ରାଜକ୍ଷମା ଆବେଦନ କଲେ ସବନମ୍, ବଞ୍ଚିବା ପାଇଁ ଏବେ ଆଉ ୨ଟି ରାସ୍ତା !
ଲକ୍ଷ୍ନୌ: ୭ ଜଣଙ୍କୁ ହତ୍ୟା ମାମଲାର ଦୋଷୀ ଉତ୍ତର ପ୍ରଦେଶ ଆମରୋହର ସବନମ୍ ରାଜକ୍ଷମା ଆବେଦନ କରିଛନ୍ତି। ଉତ୍ତରପ୍ରଦେଶ ରାଜ୍ୟପାଳଙ୍କ ପାଖରେ ସବନମ୍ କ୍ଷମା ପ୍ରାର୍ଥନା କରିଛନ୍ତି। ରାଜ୍ୟପାଳ ଆନନ୍ଦୀବେନ୍ ପଟେଲଙ୍କ ପାଖରେ କ୍ଷମା ଆବେଦନ କରିଛନ୍ତି। ପୂର୍ବରୁ ରାଷ୍ଟ୍ରପତିଙ୍କ ପାଖରେ ରାଜକ୍ଷମା ଆବେଦନ ଖାରଜ ହୋଇଛି। ସବନମ୍ଙ୍କ ଡେଥ୍ ୱାରେଣ୍ଟ ଜାରି ହୋଇଥିବା ବେଳେ ସେ ପୁଣି ଥରେ ଏହାକୁ ଘୁଞ୍ଚାଇବା ଆବେଦନ କରିଛନ୍ତି।
ବହୁଚର୍ଚ୍ଚିତ ଅମ୍ରୋହା ହତ୍ୟାକାଣ୍ଡର ଦୋଷୀଙ୍କୁ ଚରମ ଶାସ୍ତି। ୧୦ ମାସର ଜଣେ ଶିଶୁ ସମେତ ପରିବାରର ୭ଜଣଙ୍କୁ ହତ୍ୟା ଅଭିଯୋଗରେ ଖୁବ୍ଶୀଘ୍ର ପ୍ରେମୀଯୁଗଳ ସବ୍ନମ୍ ଓ ସଲିମ୍ ଫାଶିଖୁଣ୍ଟରେ ଝୁଲିପାରନ୍ତି। ଉତ୍ତରପ୍ରଦେଶ ରାମପୁର ଜେଲ୍ରେ ଥିବା ସବ୍ନମ୍ଙ୍କ ନାଁରେ ଡେଥ୍ ଓ୍ୱାରେଣ୍ଟ୍ ଜାରି ହୋଇସାରିଛି। ମୃତ୍ୟୁ ଦଣ୍ଡାଦେଶ ପାଇଥିବା ସଲିମ୍ ଏବେ ଆଗ୍ରା ଜେଲ୍ରେ ଅଛନ୍ତି। ଉଭୟଙ୍କ କ୍ଷମା ଆବେଦନକୁ ବି ରାଷ୍ଟ୍ରପତି ଖାରଜ କରିଦେଇଛନ୍ତି। ଏହାପରେ ସବନମ୍ଙ୍କ ପରିବାର ଲୋକେ ଖୁସି ପ୍ରକାଶ କରିଛନ୍ତି। ହେଲେ ନିଜ ମାଆର ଏଭଳି ପରିଣତି କଥା ଶୁଣି ସବ୍ନମ୍ଙ୍କ ପୁଅ ବାହୁନି ବାହୁନି କାନ୍ଦୁଛି। ବିନତି କରୁଛି, ମାଆକୁ କ୍ଷମା କରିଦିଆଯାଉ। ସବ୍ନମ୍ ଓ ସଲିମ୍ଙ୍କ ସନ୍ତାନ ଜେଲ୍ରେ ହିଁ ଜନ୍ମ ନେଇଥିବା ବେଳେ, ତାକୁ ବୁଲନ୍ଦ ସହରର ଏକ ଦଂପତି ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତି।
୧୩ ବର୍ଷ ତଳର ସେହି ଲୋମହର୍ଷକ ହତ୍ୟାକାଣ୍ଡ ଆଜିବି ଶୁଣିଲେ ଦେହ ଶୀତେଇ ଉଠିବ। ଅମ୍ରୋହା ବାଓ୍ୱନଖେଡି ଗାଁର ୨୫ ବର୍ଷୀୟା ଉଚ୍ଚଶିକ୍ଷିତା ସବ୍ନମ୍ ଅଲି ଓ ତାଙ୍କ ଘର ଆଗ କାଠ ମିଲ୍ରେ ଦିନ ମଜୁରିଆ ଭାବେ କାମ କରୁଥିବା