି କରିଛନ୍ତି ବାଚସ୍ପତି। ଏସବୁ ଭିତରେ ବିଜେପି ପରିସ୍ଥିତି ଉପରେ ନଜର ରଖିଥିବା କହିଛି।

ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ଓ କଂଗ୍ରେସ ମୁଖ୍ୟ ପଦରୁ ବିଦା ହେବା ପରଦିନ ହିଁ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ସଚିନ ପାଇଲଟ। ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖି କହିଛନ୍ତି, ଯେ ସେ ଏବେବି କଂଗ୍ରେସ ସଦସ୍ୟ ଅଛନ୍ତି, ବିଜେପିରେ ଯୋଗ ଦେବାର କୌଣସି ଯୋଜନା ନାହିଁ। ଗାନ୍ଧି ପରିବାର ଦୃଷ୍ଟିରେ ବଦନାମ କରିବା ପାଇଁ ମୋତେ ବିଜେପି ସହ ଲିଙ୍କ କରାଯାଉଛି। ଆଜି ସାମ୍ବାଦିକ ସମ୍ମିଳନୀରେ ପାଇଲଟ ନିଜ ରଣନୀତି ଏବଂ ପରବର୍ତ୍ତୀ ପଦକ୍ଷେପ ନେଇ ଅଧିକ ଖୁଲାସା କରିବେ ବୋଲି ଆଶା କରାଯାଉଥିଲା କିନ୍ତୁ ଶେଷ ମୂହୁର୍ତ୍ତରେ ଏହାକୁ ବାତିଲ କରି ପାଇଲଟ ସମ୍ପୂର୍ଣ୍ଣ ଭାବେ ନିଜ କାର୍ଡ ଖୋଲିନାହାନ୍ତି।

ଅନ୍ୟପଟେ ସଚିନଙ୍କ ପାଇଁ କଂଗ୍ରେସର ଦ୍ୱାର ଏବେବି ଖୋଲା ରହିଛି ବୋଲି ଦଳ ପକ୍ଷରୁ କୁହାଯାଇଛି। ତେବେ ସଚିନ ଦଳୀୟ ଅନୁଶାସନ ଭଙ୍ଗ କରିଥିବାରୁ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନକୁ ଯଥାର୍ଥ ବୋଲି କହିଛନ୍ତି ଦଳର ବରିଷ୍ଠ ନେତା।

ଏପଟେ ସଚିନ ଓ ତାଙ୍କ ସମର୍ଥିତ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ବିଧାନସଭା ବାଚସ୍ପତି ସମସ୍ତ ବିଦ୍ରୋହୀ ବିଧାୟକଙ୍କୁ ନୋଟିସ ଜାରି କରିଛନ୍ତି। ଦଳ ପକ୍ଷରୁ ହ୍ୱିପ ସତ୍ତ୍ୱେ ଦୁଇ ଦୁଇଟି ବିଧାୟକ ଦଳ ବୈଠକରେ ଯୋଗ ଦେଇନାହାନ୍ତି। ତେଣୁ କାହିଁକି ଆପଣଙ୍କୁ ଅଯୋଗ୍ୟ ଘୋଷଣା କରାଯିବ ନାହିଁ, ଶୁକ୍ରବାର ସୁଦ୍ଧା ଜବାବ ଦାଖଲ କରିବାକୁ ନୋଟିସରେ ଉଲ୍ଲେଖ ରହିଛି। ବିଦ୍ରୋହୀ ବିଧାୟକମାନେ ଦିଲ୍ଲୀରେ ଡେରା ପକାଇଥିବାରୁ ସେମାନଙ୍କ ବାସଭବନରେ ଏହି ନୋଟିସ ଲଗାଇ ଦିଆଯାଇଛି। ବିଦ୍ରୋହୀଙ୍କୁ ଅଯୋଗ୍ୟ ଘୋଷଣା କରି କଂଗ୍ରେସ ଆବଶ୍ୟକ ମ୍ୟାଜିକ ନମ୍ବର ହ୍ରାସ କରିବା ଲକ୍ଷ୍ୟରେ ରହିଛି। ବିଦ୍ରୋହୀ ବିଧାୟକ ଅଯୋଗ୍ୟ ଘୋଷଣା ହେଲେ ଫ୍ଲୋର ଟେଷ୍ଟ ସ୍ଥିତି ଉପୁଜିଲେ କଂଗ୍ରେସ ଆରାମରେ ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେଇପାରିବ ବୋଲି କୁହାଯାଉଛି।

ଏପଟେ ପରିସ୍ଥିତି ଉପରେ ନଜର ରଖିଛି ବିଜେପି। ଆଜି ବିରୋଧୀ ଦଳ ନେତା ଗୁଲାବ ଚନ୍ଦ କଟାରିାଅ ଏନେଇ ଦଳର ବରିଷ୍ଠ ନେତାଙ୍କ ସହ ଆଲୋଚନା କରିଛନ୍ତି।

ଆଜି ପୁଣି ଥରେ ସଚିନ ପାଇଲଟଙ୍କୁ ଟାର୍ଗେଟ କରିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ। ସେ କହିଛନ୍ତି ଦଳ ସବୁବେଳେ ନୂଆ ପିଢ଼ୀ ସପକ୍ଷରେ ଓ ସମର୍ଥନରେ ରହିଆସିଛି।  କିନ୍ତୁ କିଛି ଏହାକୁ ବୁଝିପାରିନାହାନ୍ତି ସଚିନଙ୍କ ନାମ ନନେଇ ସେ କହିଛନ୍ତି ଭଲ ଇଂଲିଶ କହିବା, ହ୍ୟାଣ୍ଡସମ ଦିଶିବା ସବୁ କିଛି ନୁହେଁ, ଦେଶ ପ୍ରତି ଓ ଦଳ ପ୍ରତି ଆପଣଙ୍କ ପ୍ରତିବଦ୍ଧତା କେତେ, ନୀତି ଓ ଆଦର୍ଶ କଣ ରହିଛି ତାହା ହିଁ ଦେଖାଯିବ ଉଚିତ ବୋଲି ଗେହଲଟ କହିଛନ୍ତି।

You might also like