କାଙ୍ଗୋରେ ଭୟଙ୍କର ଆଗ୍ନେୟଗିରି ବିସ୍ଫୋରଣ, ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କଲା ଭାରତୀୟ ସେନା

କିଂଶାସା: ଭୟଙ୍କର ଅଗ୍ନେୟଗିରି ବିସ୍ଫୋରଣ । ଏଣତେଣେ ଦୌଡ଼ିବାକୁ ଲାଗିଲେ ସହରବାସୀ । ଲାଭା ବହି ଆସି ରାସ୍ତା ଉପରେ ପ୍ରବାହିତ ହେଲା । ହଜାର ହଜାର ଲୋକ ସହର ଛାଡ଼ି ପଳାଇଲେ ।

କାଙ୍ଗୋର ଗୋମା ସହର ନିକଟରେ ଥିବା ଆଗ୍ନେୟଗିରି ମାଉଣ୍ଟ ନିରାଗୋଙ୍ଗୋ ଶନିବାର ବିସ୍ଫୋରଣ ହୋଇ ସମଗ୍ର ଆକାଶକୁ ଲାଲ କରିଦେଲା । ଖାଲି ସେତିକି ନୁହେଁ ପାହାଡ଼ରୁ ଲାଭା ବହି ଆସି ରାସ୍ତାରେ ପ୍ରବାହିତ ହୋଇଥିବା ଦେଖିବାକୁ ମିଳିଥିଲା । ଆଗ୍ନେୟଗିରି ବିସ୍ଫୋରଣ ଯୋଗୁଁ ସହରର ଲୋକମାନେ ଭୟଭୀତ ହୋଇ ଘର ଛାଡି ଦୌଡ଼ି ଥିଲେ । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ଗୋମାକୁ ଅନ୍ୟ ପ୍ରଦେଶ ସହିତ ସଂଯୋଗ କରୁଥିବା ଏକ ରାଜପଥରେ ଲାଭା ପଡ଼ିଥିବା ଦେଖାଯାଇଛି । ତେବେ ଆଗ୍ନେୟଗିରି ବିସ୍ଫୋରଣ ହେତୁ କେତେ ଲୋକଙ୍କର ମୃତ୍ୟୁ ହୋଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

ସବୁଠାରୁ ବଡ଼ କଥା ହେଲା ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏନେଇ କୌଣସି ପ୍ରାକ୍‌ ସୂଚନା ଦିଆଯାଇ ନଥିଲା । ଆଗ୍ନେୟଗିରି ବିସ୍ଫୋରଣ ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଅଧିକାରୀମାନେ ଏହି ଅଞ୍ଚଳ ଛାଡିବାକୁ ସହରବାସୀଙ୍କୁ କୌଣସି ପ୍ରକାର ନିର୍ଦ୍ଦେଶ ଦେଇନାହାଁନ୍ତି ।

ଏହି ଆଗ୍ନେୟଗିରି ଶେଷ ଥର ପାଇଁ ୨୦୦୨ରେ ବିସ୍ଫୋରଣ ହୋଇଥିଲା । ସେତେବେଳେ ଏଠାରେ ଶହ ଶହ ଲୋକଙ୍କର ମୃତ୍ୟୁ ହୋଇଥିଲା । ଖାଲି ସେତିକି ନୁହେଁ, ଲାଭା ବିମାନବନ୍ଦର ପର୍ଯ୍ୟନ୍ତ ପହଞ୍ଚିଥିଲା । ଆଉ ସମସ୍ତ ରନୱେରେ  ଜମା ହୋଇଥିବା ଦେଖାଯାଇଥିଲା ।

ଆଗ୍ନେୟଗିରି ବିସ୍ଫୋରଣ ପରେ ମିଳିତ ଜାତିସଂଘର ଶାନ୍ତି ରକ୍ଷା ମିଶନ ତରଫରୁ ସହରର ଏକ ଫଟୋ ଟ୍ୱିଟ୍‌ କରାଯାଇଛି । ଏଥିରେ କୁହାଯାଇଛି ଯେ, ସେ ବିମାନ ଯୋଗେ ଏହି ଅଞ୍ଚଳ ପରିକ୍ରମା କରି ପରିସ୍ଥିତି ଉପରେ ନଜର ରଖିଛନ୍ତି । କାଙ୍ଗୋରେ ମିଳିତ ଜାତିସଂଘ ମିଶନର ଏକ ଅଂଶ ଭାବରେ ଭାରତୀୟ ସେନା ଆଗ୍ନେୟଗିରି ପ୍ରଭାବିତ ଗୋମା ସହରରେ ସାଧାରଣ ନାଗରିକ ତଥା ଜାତିସଂଘର ଅନ୍ୟ କର୍ମଚାରୀଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରିଛନ୍ତି । ଏହାସହ ସେମାନଙ୍କୁ ସମସ୍ତ ସୁବିଧା ପ୍ରଦାନ କରିଛନ୍ତି । ୨୨ ମେ’ ସନ୍ଧ୍ୟା ୬.୩୦ରେ ଏହି ସକ୍ରିୟ ଆଗ୍ନେୟଗିରି ମାଉଣ୍ଟ ନାରାଗୋଙ୍ଗୋ ବିସ୍ଫୋରଣ ହୋଇଥିଲା ।

ମିଶନ ତରଫରୁ କୁହାଯାଇଛି ଯେ, ଲାଭା ଗୋମା ସହର ଆଡକୁ ଗତି କରୁଥିବାର ଦେଖାଯାଇ ନାହିଁ । ତଥାପି ଆମେ ସତର୍କ ରହିଛୁ । ତେବେ ଆଗ୍ନେୟଗିରି ବିସ୍ଫୋରଣ ପରେ ଆତଙ୍କିତ ଅବସ୍ଥାରେ ଥିବା ହଜାର ହଜାର ଲୋକ ସହର ଛାଡି ପଳାଇଛନ୍ତି ।

You might also like