କରୋନାରେ ସଂକ୍ରମିତ ହେଲେ ରୋବର୍ଟ ଭଦ୍ରା

ଆସାମ ଗସ୍ତ ବାତିଲ କଲେ ପ୍ରିୟଙ୍କା

ନୂଆଦିଲ୍ଲୀ: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସ୍ୱାମୀ ରୋବର୍ଟ ଭଦ୍ରା କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ରୋବର୍ଟ ଭଦ୍ରା କରୋନାରେ ସଂକ୍ରମିତ ହେବା ପରେ ପ୍ରିୟଙ୍କା ନିଜର ଆସାମ ଗସ୍ତକୁ ରଦ୍ଦ କରିଥିବା ନେଇ ସୂଚନା ମିଳିଛି। କେବଳ ଏତିକି ନୁହେଁ ପ୍ରିୟଙ୍କା ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି। ସେହି ଭିଡ଼ିଓରେ ସେ କହିଛନ୍ତି ଯେ, ସ୍ୱାମୀ କରୋନାରେ ଆକ୍ରାନ୍ତ ହୋଇଥିବାରୁ ମୁଁ ମୋର ଆସାମ ଗସ୍ତକୁ ରଦ୍ଦ କରିଛି। ଏହାସହ ମୋର ମଧ୍ୟ କରୋନା ଟେଷ୍ଟ୍‌ ହୋଇଛି ଓ ରିପୋର୍ଟ ନେଗେଟିଭ୍‌ ବାହାରିଥିବା ପ୍ରୟଙ୍କା କହିଛନ୍ତି। ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଡାକ୍ତରଙ୍କ ପରାମର୍ଶ କ୍ରମେ ମୁଁ ବର୍ତ୍ତମାନ ସମୟରେ ସଂଗରୋଧରେ ରହିଛି। ତେଣୁ ନିର୍ବାଚନ ପ୍ରଚାର କରିବା ବର୍ତ୍ତମାନ ସମୟରେ ସମ୍ଭବ ନୁହେଁ। ତେଣୁ ଆସାମରେ ପ୍ରଚାର କରିବା ସମ୍ଭବ ନୁହେଁ ବୋଲି ପ୍ରିୟଙ୍କା କହିଛନ୍ତି। ତେବେ ପୂର୍ବ କାର୍ଯ୍ୟସୂଚୀ ଅନୁସାରେ ପ୍ରିୟଙ୍କା ଆସାମ ଯିବା ସହ ତାମିଲନାଡ଼ୁ ଯାଇ ପ୍ରଚାର କରିବାର କାର୍ଯ୍ୟକ୍ରମ ଥିଲା।

ଆସାମରେ ବିଧାନସଭା ନିର୍ବାଚନ ହେଉଥିବାରୁ ଆଜି ସାଧାରଣ ରାଲି କରିବା ସହ ଭୋଟରଙ୍କୁ ସମ୍ବୋଧନ କରିଥାଆନ୍ତେ ପ୍ରିୟଙ୍କା। କିନ୍ତୁ ଏହାକୁ ବି ବନ୍ଦ କରିଦିଆଯାଇଛି। ଏହାସହ ରୋବର୍ଟ ନିଜ ଫେସବୁକରେ ଲେଖିଛନ୍ତି ଯେ, ଦୁର୍ଭାଗ୍ୟବଶତଃ ମୁଁ କରୋନା ସଂକ୍ରମିତଙ୍କ ସଂର୍ପକରେ ଆସି କରୋନା ସଂକ୍ରମିତ ହୋଇଛି। ତେଣୁ ମୁଁ ବର୍ତ୍ତମାନ ସମୟରେ ସଂଗରୋଧ କେନ୍ଦ୍ରରେ ରହିଛି। କେବଳ ମୁଁ ନୁହେଁ ବରଂ ମୋର ପତ୍ନୀ ପ୍ରିୟଙ୍କା ମଧ୍ୟ ସଂଗରୋଧରେ ଥିବା ରୋବର୍ଟ କହିଛନ୍ତି।

ମୋଟ୍‌ ଉପରେ କହିବାକୁ ଗଲେ ଦେଶରେ ପୁଣି ଥରେ ଭୟଙ୍କର ରୂପ ଧାରଣ କଲାଣି କରୋନା। ଲଗାତାର ଭାବରେ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଦେଶରେ ଦିନକୁ ଦିନ ବେକାବୁ ହେଉଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୮୧ ହଜାର ୪୬୬ ପଜିଟିଭ । ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୨୩ ଲକ୍ଷ ୩ ହଜାର ୧୩୧କୁ ବୃଦ୍ଧି ପାଇଛି । ସେହିଭଳି ଦେଶରେ ୨୪ ଘଣ୍ଟା ମଧ୍ୟରେ ୪୬୯ ଜଣଙ୍କ ମୃତ୍ୟୁ ଘଟିଛି। ଦେଶରେ  ମୋଟ କରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୩ ହଜାର ୩୯୬ରେ ପହଞ୍ଚିଛି । ଦେଶରେ  ବର୍ତ୍ତମାନ ସୁଦ୍ଧା ୧,୧୫,୨୫,୦୩୯ କରୋନା ମୁକ୍ତ ହୋଇଥିବାବେଳେ ଏବେ ଆକ୍ଟିଭ କେସ୍ ରହିଛି ୬ ଲକ୍ଷ ୧୪ ହଜାର ୬୯୬। ସାରା ଦେଶରେ ଏବେ ୪୫ବର୍ଷରୁ ଅଧିକ ବୟସ୍କଙ୍କୁ କୋଭିଡ୍ ଟିକା ଦିଆଯାଉଛି । ଏଯାଏଁ ୬ କୋଟି ୮୭ ଲକ୍ଷ ୮୯ ହଜାର ୧୩୮ ଜଣଙ୍କୁ ଟିକା ଦିଆ ଯାଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି।

You might also like