ଅପରେସନ୍ ବାଗ୍‌ଦାଦିର ଅସଲି ହିରୋ ‘ଓ୍ୱାଣ୍ଡରଫୁଲ୍ ଡଗ୍’

ୱାଶିଂଟନ୍‌:ସାମ୍ନାକୁ ଆସିଲା ଆମେରିକା ସେନାର ଘାତକ ଅପରେସନ୍ ‘କାଇଲା ମୁଲର୍’ ର ଅସଲି ହିରୋ । ଇଏ ସେହି ଲଢୁଆ ଡଗ୍ ସ୍କାଡର ସଦସ୍ୟ ଯିଏ ଆତଙ୍କବାଦୀ ସଂଗଠନ ISIS ମୁଖ୍ୟ ଅବୁ ବକର ଅଲ୍ ବାଗ୍‌ଦାଦି ନିପାତର ଶ୍ରେୟ ମୁଣ୍ଡାଇଛି।  ଏବେ ଚର୍ଚ୍ଚାରେ ଥିବା ଆମେରିକା ସେନାର ଏହି ଲଢୁଆ କୁକୁରର ଫଟୋ ଟ୍ୱିଟରରେ ସେୟାର କରି ଓ୍ୱାଣ୍ଡରଫୁଲ୍ ଡଗ୍ ବୋଲି ଉଲ୍ଲେଖ କରିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ।

ଆତଙ୍କବାଦୀଙ୍କ ଆଡ୍ଡାରୁ  ବାଗ୍‌ଦାଦିକୁ ନିପାତ ପାଇଁ ୟୁଏସ୍ ଆର୍ମୀ ଆରମ୍ଭ କରିଥିଲା ଅପରେସନ୍ କାଇଲା ମୁଲର୍। ଯେଉଁଥିରେ ସାମିଲ ହୋଇଥିଲା ଏହି ଲଢୁଆ ସନ୍ଧାନୀ କୁକୁର । ଆମେରିକା ସେନାର ଘାତକ ଅପରେସନରୁ ବର୍ତ୍ତିବା ପାଇଁ ବାଗଦାଦି ଏକ ସୁଡ଼ଙ୍ଗ ଭିତରେ ଲୁଚିଯାଇଥିଲା ।

ଏହି ସମୟରେ ତାକୁ ସେନାର ଗୋଟିଏ କୁକୁର ଗୋଡ଼ାଇ ଥିଲା। କୁକୁରକୁ ଦେଖିବା ପରେ ସେ କାନ୍ଦି କାନ୍ଦି ଦୌଡ଼ି ଥିଲା। ଶେଷରେ କୁକୁର ଭୟରେ ସେ ନିଜକୁ ବିସ୍ଫୋରଣ କରି ଉଡ଼ାଇ ଦେଇଥିଲା। ଏଥିରେ ସାହାସୀ କୁକୁରଟି ସାମାନ୍ୟ ଆହତ ହୋଇଥିଲା।

କୁକୁରଟି ବେଲଜିଆନ୍‌ ମାଲିନୋଇଜ୍ ପ୍ରଜାତିର। ସେ ଆମେରିକାର ସ୍ପେଶାଲ ଫୋର୍ସ ସହ କାମ କରୁଥିଲା। ସେ ହିଁ ବାଗଦାଦିର ଅପରେସନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା।

ଟ୍ରମ୍ପ ଟ୍ୱିଟ କରି କହିଛନ୍ତି, “ଆମେ ସାହାସୀ ଓ ସୁନ୍ଦର କୁକୁରର ଫଟୋକୁ ସାର୍ବଜନୀନ କରୁଛୁ। ତା’ ନାଁ ସାର୍ବଜନୀନ କରାଯିବ ନାହିଁ। ଏହି କୁକୁରଟି ହିଁ ଆଇଏସଆଇଏ ମୁଖ୍ୟ ବାଗଦାଦିକୁ ଠାବ କରିବା ଓ ହତ୍ୟା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଆମେ ଏଥିପାଇଁ ଗର୍ବିତ।”

୩ ସେନା ବାହିନୀର ମୁଖ୍ୟ ଜେନେରାଲ ମାର୍କ ମିଲ୍ଲେ କହିଛନ୍ତି, “ଏହି ଜନ୍ତୁଟି ବେଶ ଚମତ୍କାର କାମ କରିଛି। ଅପରେସନ ବେଳେ ସେ ସାମାନ୍ୟ ଆହତ ହୋଇଥିଲା। ଏବେ କିନ୍ତୁ ସେ ଭଲ ଅଛି। ସୁସ୍ଥ ହେବା ପରେ ସେ ତା’ର ହ୍ୟାଣ୍ଡଲର ସହ ଏକ ଗୁପ୍ତ ସ୍ଥାନରେ ଟ୍ରେନିଂ ମଧ୍ୟ ଆରମ୍ଭ କରିଛି। ବର୍ତ୍ତମାନ ସ୍ଥିତିରେ ଆମେ କୁକୁରଟିର ନାଁ ଏବଂ ତା’ର ସ୍ଥାନ ସାର୍ବଜନୀନ କରିବୁ ନାହିଁ।”

 

You might also like