ଫେୟାର୍ ରିପୋର୍ଟିଂ ଅପରାଧ ନୁହେଁ

ସାମ୍ୱାଦିକତାରେ ଫେୟାର ବା ନ୍ୟାୟସଙ୍ଗତ ରିପୋର୍ଟିଂ ଅପରାଧ ନୁହେଁ। ଜମ୍ମୁ ଓ କାଶ୍ମୀର ହାଇକୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେବାସହ ଜଣେ ବରିଷ୍ଠ ସାମ୍ୱାଦିକଙ୍କ ବିରୋଧରେ ରୁଜୁ ହୋଇଥିବା ଏତଲାକୁ ରଦ୍ଦ କରିଦେଇଛନ୍ତି। ୨୦୧୮ ମସିହା ଏପ୍ରିଲ୍ ୩ ତାରିଖରେ ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶ ପାଇଥିଲା ଯେ, ‘ଜମ୍ମୁ ଓ କାଶ୍ମୀରରେ ଷ୍ଟୋନ୍ ପେଲ୍ଟର ବା ପଥର ଫିଙ୍ଗାଳିମାନେ ପର୍ଯ୍ୟଟକଙ୍କୁ ଟାର୍ଗେଟ କରିଛନ୍ତି, ୪ ମହିଳା ଆହତ’।

ବିଭିନ୍ନ ଟ୍ରାଭେଲ ଏଜେନ୍ସୀ ଆସୋସିଏସନ୍ ଏହାକୁ ନେଇ ସଂପୃକ୍ତ ସାମ୍ୱାଦିକଙ୍କ ବିରୋଧରେ ଏକ କେସ୍ ରୁଜୁ କରିଥିଲେ। ଏଥିରେ ଆସୋସିଏସନଗୁଡ଼ିକ ଦର୍ଶାଇଥିଲେ ଯେ, ପର୍ଯ୍ୟଟନ ସିଜିନରେ ମନ୍ଦ ଉଦ୍ଦେଶ୍ୟ ରଖି ସାଧାରଣ ଲୋକଙ୍କ ମନରେ ଭୟ ସୃଷ୍ଟି କରିବା ପାଇଁ ଏହି ଖବର ପ୍ରକାଶ ପାଇଛି। ଏହି ଖବରର କୌଣସି ସତ୍ୟତା ନାହିଁ। ଏଭଳି ଘଟଣା ଆଦୌ ଘଟିନାହିଁ ବୋଲି ମଧ୍ୟ ଅଭିଯୋଗକାରୀମାନେ ଦର୍ଶାଇଥିଲେ। ଜାମ୍ମୁ ଓ କାଶ୍ମୀରରେ ସେତେବେଳେ ପ୍ରଚଳିତ ଥିବା ‘ରଣବୀର ପେନାଲ କୋଡ’ର ଧାରା ୫୦୧ (୧) (ଖ) ଧାରାରେ ଏହି କେସ୍‌ ରୁଜୁ ହୋଇଥିଲା। ଭାରତୀୟ ପେନାଲ୍ କୋଡର ଧାରା ସହ ଏହା ପ୍ରାୟ ସମାନ।

ଏହି ଧାରା କହେ- ‘ଯଦି କେହି ମନ୍ଦ ଉଦ୍ଦେଶ୍ୟ ରଖି କୌଣସି ଗୁଜବ ପ୍ରକାଶ କରେ ବା ପ୍ରଚାର କରେ ଯାହାକି ସାଧାରଣରେ ବା ଗୋଟିଏ ଗୋଷ୍ଠୀର ଲୋକଙ୍କ ମନରେ ଭୟ ସୃଷ୍ଟି କରେ, ତାହା ଅପରାଧ। ଏଥିରେ ଦୋଷୀ ସାବ୍ୟସ୍ତ ହେଲେ ଜଣକୁ 3 ବର୍ଷ ଜେଲ୍ ଦଣ୍ଡ, କିମ୍ୱା ଫାଇନ୍ କିମ୍ୱା ଉଭୟରେ ଦଣ୍ଡିତ କରାଯିବ। ଏହି କେସକୁ ରଦ୍ଦ କରିବା ପାଇଁ ବରିଷ୍ଠ ସାମ୍ବାଦିକ ଜଣକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସେ ତାଙ୍କର ପିଟିସନରେ ଦର୍ଶାଇଥିଲେ ଯେ- ‘ଯଦିଓ ପୋଲିସ ମିଡିଆ ସେଣ୍ଟର ପର୍ଯ୍ୟଟକଙ୍କ ଉପରକୁ ପଥର ଫିଙ୍ଗାକୁ ଅସ୍ୱୀକାର କରୁଛି, ତେବେ ଏହା ସ୍ୱୀକାର କରୁଛି ଯେ, ପଥର ଫିଙ୍ଗା ହେଉଥିବା ଅ଼ଞ୍ଚଳକୁ ଯାଇଥିବା ବେଳେ ଦୁଇଜଣ ପର୍ଯ୍ୟଟକ ସାମାନ୍ୟ ଆହତ ହୋଇଛନ୍ତି। ତାଙ୍କ ବିରୋଧରେ କିଛି ଅପରାଧ ନଥିବାରୁ କେସକୁ ରଦ୍ଦ କରିବାକୁ ସେ ପ୍ରାର୍ଥନା କରିଥିଲେ।

