ମନେପଡ଼େ ୯୧ ବର୍ଷ ତଳର ବିଭୀଷିକା, କରୋନା ପାଇଁ ଆସିବ କି କଳାଯୁଗ?

ନୂଆଦିଲ୍ଲୀ: କରୋନା ଆଗରେ ସମଗ୍ର ବିଶ୍ୱ ସତେ ଯେପରି ଅସହାୟ ହୋଇପଡ଼ିଛି। ବିଶେଷ କରି କରୋନା ମାଡ଼ ବିଶ୍ୱ ଅର୍ଥନୀତିକୁ ଦୋହଲାଇ ଦେଲାଣି। ଆଜକୁ ଠିକ୍ ୯୧ ବର୍ଷ ପୂର୍ବେ ବିରାଟ ଆର୍ଥିକ ମାନ୍ଦାବସ୍ଥା ବିଶ୍ୱରେ ଉଭା ହୋଇଥିଲା। ତେବେ କରୋନା ପ୍ରଭାବ ବିଶ୍ୱ ଅର୍ଥନୀତିରେ ପୁଣିଥରେ ଏକ କଳାଯୁଗ ସୃଷ୍ଟି କରିବ କି?

କାହିଁକି ନା କରୋନାକୁ ଆୟତ୍ତରେ ରଖିବାକୁ ଲକ୍‌ଡାଉନ୍‌ ଓ କର୍ଫ୍ୟୁ ଭଳି ବିଭିନ୍ନ କଟକଣା ଯୋଗୁଁ ସାରା ବିଶ୍ୱରେ ଶିଳ୍ପ ଓ ବାଣିଜ୍ୟ ଆଦି ଠପ୍ ହୋଇପଡ଼ିଛି। ଏହି କରୋନା ବିଭୀଷିକା, ବିଶ୍ୱ ଅର୍ଥନୀତିରେ ବିଂଶ ଶତାବ୍ଦୀର ତୃତୀୟ ଦଶନ୍ଧି ଭଳି ପୁଣି ଥରେ ଏକ ବିରାଟ ମାନ୍ଦାବସ୍ଥା ଆଣିବାକୁ ଯାଉଥିବା ଆଶଙ୍କା କରାଯାଉଛି।

ବିଶ୍ୱ ଅର୍ଥନୀତିର କଳାଯୁଗ:

୧୯୨୯ ମସିହା ବେଳର କଥା। ଏହି ସମୟରେ ବିଶ୍ୱରେ ଦେଖାଦେଇଥିଲା ଗ୍ରେଟ୍ ଡିପ୍ରେସନ୍ ବା ମହା ମାନ୍ଦାବସ୍ଥା। ୧୯୨୯ରେ ନ୍ୟୁୟର୍କ ଷ୍ଟକ୍ ଏକ୍ସଚେ୍ଞ୍ଜ କ୍ରାଶ୍ ସାରା ବିଶ୍ୱର ଅର୍ଥନୀତିକୁ ଏଭଳି ଦୋହଲାଇ ଦେଇଥିଲା ଯେ, ବିଶ୍ୱବ୍ୟାପୀ ଅଭିବୃଦ୍ଧି ହାର ୧୫ ପ୍ରତିଶତ ଖସିଥିଲା। ତଳିତଳାନ୍ତ ହୋଇଯାଇଥିଲେ ଶିଳ୍ପ ନିର୍ଭରଶୀଳ ଦେଶ। ୫୦ ପ୍ରତିଶତ ବାଣିଜ୍ୟ କମିବା ସହ ୩୦ ପ୍ରତିଶତ ବେକାରୀ ବଢ଼ିଥିଲା। ଏହି ଦୁର୍ଦ୍ଦିନରୁ ବାହାରିବାକୁ ବିଶ୍ୱକୁ ଲାଗିଥିଲା ପ୍ରାୟ ୧୦ବର୍ଷ ସମୟ।