ସଲିମ୍ଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢିଉଠିଥିଲା। ସବ୍ନମ୍ ଇଂରାଜୀ ଓ ଭୂଗୋଳରେ ଡବଲ୍ MA କରି ଗାଁ ସ୍କୁଲରେ ଶିକ୍ଷୟିତ୍ରୀ ଥିବା ବେଳେ, ସଲିମ୍ ଷଷ୍ଠ ଶ୍ରେଣୀ ଯାଏଁ ପଢ଼ିଥିଲେ। ଜାତି ଓ ସାମାଜିକ ପାର୍ଥକ୍ୟ ଯୋଗୁଁ ଉଭୟଙ୍କ ପ୍ରେମକୁ ସବନମ୍ଙ୍କ ପରିବାର ବିରୋଧ କରିଥିଲେ। ଏଭିତରେ ସବ୍ନମ୍ ୭ମାସର ଗର୍ଭବତୀ ହୋଇସାରିଥିଲେ। ଶେଷରେ ପ୍ରେମକୁ ସଫଳ କରିବାକୁ ଯାଇ, ଏପ୍ରିଲ୍ ୧୪-୧୫ ରାତିରେ ରକ୍ତର ହୋଲି ଖେଳିଥିଲେ ସବ୍ନମ୍ ଓ ସଲିମ୍।
ସବ୍ନମ୍ ପ୍ରଥମେ ନିଜ ବାପା, ମାଆ, ୨ ଭାଇ, ଭାଉଜ, ସଂପର୍କୀୟ ଭଉଣୀ ଓ ୧୦ ମାସର ପୁତୁରାକୁ କ୍ଷୀରରେ ନିଶା ଦେଇଥିଲେ। ସେମାନେ ଚେତା ହରାଇବା ପରେ ଜଣ ଜଣ କରି ୭ ଜଣଙ୍କ ତଣ୍ଟି କାଟିଦେଇଥିଲେ। ୨୦୧୦ରେ ଆହ୍ଲାବାଦ କୋର୍ଟରେ ସେମାନଙ୍କୁ ମୃତ୍ୟୁ ଦଣ୍ଡାଦେଶ ହୋଇଥିଲା। ୨୦୧୫ରେ ସୁପ୍ରିମକୋର୍ଟ ଏହି ରାୟକୁ କାଏମ ରଖିଥିଲେ। ତେବେ ଉଭୟଙ୍କ ପାଖରେ କେବଳ ସୁପ୍ରିମକୋର୍ଟରେ ଆବେଦନର ଜୁଡିସିଆଲ୍ ରିଭ୍ୟୁ ଓ କ୍ୟୁରେଟିଭ୍ ପିଟିସନ୍ ଭଳି ୨ଟି ରାସ୍ତା ବଞ୍ଚିଥିବା କୁହାଯାଉଛି।
ସବ୍ନମ୍ ଓ ସଲିମ୍ଙ୍କୁ ଫାଶି ମିଳିବା ଏକପ୍ରକାର ନିଶ୍ଚିତ ହୋଇସାରିଥିବା ବେଳେ, ମଥୁରା ଜେଲ୍ ପକ୍ଷରୁ ୨ଟି ଫାଶି ଦଉଡ଼ି ପାଇଁ ବକ୍ସର୍ ସେଣ୍ଟ୍ରାଲ୍ ଜେଲ୍କୁ ବରାଦ ଦିଆସରିଲାଣି। ନିର୍ଭୟା ଦୋଷୀଙ୍କୁ ଫାଶିରେ ଝୁଲାଇଥିବା ପବନ ଜହ୍ଲାଦ୍ ଆଗ୍ରା ଜେଲ୍କୁ ଯାଇ ସ୍ଥିତି ପରଖିଛନ୍ତି ଓ କିଛି ସୁଧାର ପାଇଁ ପରାମର୍ଶ ଦେଇଛନ୍ତି। କେବଳ ମଥୁରା ଜେଲ୍ରେ ହିଁ ମହିଳାଙ୍କୁ ଫାଶି ଦେବାର ବ୍ୟବସ୍ଥା ରହିଛି। ସବ୍ନମ୍ଙ୍କୁ ଫାଶି ହେଲେ, ଏହା ସ୍ୱାଧୀନ ଭାରତରେ ପ୍ରଥମ ମହିଳାଙ୍କୁ ଫାଶି ଘଟଣା ହେବ। ୪ ପିଢ଼ି ଧରି ଫାଶି ଦେଉଥିବା ପବନ ଜହ୍ଲାଦ, ଏହି ପରଂପରାକୁ ଆଗକୁ ବଢାଇବାକୁ, ସବ୍ନମ୍କୁ ଫାଶି ଦେବା ବେଳେ, ନିଜ ୨୦ ବର୍ଷୀୟ ପୁଅକୁ ସାଥିରେ ନେବାକୁ ଇଚ୍ଛୁକ ଅଛନ୍ତି।