ଅଳକାନଦୀ ସେପଟେ ଏବେବି ଯୋଗାଯୋଗ ବିଛିନ୍ନ
ଚମୋଲି: ଉତ୍ତରାଖଣ୍ଡ ଚମୋଲିରେ ପ୍ରଳୟଙ୍କରୀ ହିମସ୍ଖଳନ ଶହ ଶହ ଲୋକଙ୍କ ଘର ଉଜାଡ଼ି ଦେଇଛି। ତପୋବନ ଜଳ ପ୍ରକଳ୍ପ ନିକଟ ଓ ଅବବାହିକାରେ ବସବାସ କରୁଥିବା ଲୋକେ ସର୍ବସ୍ୱ ହରାଇଛନ୍ତି। କିଛି ଲୋକଙ୍କ ପାଖରେ ଘର ଖଣ୍ଡିଏ ବଞ୍ଚି ଯାଇଛି। କିନ୍ତୁ ତାହା ବି ଏବେ ବିପଦଜନକ ଅବସ୍ଥାରେ। ପରିବାରର ସଦସ୍ୟ ନିଖୋଜ ହୋଇଛନ୍ତି, ଚାଷ ଜମି ନଷ୍ଟ ହୋଇଛି, ଗୃହପାଳିତ ପଶୁଙ୍କ ବି ପତ୍ତା ମିଳୁନି। ଗତ ରବିବାରଠୁ ଏବେ ଯାଏଁ ନା ଘରେ ରୋଷେଇ ହୋଇଛି ନା କାହାକୁ ନିଦ ଆସିଛି। ବହୁ ଲୋକଙ୍କ ସମ୍ପର୍କୀୟଙ୍କ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛନ୍ତି।
ଅଲକାନନ୍ଦା ନଦୀର ଗୋଟେ ପଟେ ଏବେ ବି ବହୁ ଲୋକ ଓ ଶ୍ରମିକ ଫସି ରହିଛନ୍ତି। ଦୁଇ ଦିନ ପରେ ଏମାନଙ୍କ ପାଖରେ ରେସ୍କ୍ୟୁ ଟିମ୍ ପହଞ୍ଚିଛି। ଖାଇବା ଓ ପାନୀୟ ଜଳ ପହଞ୍ଚାଯାଇଛି। ବିଭିନ୍ନ ରାଜ୍ୟରୁ ଆସିଥିବା ଶ୍ରମିକଙ୍କୁ ସେମାନଙ୍କ ଘରକୁ ପଠାଇବା ବ୍ୟବସ୍ଥା କରାଯାଉଛି। ଅନ୍ୟପଟେ ହିମସ୍ଖଳନ ପରେ ଏବେ ଟନେଲ୍ରେ ସର୍ଚ୍ଚ ଅପରେସନ୍କୁ ଜୋରଦାର କରାଯାଇଛି। ଏନ୍ଡିଆର୍ଏଫ, ଏସ୍ଡିଆର୍ଏଫ୍, ଆଇଟିବିପି, ସେନା ମିିଶି ମାଟି ତଳୁ ଜୀବନର ସନ୍ଧାନ ଜାରି ରଖିଛନ୍ତି।
ହୀମସ୍ଖଳନ ସ୍ଥାନରେ ଫସି ରହିଥିବା ୧୮୦ରୁ ଅଧିକ ଶ୍ରମିକଙ୍କୁ ଠାବ ଲାଗି ଜୋରସୋରରେ ଚାଲିଛି ଉଦ୍ଧାର କାମ । ଯେତେ ଯେତେ ସମୟ ଗଡ଼ୁଛି, ସେହି ଅନୁଯାୟୀ ଉଦ୍ଧାରକାରୀ ଟିମର ଚିନ୍ତା ବଢୁଛି । ଜେସିବିରେ ରାତି ତମାମ୍ ପଙ୍କ କାଦୁଅ କଢା ଚାଲିଥିଲେ ବି, କାମ ଆହୁରି ବହୁତ ବାକି ରହିଛି । ସେନା, ITBP, NDRF ଓ SDRF ଯବାନ ଲଗାତାର ଉଦ୍ଧାର କାର୍ଯ୍ୟରେ ଲାଗିଥିବା ବେଳେ, ଅଢ଼େଇ କିଲୋମିଟର ସୁଡ଼ଙ୍ଗର ମାତ୍ର ୧୨୦-୩୦ ମିଟର ଯାଏଁ ପହଞ୍ଚିବା ସମ୍ଭବ ହୋଇଛି ।
ନୌସେନାର ମରିନ୍ କମାଣ୍ଡୋଙ୍କୁ ରେସ୍କ୍ୟୁରେ ସାମିଲ କରାଯାଇପାରେ । ଭିତରର ସ୍ଥିତି କିଭଳି ଅଛି, ଚପରରେ ଉଡ଼ି ହାଇଦ୍ରାବାଦର ଏକ ଟିମ୍ ରିମୋଟ୍ ସେନ୍ସିଂ ଜରିଆରେ ଜାଣିବାକୁ ଚେଷ୍ଟା କରୁଛି । ଟନେଲ୍ ଭିତରକୁ ଶୀଘ୍ର ପହଞ୍ଚିବାକୁ ଇଞ୍ଜିନିୟରିଂ ଟିମ୍ ବିକଳ୍ପ ରାସ୍ତା ଖୋଜୁଛି।