ନଦୀରେ ଲାଗିଲା ନିଆଁ, ଭୟଭୀତ ଲୋକେ

ଗୌହାଟୀ: ନଦୀରେ ଲାଗିଲା ନିଆଁ। କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ। ଆସାମର ଦିବ୍ରୁଗଡ଼ରେ ଥିବା ବୁର୍‌ହି ଧିଂ ନଦୀରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି।

ସୂଚନା ଅନୁସାରେ, ସାଶୋନୀ ଗାଁ ଦେଇ ଯାଇଥିବା ଦିଘୋଲିବିଲ୍‌ ସ୍ଥିତ ବୁର୍‌ହି ଧିଂ ନଦୀରେ ଏହି ନିଆଁ ଲାଗିଛି। ଅଏଲ୍‌ ପାଇପ୍‌ ଲାଇନ୍‌ରେ ବିସ୍ଫୋରଣ ହେବା ଫଳରେ ଏହି ନିଆଁ ଲାଗିଥିବା ଜଣାପଡ଼ିଛି।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଦୁଲିଆଜନ୍‌ରେ ଥିବା ଅଏଲ୍‌ ଇଣ୍ଡିଆ ଲିମିଟେଡ୍‌ର ଏକ ପାଇପ୍‌ ଲାଇନ୍‌ ନଦୀ ସହ ସଂଯୋଗ ହୋଇଛି। ଏହି ପାଇପ୍ ଲାଇନରେ ଅଶୋଧିତ ତୈଳ ଯୋଗାଣ ହୋଇଥାଏ। ତେବେ କୌଣସି କାରଣରୁ ପାଇପ୍‌ ଲାଇନ୍‌ ବିସ୍ଫୋରଣ ହେବା ଫଳରେ ନିଆଁ ଲାଗି ଯାଇଛି। ଗତ ତିନି ଦିନ ଧରି ଏହି ନିଆଁ ଲାଗିଛି।

ଅଗ୍ନିକାଣ୍ଡର ପ୍ରକୋପ ଏତେ ଯେ ସ୍ଥାନୀୟ ଅଞ୍ଚଳରେ ଧୂଆଁର ଆସ୍ତରଣ ସୃଷ୍ଟି ହୋଇଛି। ଏହି ଘଟଣାକୁ ନେଇ ଲୋକମାନେ ସ୍ଥାନୀୟ ପ୍ରଶାସନକୁ ଜଣାଇଥିଲେ ମଧ୍ୟ ଅଧିକାରୀମାନେ ଏଥିପ୍ରତି ଦୃଷ୍ଟି ଦେଇ ନାହାନ୍ତି।

ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଛନ୍ତି।

You might also like