ବିଗୁଡ଼ୁଛି ଲାଲୁଙ୍କ ସ୍ୱାସ୍ଥ୍ୟାବସ୍ଥା, ଏୟାର ଆମ୍ବୁଲାନ୍ସରେ ଅଣାଗଲା ଦିଲ୍ଲୀ

ନୂଆଦିଲ୍ଲୀ: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଛି। ଶନିବାର ସନ୍ଧ୍ୟାରେ ତାଙ୍କୁ ଦିଲ୍ଲୀ ସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ଆର୍‌ଜେଡି ମୁଖ୍ୟ ଲାଲୁ ଯାଦବଙ୍କୁ ହସ୍ପିଟାଲ୍‌ର Cardiac Intensive Care Unit (CICU)ରେ ରଖାଯାଇଛି। କାର୍ଡିଓଲୋଜି ଡିପାର୍ଟମେଣ୍ଟର ପ୍ରଫେସର ରାକେଶ ଯାଦବଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଟିମ୍‌ଙ୍କ ତତ୍ତ୍ୱାବଧାନରେ ତାଙ୍କୁ ରଖାଯାଇଛି।

ଗୋ ଖାଦ୍ୟ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍‌ରେ ଥିବାବେଳେ ଅସୁସ୍ଥ ହୋଇ ପଡ଼ିଥିଲେ ଲାଲୁ ଯାଦବ। ଏହାପରେ ତାଙ୍କୁ ରାଞ୍ଚି ସ୍ଥିତ Rajendra Institute of Medical Sciences (RIMS) ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଆହୁରି ବିଗିଡ଼ି ଯାଇଥିଲା। ଏହାପରେ ତାଙ୍କୁ ଏୟାର୍‌ ଆମ୍ବୁଲାନ୍ସ ଯୋଗେ ଦିଲ୍ଲୀ ଅଣାଯାଇଛି।

ଲାଲୁଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଆରଆଇଏମଏସ୍‌ର ନିର୍ଦ୍ଦେଶକ ଡଃ କାମେଶ୍ୱର ପ୍ରସାଦ କହିଥିଲେ, ଲାଲୁ ଯାଦବ ନିମୋନିଆରେ ଆକ୍ରାନ୍ତ ହୋଇଛନ୍ତି ଓ ଦୁଇ ଦିନ ହେଲାଣି ସେ ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି।

ଲାଲୁଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ନେଇ ପରିବାର ଲୋକଙ୍କୁ ସୂଚନା ଦିଆଯିବା ପରେ ଶୁକ୍ରବାର ଲାଲୁଙ୍କ ଦୁଇ ପୁଅ ତେଜ ପ୍ରତାପ ଓ ତେଜସ୍ୱୀ ଯାଦବ, ପତ୍ନୀ ରାବିଡି ଦେବୀ ଓ ଝିଅ ମିସା ଭାରତୀ ଏକ ସ୍ୱତନ୍ତ୍ର ବିମାନରେ ରାଞ୍ଚିରେ ପହଞ୍ଚିଥିଲେ। ସେଇଦିନ ରାତିରେ ପରିବାର ଲୋକ ତାଙ୍କୁ ଭେଟିଥିଲେ।

ଗୋ ଖାଦ୍ୟ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୨୦୧୭ ମସିହା ଡିସେମ୍ବରରରୁ ୭୨ ବର୍ଷୀୟ ଲାଲୁ ଯାଦବ ଜେଲ୍‌ରେ ଅଛନ୍ତି।

You might also like