ହୋମ୍ ଆଇସୋଲେସନ୍‌ ଗାଇଡ୍‌ଲାଇନ୍ସରେ ସଂଶୋଧନ

ନୂଆଦିଲ୍ଲୀ: ହୋମ୍ ଆଇସୋଲେସନ୍‌ରେ ରହିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ଗାଇଡ୍‌ଲାଇନ୍ସରେ କିଛି ସଂଶୋଧନ ଅଣାଯାଇଛି।

ହୋମ୍ ଆଇସୋଲେସନରେ ରହିବାକୁ ଚାହୁଁଥିବା ସନ୍ଦିଗ୍ଧ କରୋନା ଆକ୍ରାନ୍ତ, ମେଡିକାଲ ଅଫିସରଙ୍କ ଦ୍ୱାରା ଲକ୍ଷଣ ନ ଥିବା ପ୍ରମାଣିତ ହେବା ବାଧ୍ୟତାମୂଳକ କରାଯାଇଛି। ସେହିପରି କରୋନା ଲକ୍ଷଣ ନାହିଁ ବୋଲି ଡାକ୍ତର କିମ୍ବା ଚିକିତ୍ସକଙ୍କ ଦ୍ୱାରା ପ୍ରମାଣିତ ହେଲା ପରେ ସଂପୃକ୍ତ ବ୍ୟକ୍ତି କ୍ୱାରେଣ୍ଟିନ ସେଣ୍ଟର ବା କୋଭିଡ୍ କେୟାର ସେଣ୍ଟରରୁ ବାହାରି ନିଜ ଘରେ କ୍ୱାରେଣ୍ଟିନରେ ରହିପାରିବେ।

ଏହାସହ ନିଜ ଘରେ କ୍ୱାରେଣ୍ଟିନରେ ରହିବା ଲାଗି ଉପଯୁକ୍ତ ବ୍ୟବସ୍ଥା ଥିବା ଦରକାର ବୋଲି ଏଥିରେ କୁହାଯାଇଛି। ହୋମ୍ କ୍ୱାରେଣ୍ଟିନରେ ରହୁଥିବା ବ୍ୟକ୍ତିଙ୍କୁ ୨୪ ଘଣ୍ଟିଆ ସେବା ଉପଲବ୍ଧ ହେଉଥିବା ଆବଶ୍ୟକ।

ହୋମ୍ କ୍ୱାରେଣ୍ଟିନରେ ରହୁଥିବା ବ୍ୟକ୍ତିଙ୍କ ସେବା କରୁଥିବା ଲୋକ ଓ ପରିବାର ଲୋକେ ପ୍ରୋଟକଲ ବା ମେଡିକାଲ ଅଫିସରଙ୍କ ପରାମର୍ଶରେ ହାଇଡ୍ରୋକ୍ସି କ୍ଲୋରୋକୁଇନ୍‌ ଟାବଲେଟ୍ ଖାଇବେ। ନମୁନା ସଂଗ୍ରହର ୧୭ ଦିନ ଓ ୧୦ ଦିନ ଧରି ଜ୍ୱର ନ ହେଲେ ହୋମ୍ ଆଇସୋଲେସନରୁ ସଂପୃକ୍ତ ବ୍ୟକ୍ତି ବାହାରି ପାରିବେ। ହୋମ୍ ଆଇସୋଲେସନରୁ ବାହାରିଥିବା ଲୋକଙ୍କର ଆଉ ନମୁନା ପରୀକ୍ଷା କରିବା ଦରକାର ନାହିଁ।

ମୋବାଇଲରେ ଆରୋଗ୍ୟ ସେତୁ ଡାଉନଲୋଡ୍ କରିବା ସହ ଏହା ସବୁବେଳେ ଆକ୍ଟିଭ୍‌ ରହିବ ବୋଲି କୁହାଯାଇଛି। ସଂପୃକ୍ତ ବ୍ୟକ୍ତି ନିୟମିତ ଭାବେ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ପ୍ରସ୍ତୁତ ରହିବେ ଓ ଏ ସଂପର୍କରେ ଡିଷ୍ଟ୍ରିକ୍ଟ ସର୍ଭେଇଲାନ୍ସ ଅଫିସରଙ୍କ ସହ ଯୋଗାଯୋଗରେ ରହିବେ।

You might also like