ମୁମ୍ବାଇ ଡ୍ୟାନ୍ସ ବାର୍ ମାଲିକଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି

ରାଜ୍ୟ ସରକାରଙ୍କ ବାର୍ ଆଇନ କୋହଳ କଲେ କୋର୍ଟ

ନୂଆ ଦିଲ୍ଲୀ : ଡ୍ୟାନ୍ସ ବାର୍‌ ମାଲିକଙ୍କୁ ଆଶ୍ୱସ୍ତି। ମହାରାଷ୍ଟ୍ର ସରକାରଙ୍କ ଡ୍ୟାନ୍ସ ବାର୍ ଆଇନକୁ ସାମାନ୍ୟ କୋହଳ କରିଛନ୍ତି ସୁପ୍ରିମକୋର୍ଟ। ଏହାଫଳରେ ଡ୍ୟାନ୍ସ ବାର୍‌ରେ ନୃତ୍ୟ ସହ ମଦ ପରିବେଷଣ ହୋଇପାରିବ।

ହେଲେ ଟଙ୍କା ଉଡ଼ାଇବା ଓ ଅଶ୍ଳୀଳ ନୃତ୍ୟ କରାଯାଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି। ଏହାସହ ଶିକ୍ଷାନୁଷ୍ଠାନ ଓ ଧର୍ମାନୁଷ୍ଠାନ ଠାରୁ ୧ କିଲୋମିଟର ଦୂରରେ ବାର୍ କରାଯିବା ଆଇନକୁ କୋର୍ଟ ଅଗ୍ରାହ୍ୟ କରିଛନ୍ତି।

ମୁମ୍ବାଇ ଭଳି ବଡ଼ ସହରରେ ଏହା ସମ୍ଭବ ନୁହଁ ବୋଲି କୋର୍ଟ କହିଛନ୍ତି। ରାଜ୍ୟ ସରକାରଙ୍କ ଡ୍ୟାନ୍ସ ବାର୍‌ ଆଇନ ଯୋଗୁଁ ରାଜ୍ୟରେ ଏନେଇ ଲାଇସେନ୍ସ ମିଳିବା କଷ୍ଟକର ହେଉଥିଲା। ଏନେଇ ବାର୍ ମାଲିକଙ୍କ ଆବେଦନର ଶୁଣାଣି କରି କୋର୍ଟ ଏଥିରେ କୋହଳ କରିଛନ୍ତି।

ଶୁଣାଣି କରି କୋର୍ଟ କହିଛନ୍ତି ଯେ, ଡ୍ୟାନ୍ସ ବାର୍‌କୁ ନିୟନ୍ତ୍ରଣ କରିବା ଯଥାର୍ଥ ହେଲେ ଏହାକୁ ବନ୍ଦ କରିଦେବା ଠିକ୍ ନୁହଁ। ରାଜ୍ୟ ସରକାରଙ୍କ ବାର୍ ଆଇନରେ ଥିବା କେତେକ ବ୍ୟବସ୍ଥାକୁ ମୋରାଲ ପୋଲିସିଂ କହିବା ସହ ଏହି ନିୟମ ଆଧାରରେ ଗୋଟିଏ ବି ଲାଇସେନ୍ସ ପ୍ରଦାନ କରାନଯିବାକୁ କୋର୍ଟ ନାପସନ୍ଦ କରିଛନ୍ତି।

You might also like