ହାଇକୋର୍ଟରେ ଦାଖଲ କରିଥିବା ପିଟିସନରେ ସାମ୍ୱାଦିକ ଜଣକ ପୁଣି କହିଥିଲେ ଯେ, ସେ ଏକ ପ୍ରତିଷ୍ଠିତ ଖବରକାଗଜର ସାମ୍ୱାଦିକ। ସେ ଗୁଡ୍ ଫେଥ୍ ବା ବିଶ୍ୱସନୀୟତା ଆଧାରରେ ଏହି ନ୍ୟୁଜ୍‌ ପ୍ରକାଶ କରିଛନ୍ତି। ତାଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲା ‘କ୍ଷମତାର ଦୁରୁପଯୋଗ’ ଓ ‘ବାକ୍ ସ୍ୱାଧୀନତାର କଣ୍ଠରୋଧ’ ବୋଲି ସେ ଦର୍ଶାଇଥିଲେ।

ହାଇକୋର୍ଟ ତାଙ୍କ ରାୟରେ କହିଛନ୍ତି, ଲୋକଙ୍କ ମନରେ ଭୟ ସୃଷ୍ଟି କରାଇବା ବା ରାଜ୍ୟରେ ଅସ୍ଥିରତା ସୃଷ୍ଟି କରାଇବା ଏହି ଧାରା ଅନୁସାରେ ଅପରାଧ ହୋଇପାରେ। କିନ୍ତୁ ଏହା ଗୁଡ୍ ଫେଥ୍ ବା ବିଶ୍ୱସନୀୟତା ଆଧାରରେ କରାଯାଇଥିବାରୁ ଏହା ‘ଏକ୍ସେପସନ’ ବା ‘ସ୍ୱତନ୍ତ୍ର’ ଅଟେ। ଏହାକୁ ଅପରାଧ ବୋଲି କୁହାଯାଇ ପାରିବ ନାହିଁ। ଇଲେକ୍ଟ୍ରୋନିକ ଓ ପ୍ରିଣ୍ଟ ମିଡିଆ ଦ୍ୱାରା ହେଉଥିବା ଘଟଣାର ନ୍ୟାୟସଙ୍ଗତ ଓ ଖୋଲା ରିପୋର୍ଟିଂ ( Fair and frank) ଉପରେ ଅଙ୍କୁଶ ଲଗାଯାଇ ପାରିବ ନାହିଁ। କାରଣ ଏହା କିଛି ଲୋକଙ୍କ କାର୍ଯ୍ୟରେ ପ୍ରତିକୂଳ ପ୍ରଭାବ ପକାଇପାରେ। ‘ବାକ୍ ସ୍ୱାଧୀନତା’ ଅଧିନରେ ‘ପ୍ରେସ ସ୍ୱାଧୀନତା’ ମଧ୍ୟ ଆସୁଛି। ଏହା ଉପରେ କିଛି ନିର୍ଦ୍ଦିଷ୍ଟ କାରଣ ପାଇଁ ଅଳ୍ପ କଟକଣା ଲାଗୁ କରାଯାଇପାରେ। ଜମ୍ମୁ ଓ କାଶ୍ମୀର ହାଇକୋର୍ଟ ଏହି ଐତିହାସିକ ରାୟ ଦେଇଛନ୍ତି।

 

ଆହୁରି ପଢ଼ନ୍ତୁ

You might also like