କେକ୍ ଖାଇ ହାତୀ ପାଳିଲା ତା’ ମୁକ୍ତିର ପଞ୍ଚମ ବାର୍ଷିକୀ

ମଥୁରା: ଦୀର୍ଘ ୫୦ ବର୍ଷ ହେଲା ଗୋଟିଏ ହାତୀ ତା’ ମାଲିକଙ୍କ ଦ୍ୱାରା ଶିକୁଳିରେ ବନ୍ଧା ହୋଇ ରହିଥିଲା। କିନ୍ତୁ ଆଜକୁ ଠିକ ୫ ବର୍ଷ ତଳେ ୱାଇଲ୍ଡ ଲାଇଫ୍‌ ଏସ୍‌ଓଏସ ନାମକ ଏନ୍‌ଜିଓ ପକ୍ଷରୁ ଏହି ହାତୀଟିକୁ ମାଲିକର କବଳରୁ ଉଦ୍ଧାର କରାଯାଇଥିଲା।

ହାତୀଟିର ନାଁ ରାଜୁ। ରାଜୁର ମୁକ୍ତିକୁ ଆଜି ୫ ବର୍ଷ ପୂରିଛି। ରାଜୁର ମୁକ୍ତିର ପଞ୍ଚମ ବାର୍ଷିକୀ ବେଶ ନିଆରା ଢଙ୍ଗରେ କେକ କାଟି ପାଳନ କରାଯାଇଛି।

ପିଲାଦିନରୁ ରାଜୁ ଲୁହା ଶିକୁଳିରେ ବନ୍ଧା ହୋଇ ରହିଥିଲା। ତା’ର ଯତ୍ନ ଠିକ୍‌ ଭାବେ ନିଆଯାଉ ନଥିଲା। ଏହି କାରଣରୁ ସେ ବିଷାଦରେ ରହୁଥିଲା। ତା’ର ଶରୀରରେ ଏକାଧିକ କ୍ଷତ ଚିହ୍ନ ମଧ୍ୟ ଦେଖିବାକୁ ମିଳିଥିଲା। ତେବେ ୨୦୧୪ରେ ୱାଇଲ୍ଡ ଲାଇଫ୍‌ ଏସ୍‌ଓଏସ ଦ୍ୱାରା ତା’କୁ ମାଲିକ କବଳରୁ ଉଦ୍ଧାର କରାଯାଇଥିଲା।

ଏହାପରେ ରାଜୁକୁ ମଥୁରାରେ ଥିବା ହାତୀ ସଂରକ୍ଷଣ ଓ କେୟାର ସେଣ୍ଟରକୁ ନିଆଯାଇଥିଲା। ଏଠାରେ ତାକୁ ସ୍ୱତନ୍ତ୍ର ଏନକ୍ଲୋଜରରେ ରଖାଯିବା ସହ ଉପଯୁକ୍ତ ମେଡିକାଲ ସେବା ଯୋଗାଇ ଦିଆଯାଇଥିଲା।

ବୁଧବାର ରାଜୁର ମୁକ୍ତିକୁ ୫ ବର୍ଷ ପୂରିଥିଲା। ଏହାକୁ ପାଳନ କରିବା ପାଇଁ ୱାଇଲ୍ଡ ଲାଇଫ୍‌ ଏସ୍‌ଓଏସ ଟିମ୍‌ ପକ୍ଷରୁ କେକ୍‌ କାଟି ଏହାକୁ ପାଳନ କରାଯାଇଥିଲା। ରାଜୁ ମଧ୍ୟ ନିଜ ମୁକ୍ତିର ୫ମ ବାର୍ଷିକୀ ଅବସରରେ ବଡ଼ ଆନନ୍ଦରେ ସେହି କେକକୁ ଶୁଣ୍ଢରେ ଉଠାଇ ଖାଇଥିଲା।

You might also like