ଜିଓ ଲଞ୍ଚ୍ କରିବ ଦେଶର ପ୍ରଥମ ୫ଜି ନେଟୱାର୍କ

ନୂଆଦିଲ୍ଲୀ: ଦେଶବାସୀଙ୍କ ପାଇଁ ରିଲାଏନ୍ସ ଇଣ୍ଡଷ୍ଟ୍ରୀର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ବଡ଼ ଘୋଷଣା କରିଛନ୍ତି। ବୁଧବାର ରିଲାଏନ୍ସ ଇଣ୍ଡଷ୍ଟ୍ରୀ ଲିମିଟେଡ୍ (ଆର୍‌ଆଇଏଲ୍)ର ୪୩ତମ ଏଜିଏମରେ ରିଲାଏନ୍ସ ଇଣ୍ଡଷ୍ଟ୍ରୀର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ମେଡ୍ ଇନ୍ ଇଣ୍ଡିଆ ୫ଜି ସଲ୍ୟୁସନ୍ସ ସେବା ନେଇ ଘୋଷଣା କରିଛନ୍ତି, ଯାହା ଭାରତରେ ବିଶ୍ୱସ୍ତରୀୟ ୫ଜି ସର୍ଭିସ୍ ପ୍ରଦାନ କରିବ। ୫ଜି ନେଟୱାର୍କ ଆରମ୍ଭ ବ୍ୟତୀତ ଆଜିର ବୈଠକରେ କମ୍ପାନୀ ଆଉ କିଛି ବଡ଼ ଘୋଷଣା ମଧ୍ୟ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭର ଭାରତ ଯୋଜନା ଅନ୍ତର୍ଗତ ଏହା କାର୍ଯ୍ୟକାରୀ ହେବ ବୋଲି ମୁକେଶ ଅମ୍ବାନୀ କହିଛନ୍ତି।

ଦେଶରେ ପ୍ରଥମ ୫ଜି ନେଟୱାର୍କ ପାଇଁ ରିଲାଏନ୍ସ କମ୍ପାନୀ ୧୦୦ ପ୍ରତିଶତ ଭାରତୀୟ ଟେକ୍ନଲୋଜି ଓ ସଲ୍ୟୁସନ୍ସର ବ୍ୟବହାର କରିବ ବୋଲି ଅମ୍ବାନୀ କହିଛନ୍ତି। ୫ଜି ସର୍ଭିସର ଫିଲ୍ଡ ଡିପ୍ଲୟମେଣ୍ଟ ଆସନ୍ତାବର୍ଷ ଆରମ୍ଭ ହେବା ନେଇ ଆଶା ରହିଛି। ସର୍ଭିସର ଟ୍ରାଏଲ ସ୍ପେକ୍ଟ୍ରମ ମିଳିବା ପରେ ତୁରନ୍ତ ଆରମ୍ଭ କରାଯିବ।

ଏହା ସହ ଗୁଗଲ୍ ଓ ଜିଓ ମଧ୍ୟରେ ଏକ ଚୁକ୍ତିନାମା ହୋଇଛି। ଏହି ଚୁକ୍ତିନାମା ଅନ୍ତର୍ଗତ ଗୁଗଲ୍ ଜିଓରେ ୭.୭ ପ୍ରତିଶତ ପାର୍ଟନରଶିପ୍ ଆଧାରରେ ୩୩,୭୩୭ କୋଟି ଟଙ୍କାର ପୁଞ୍ଜି ନିବେଶ କରିବ। କେବଳ ଏତିକି ନୁହେଁ, ଗୁଗଲ୍ ସହ ଷ୍ଟ୍ରାଟେଜିକ୍ ପାର୍ଟନରଶିପର ମଧ୍ୟ ଘୋଷଣା କରାଯାଇଛି। ଏହାସହ ଦେଶକୁ ୨ଜି ମୁକ୍ତ କରିବା ପାଇଁ ଅମ୍ବାନୀ ପ୍ରତିଶ୍ରୁତି ଦେଇଛନ୍ତି। ଏହି ଅବସରରେ ଅମ୍ବାନୀ କହିଛନ୍ତି, ଭାରତରେ ଯେଉଁ ୫ଜି ସଲ୍ୟୁସନ୍ସର ଟ୍ରାଏଲ୍ କରାଯିବ, ତାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଆତ୍ମନିର୍ଭର ଭାରତ ଅଭିଯାନ ପାଇଁ ସମର୍ପିତ ହେବ।

