ଅନିଲ ଦେଶମୁଖଙ୍କୁ ନେଇ ବ୍ୟାକଫୁଟ୍‌ରେ ମହାଅଘାଡି ସରକାର; ମେଣ୍ଟରେ ଫାଟ ସୃଷ୍ଟି ନେଇ ଚର୍ଚ୍ଚା

ମୁମ୍ବାଇ: ଅମ୍ବାନୀଙ୍କ ଘର ଆଣ୍ଟାଲିଆ ନିକଟରୁ ଜିଲେଟିନ୍ ରଖା ଯାଇଥିବା ଗାଡି ଠାବ ପରେ ମହାରାଷ୍ଟ୍ରରେ ଜାରି ରହିଛି ଘମାସାନ। ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୁଦ୍ଧରେ ପୂର୍ବତନ ମୁମ୍ବାଇ ଟପ୍ କପ୍ ପରମବୀର ସିଂହଙ୍କ ସାଂଘାତିକ ଅଭିଯୋଗକୁ ନେଇ ମହାରାଷ୍ଟ୍ର ରାଜନୀତିରେ କଂପନ। ନିଜେ ଗୃହମନ୍ତ୍ରୀ, ଟଙ୍କା ଅସୁଲିକାରୀ ସାଜିଥିବା ଦର୍ଶାଇ ଜୋରଦାର ଢଙ୍ଗରେ ବିଜେପି ବର୍ଷିଛି। ଗୃହମନ୍ତ୍ରୀ ଅନିଲ ଦେଶମୁଖ୍ ତୁରନ୍ତ ଇସ୍ତଫା ଦିଅନ୍ତୁ ନଚେତ୍ ଉଦ୍ଧବ ତାଙ୍କୁ ମନ୍ତିମଣ୍ଡଳରୁ ବହିଷ୍କାର କରନ୍ତୁ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନାଭିସ୍ ଦାବି କରିଛନ୍ତି।

ଏପଟେ ଅନିଲ ଦେଶମୁଖ ପ୍ରସଙ୍ଗକୁ ନେଇ ବ୍ୟାକଫୁଟ୍‌ରେ ମହାଅଘାଡି ସରକାର। ଏମିତିକି ମେଣ୍ଟରେ ଫାଟ ସୃଷ୍ଟି ହୋଇଥିବା ଚର୍ଚ୍ଚା ହେଉଛି। ଗୃହମନ୍ତ୍ରୀଙ୍କ ବିରୁଦ୍ଧରେ ଅଭିଯୋଗକୁ ଅତି ସାଂଘାତିକ ଦର୍ଶାଇ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବା ନେଇ ଶିବସେନା ସଂକେତ ଦେଇଛି। ତେବେ ଏନ୍‌ସିପି ଏଭଳି ସମ୍ଭାବନାରୁ ଅଗ୍ରାହ୍ୟ କରିଛି। ମାତ୍ର ଅନିଲ ଦେଶମୁଖଙ୍କ ଇସ୍ତଫା ପ୍ରସଙ୍ଗରେ ବିଚାର କରାଯିବ ବୋଲି କହିଛନ୍ତି ଏନସିପି ମୁଖ୍ୟ ଶରଦ୍ ପାଓ୍ୱାର।

ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘର ଆଣ୍ଟାଲିଆ ନିକଟରୁ ଜିଲେଟିନ୍ ରଖା ଯାଇଥିବା ଗାଡି ଠାବ ପରେ ମହାରାଷ୍ଟ୍ରରେ ଜାରି ରହିଛି ଘମାସାନ। ଉଗ୍ର ହୋଇଛି ଆରୋପ ପ୍ରତ୍ୟାରୋପ, ଜୋର ଧରିଛି ରାଜନୈତିକ ବୟାନବାଜି। ଏସବୁ ଭିତରେ ବିସ୍ଫୋରକ ବୋଝେଇ ଗାଡ଼ି ଓ ବ୍ୟବସାୟୀ ହିରନ ମନସୁଖ ସନ୍ଦେହଜନକ ମୃତ୍ୟୁ ଘଟଣାର ଖୋଳତାଡ଼ ଜାରି ରଖିଛି ଏନ୍‌ଆଇଏ।

