ଦେଶ ପାଳୁଛି ୭୦ତମ ସାଧାରଣତନ୍ତ୍ର ଦିବସ

ନୂଆଦିଲ୍ଲୀ: ଆଜି ଦେଶ ପାଳୁଛି ୭୦ତମ ସାଧାରଣତନ୍ତ୍ର ଦିବସ। ଗଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀ ରାଜପଥରେ ଜାତୀୟ ପତାକା ଉତ୍ତୋଳନ ସହ ପରେଡ଼ ଅଭିବାଦନ ଗ୍ରହଣ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏହି ଅବସରରେ ଭାରତୀୟ ସ୍ଥଳ, ବାୟୁ ଏବଂ ନୌସେନାର ସୌର୍ଯ୍ୟ, ବୀରତ୍ୱକୁ ଦେଖିଥିଲେ ସେଠାରେ ଉପସ୍ଥିତ ଥିବା ଅତିଥି।

ସେହିପରି ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ସରକାରଙ୍କ ଭିନ୍ନ ଭିନ୍ନ ବିଭାଗ ପକ୍ଷରୁ ପ୍ରଜ୍ଞାପନ ମେଢ଼ ପ୍ରଦର୍ଶିତ ହୋଇଛି। ରାଜପଥରେ ମୋଟ୍ ୨୨ଟି ପ୍ରଜ୍ଞାପିତ ମେଢ଼ ପ୍ରଦର୍ଶିତ ହୋଇଛି। ତା’ ସହ ସେନାର ମହିଳା ଓ୍ୱିଙ୍ଗ୍ ଦ୍ୱାରା ଡେୟାର୍ ଡେଭିଲ୍ ‘ସୋ’ ବି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।


ଚଳିତ ବର୍ଷ ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ୍ ରାମଫୋସା। ନେଲ୍‌ସନ୍‌ ମାଣ୍ଡେଲାଙ୍କ ପରେ ରାମଫୋସା ଦ୍ୱିତୀୟ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ଭାବେ ଭାରତର ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଛନ୍ତି।

ପତାକା ଉତ୍ତୋଳନ ପୂର୍ବରୁ ଇଣ୍ଡିଆ ଗେଟ୍‌ସ୍ଥିତ ଅମର ଜ୍ୟୋତି ଯବାନରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ତିନି ସେନା ମୁଖ୍ୟ ଓ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ସାମିଲ ହୋଇଥିଲେ।

ସାଧାରଣତନ୍ତ୍ର ଦିବସ ଅବସରରେ ସହିଦ ଲାନ୍ସ ନାଏକ ନାଜିର ଅହମ୍ମଦ ଓ୍ୱାନୀଙ୍କୁ ମରଣୋତ୍ତର ଅଶୋକ ଚକ୍ର ପ୍ରଦାନ କରାଯାଇଛି। ଆଜି ରାଜପଥରେ ପରେଡ୍ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ୍ୱାନୀଙ୍କ ବିଧବା ପତ୍ନୀ ମହାଜବୀନଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି। ଅଶୋକ ଚକ୍ର(ଶାନ୍ତି ସମୟରେ ସେନାରେ ସବୁଠାରୁ ଶ୍ରେଷ୍ଠ ସମ୍ମାନ) ପାଇବାରେ ଓ୍ୱାନୀ ହେଉଛନ୍ତି ଜମ୍ମୁ କଶ୍ମୀରର ପ୍ରଥମ ସୈନିକ।

ଏହା ପୂର୍ବରୁ ୱାନୀ ୨୦୦୭ ଓ ୨୦୦୮ରେ ସେନା ପଦକ ପାଇସାରିଛନ୍ତି। ଗତବର୍ଷ ନଭେମ୍ବର୍ ମାସରେ ଓ୍ୱାନୀ ଏକ ଆତଙ୍କବାଦୀ ଆକ୍ରମଣ ସମୟରେ ବୀରତ୍ୱ ସହ ଲଢ଼ି ସହିଦ ହୋଇଥିଲେ।

ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାରରେ ସମ୍ମାନିତ ହୋଇଥିବା ଶିଶୁମାନଙ୍କୁ ମଧ୍ୟ ପରେଡ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା। ବର୍ଣ୍ଣାଢ଼ ଭାବେ ୨୬ ଜଣ ଶିଶୁଙ୍କୁ ଏକ ଖୋଲା ଜିପ୍‌ରେ ରାଜପଥରେ ନିଆଯାଇଥିଲା। ଯାହାକୁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଦକ୍ଷିଣ ଆଫ୍ରିକୀୟ ଅତିଥି ପ୍ରମୁଖ ଅଭିବାଦନ ଜଣାଇଥିଲେ। ଶିକ୍ଷା, କ୍ରୀଡ଼ା, କଳା, ସାଂସ୍କୃତିକ କାର୍ଯ୍ୟକ୍ରମ, ସଙ୍ଗୀତ, ବୀରତ୍ୱରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି ଏହି ଛାତ୍ରଛାତ୍ରୀ।

You might also like