ମଙ୍ଗଳ ଗ୍ରହରେ ୨୧ ଫୁଟ୍‌ ଚାଲିଲା ରୋଭର, ଭିଡିଓ ଜାରି କଲା NASA

ୱାଶିଂଟନ୍‌: ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା NASA(National Aeronautics and Space Administration) ଦ୍ୱାରା ମଙ୍ଗଳ ଗ୍ରହକୁ ପଠାଯାଇଥିବା ‘ପର୍ସିଭିରନ୍ସ ରୋଭର’ ଗୁରୁବାର ପ୍ରଥମ ଥର ଲ୍ୟାଣ୍ଡିଂ କରିଥିବା ସ୍ଥାନରୁ ସଫଳତାର ସହ ଆଗକୁ ବଢ଼ିଛି। ଏନେଇ ଶୁକ୍ରବାର ନାସା ପକ୍ଷରୁ କୁହାଯାଇଛି ଯେ, ରୋଭର ଏହାର ଅଭିଯାନର ପ୍ରଥମ ପର୍ଯ୍ୟାୟ ସଫଳତାର ସହ ସମାପ୍ତ କରିଛି।  ୩୩ ମିନିଟ୍‌ରେ ରୋଭର ୬.୫ ମିଟର ଅର୍ଥାତ୍‌ ୨୧.୩ ଫୁଟ ଚାଲିଥିଲା।

NASAର କହିବା ଅନୁସାରେ, ରୋଭର ୪ ମିଟର ଆଗକୁ ବଢ଼ିଥିଲା। ଏହାପରେ ସେଠାରୁ ବାମ ଦିଗକୁ ଯାଇ ପୁଣି ୨.୫ ମିଟର ପଛକୁ ଆସିଥିଲା। ଏହି ସମୟରେ ମଙ୍ଗଳ ପୃଷ୍ଠ ଚଟାଣରେ ରୋଭରର ଚକର ଚିହ୍ନ ଥିବା ଦେଖିବାକୁ ମିଳିଛି। ନାସା ଏହାର ଭିଡିଓ ଜାରି କରିଛି।

କାଲିଫର୍ଣ୍ଣିଆର ପାସାଡେନାରେ ନାସାର ଜେଟ୍‌ Propulsion Laboratoryରେ ‘ପର୍ସିଭିରନ୍ସ ରୋଭର’ର ଗତିବିଧିକୁ ଅନୁଧ୍ୟାନ କରୁଥିବା ଇଞ୍ଜିନିୟର ଅନିସ୍‌ ଜରୀରିଫିୟନ କହିଛନ୍ତି, ‘ପରୀକ୍ଷଣ ଅଭିଯାନ ବହୁତ ଭଲ ଥିଲା। ମିଶନକୁ ସଫଳ କରିଥିବା ଟିମ୍‌ ପାଇଁ ଏହା ଏକ ବଡ଼ ମାଇଲ୍‌ଖୁଣ୍ଟ ସାବ୍ୟସ୍ତ ହୋଇଛି। ଖୁବ୍‌ ଶୀଘ୍ର ଆମେ ଏକ ଲମ୍ବା ଯାତ୍ରା ଆରମ୍ଭ କରିବାକୁ ଯାଉଛୁ। ଏହାତ କେବଳ ଆରମ୍ଭ ମାତ୍ର।’

ସୂଚନାଥାଉ କି, ଏହା ପୂର୍ବରୁ ଲୋହିତ ଗ୍ରହ ମଙ୍ଗଳ ପୃଷ୍ଠରେ ନାସା ଦ୍ୱାରା ପ୍ରେରିତ ‘ପର୍ସିଭିରନ୍ସ ରୋଭର’ ଅବତରଣ ବେଳର ଶବ୍ଦ ସଂଗ୍ରହ କରିଥିଲା। ରିଲିଜ୍ ହୋଇଥିବା ଏହି ଅଡିଓ କ୍ଲିପ୍‌ରେ ମଙ୍ଗଳ ପୃଷ୍ଠରେ ରୋଭର ଅବତରଣ କରୁଥିବା ବେଳର ଶବ୍ଦ ରହିଛି

ଫେବୃଆରୀ ୧୮ ରାତି ୨ଟା ୨୫ ମିନିଟରେ ନାସାର ‘ପର୍ସିଭିରନ୍ସ ରୋଭର’ ମଙ୍ଗଳ ଗ୍ରହରେ ସଫଳତାର ସହ ଅବତରଣ କରିଥିଲା। ୭ ମାସ ପରେ ଏହି ରୋଭର ମଙ୍ଗଳ ଗ୍ରହରେ ଅବତରଣ କରିଥିଲା।

You might also like