-:ପରମବୀରଙ୍କ ଅଭିଯୋଗ:-
ମାସକୁ ଶହେ କୋଟି ଅସୁଲ।
ହୋଟେଲ୍ ଓ ବାର ପିଛା ଲକ୍ଷେରୁ ୨ ଲକ୍ଷ ଆଦାୟ ଟାର୍ଗେଟ୍।
ବାରମ୍ବାର ପୋଲିସ ଅଫିସରଙ୍କୁ ଘରକୁ ଡାକି ଦେଉଥିଲେ ନିର୍ଦ୍ଦେଶ।
ବିଭିନ୍ନ ମାମଲାର ତଦନ୍ତରେ କରୁଥିଲେ ହସ୍ତକ୍ଷେପ।

ମାମଲାର ମାଷ୍ଟରମାଣ୍ଡ ତଥା ଆସିଷ୍ଟାଣ୍ଟ ଇନସ୍ପେକଟର ଅଫ୍ ପୋଲିସ ସଚିନ ଓ୍ୱାଜେଙ୍କ ଭୂମିକା ସଂପର୍କରେ ପ୍ରମାଣ ଏକାଠି କରିଛି ଜାତୀୟ ତଦନ୍ତ ସଂସ୍ଥା। ସେହିପରି ବିସ୍ଫୋରକ ଘଟଣା ସହ ମନସୁଖ୍ ହିରନ୍ ମୃତ୍ୟୁ ମାମଲାର ତଦନ୍ତ ଦାୟିତ୍ୱ ବି ଏନଆଇଏକୁ ଦିଆଯାଇଛି। ଏଣେ ପୁରା ଘଟଣାକୁ ନେଇ ମହାରାଷ୍ଟ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ। କ୍ଷମତାର ରହିବା ଲାଗି ଉଦ୍ଧବ ଠାକ୍‌ରେ ସରକାରର ନୈତିକତା ନାହିଁ ବୋଲି ସେ କହିଛନ୍ତି।

ବ୍ୟବସାୟୀ ମନସୁଖ ହିରନ୍ ମୃତ୍ୟୁ ମାମଲାରେ ମହାରାଷ୍ଟ୍ର ଏଟିଏସ୍ ଦୁଇଜଣଙ୍କୁ ଗିରଫ କରିଛି। ଏମାନେ ହେଲେ ପୂର୍ବତନ ପୋଲିସ କନଷ୍ଟେବଲ ବିନାୟକ ସିନ୍ଦେ ଓ ବୁକି ନରେଶ ଧାରେ। ପୂର୍ବତନ କନଷ୍ଟେବଲ ସିନ୍ଦେ ଫେକ୍ ଏକାଉଣ୍ଟର ମାମଲାରେ ଜେଲ ଯାଇଥିବା ବେଳେ ଏବେ ପାରୋଲରେ ଅଛନ୍ତି। ଯେଉଁ ଗାଡିରେ ଜିଲେଟିନ୍ ରଖା ଯାଇଥିଲା ତାହା ବ୍ୟବସାୟୀ ମନସୁଖଙ୍କ ନାଁରେ ପଞ୍ଜୀକୃତ ରହିଛି। ତେବେ ଗତ ୫ ତାରିଖରେ ପୁନେ ନିକଟରେ ପାଣି ଭିତରୁ ମନସୁଖଙ୍କ ମୃତଦେହ ମିଳିଥିଲା। ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ପଛରେ ଗିରଫ ପୋଲିସ ଅଧିକାରୀ ସଚିନ୍ ଓ୍ୱାଜେଙ୍କ ହାତ ଥିବା ମନସୁଖଙ୍କ ପତ୍ନୀ ଅଭିଯୋଗ କରିଥିଲେ।

You might also like