ତେବେ ରିଲାଏନ୍ସର ବଡ଼ ଇନୋଭେସନ୍ ହେଉଛି ଜିଓ ଗ୍ଲାସ୍। ଏହା ଏକ ଚଷମା, ଯାହାକୁ କୌଣସି ଫୋନ୍ ସହ ଯୋଡ଼ି ଇଣ୍ଟରନେଟ୍ ବ୍ୟବହାର କରାଯାଇପାରିବ। ଏହି ଗ୍ଲାସର ଓଜନ ମାତ୍ର ୭୫ ଗ୍ରାମ। ଏହା କେବଳ କେବୁଲ୍ ସହ କନେକ୍ଟ ରହିବ। ଏଥିରେ ଅଡିଓ ଅର୍ଥାତ୍ ମ୍ୟୁଜିକ୍ ମଧ୍ୟ ଚାଲିବ ଏବଂ ୨୫ଟି ଆପ୍ଲିକେଶନ୍ ଉପଲବ୍ଧ ରହିବ। ଏଥିରେ ୨ଡି ଓ ୩ଡି ଭିଡିଓ ଚ୍ୟାଟିଂର ମଧ୍ୟ ସୁବିଧା ରହିବ।
ଏହାସହ ଜିଓ ଗ୍ଲାସ ଦ୍ୱାରା ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ୩ଡି ଭର୍ଚ୍ୟୁଆଲ କ୍ଲାସରୁମରେ ଅଧିକ ନିକଟବର୍ତ୍ତୀ ହୋଇପାରିବେ। ଏବେ କରୋନା ଯୋଗୁ ଅନଲାଇନ କ୍ଲାସକୁ ଗୁରୁତ୍ୱ ଦିଆଯାଉଥିବାରୁ ଜିଓ ପକ୍ଷରୁ ଜିଓ ଗ୍ଲାସର ଆରମ୍ଭ କରାଯାଇଛି। ଜିଓ ପକ୍ଷରୁ ନୂତନ ଭାବେ ଜିଓ ଟିଭି+ ଏବଂ ଜିଓ ଗ୍ଲାସ ଆରମ୍ଭ କରାଯାଇଛି। ଜିଓ ଟିଭି+ ଏମିତି ଏକ ଆପ୍ଲିକେସନ ଯାହା ନେଟଫ୍ଲିକ୍ସ, ଆମାଜନ ପ୍ରାଇମ୍ ଓ ହଟଷ୍ଟାର ଭଳି ଆପକୁ ଟକ୍କର ଦେବ। ଜିଓ ମାର୍ଟ ହ୍ୱାଟସଆପ ସହ ମିଳିତ ଭାବେ କାମ କରିବ।

ରିଲାଏନ୍ସ ଜିଓ ମଧ୍ୟ ମାର୍କେଟକୁ ଲେଭଲ୍-୫ ସ୍ମାର୍ଟଫୋନ୍ ଆଣିବା ନେଇ ଘୋଷଣା କରିଛି। ଏହାବ୍ୟତୀତ ଗୁଗଲ୍ ସହ ମିଶି ରିଲାଏନ୍ସ ଏକ ଆଣ୍ଡ୍ରଏଡ୍ ବେଷ୍ଟ ଅପରେଟିଂ ସିଷ୍ଟମ୍ ମଧ୍ୟ ତିଆର କରିବ। ଭାରତୀୟଙ୍କ ହାତରେ ଶସ୍ତା ସ୍ମାର୍ଟଫୋନ୍ ଯୋଗାଇଦେବା ଏହାର ଏକମାତ୍ର ଉଦ୍ଦେଶ୍ୟ। ଅମ୍ବାନୀ ମଧ୍ୟ କରୋନା ମହାମାରୀକୁ ଆଧୁନିକ ଇତିହାସର ସବୁଠାରୁ ବଡ଼ ସଙ୍କଟ ବୋଲି କହିଛନ୍ତି। କିନ୍ତୁ ଭାରତ ଏବଂ ସମଗ୍ର ଦୁନିଆ ଏହି ମହମାରୀରୁ ଶୀଘ୍ର ମୁକ୍ତ ପାଇ ପୁଣିଥରେ ସାଧାରଣ ଜୀବନଯାବନ କରିବେ ବୋଲି ଅମ୍ବାନୀ କହିଛନ୍ତି।

You might also like