ଆଶଙ୍କା କରାଯାଉଛି, ବିଶ୍ୱସ୍ତରରେ ପୁଣି ସେହିଭଳି ବୃହତ୍ ଅର୍ଥନୈତିକ ମାନ୍ଦାବସ୍ଥା ଆଣିବାକୁ ଯାଉଛି। କରୋନା ଗ୍ରେଟ୍ ଡିପ୍ରେସନ୍ ପରଠୁ ସବୁଠାରୁ ବଡ଼ ଅର୍ଥନୈତିକ ଦୁଃସ୍ଥିତି ଆସିବ ବୋଲି ଆକଳନ କରିଛନ୍ତି ଇଣ୍ଟରନ୍ୟାସନାଲ ମନିଟାରୀ ଫଣ୍ଡ୍ ବା IMF ମୁଖ୍ୟ କ୍ରିଷ୍ଟାଲିନା ଜର୍ଜିଭା। ଏହା ଉଭୟ ବିକଶିତ ଓ ବିକାଶଶୀଳ ଅର୍ଥନୀତିକୁ ପ୍ରଭାବିତ କରିବ ୧୭୦ଟି ଦେଶରେ ମୁଣ୍ଡପିଛା ଆୟ କମିବ।

କରୋନା ବିଭୀଷିକା ପୂର୍ବରୁ, ଜାନୁଆରୀ ମାସରେ ୨୦୨୦ ପାଇଁ ୩.୩ ଓ ୨୦୨୧ ପାଇଁ ୩.୪ ପ୍ରତିଶତ ବିଶ୍ୱ ଅଭିବୃଦ୍ଧି ଆକଳନ କରିଥିଲା IMF। ତେବେ ବର୍ତ୍ତମାନର ସ୍ଥିତକୁ ଦେଖି ୨୦୨୦ରେ ଏହି ହାର ଜୋରଦାର ଖସିବ ବୋଲି ଆଶଙ୍କା କରାଯାଉଛି। ଯଦି ଚଳିତ ବର୍ଷ ଶେଷ ସୁଦ୍ଧା ମହାମାରୀ ନିୟନ୍ତ୍ରଣ ଭିତରକୁ ଆସେ, ତେବେ ଆସନ୍ତାବର୍ଷ ଏଥିରେ ଆଂଶିକ ସୁଧାର ଆସିବାର ସମ୍ଭାବନା ରହିଛି ବୋଲି ଅର୍ଥନୀତି ବିଶେଷଜ୍ଞ କହିଛନ୍ତି।

କେବଳ IMF ନୁହେଁ, ମିଳିତ ଜାତିସଂଘର ମଧ୍ୟ ଆଶଙ୍କା ଯେ, ନୂଆ କରି ପୃଥିବୀର ପ୍ରାୟ ୫୦ କୋଟି ଲୋକଙ୍କୁ ଦାରିଦ୍ର୍ୟ ଭିତରକୁ ଠେଲିଦେବ। ଏହି ବିଶ୍ୱସଂକଟ ମହାମାରୀ ସରିବା ବେଳକୁ ଗରିବଙ୍କ ସମୁଦାୟ ସଂଖ୍ୟା ପ୍ରାୟ ୮ଶହ କୋଟି ହୋଇଥିବ।

ସେଥିରୁ ପ୍ରାୟ ୪୦ ପ୍ରତିଶତ ନୂଆ ଗରିବ ପୂର୍ବ ଏସିଆ ଓ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଏବଂ ୩୩ ପ୍ରତିଶତ ଆଫ୍ରିକା ଓ ଦକ୍ଷିଣ ଏସିଆରେ ସୃଷ୍ଟି ହୋଇଥିବେ। ଏହି ମାନ୍ଦାବସ୍ଥା ଦ୍ୱାରା କ୍ଷୁଦ୍ର ଓ ଅତିକ୍ଷୁଦ୍ର ଶିଳ୍ପଦ୍ୟୋଗୀ, ଛୋଟ ଦୋକାନୀ ଏପରିକି କୃଷି କ୍ଷେତ୍ର ବି ଅତ୍ୟଧିକ ମାତ୍ରାରେ ପ୍ରଭାବିତ ହେବ ବୋଲି ଆଶଙ୍କା କରିଛନ୍ତି।

ଆସନ୍ତା ସପ୍ତାହରେ ବିଶ୍ୱ ବ୍ୟାଙ୍କ, IMF ଓ G-20 ରାଷ୍ଟ୍ର ସମୂହର ଅର୍ଥମନ୍ତ୍ରୀଙ୍କ ବୈଠକ ହେବାକୁ ଥିବା ବେଳେ, ଏହି ସଂକଟ ସ୍ଥିତି ଉପରେ କଣ ଆଲୋଚନା ହେଉଛି, ତା ଉପରେ ନଜର ବିଶ୍ୱବାସୀଙ୍କ ରହିଛି।

You might also like