ଦିଲ୍ଲୀ ହିଂସା: ଲାଲ୍‌କିଲ୍ଲା ଗୁବନ୍ଦରୁ ୩ ବହୁମୂଲ୍ୟ କଳସ ଗାଏବ

ନଆଦିଲ୍ଲୀ: ଗଣତନ୍ତ୍ର ଦିବସରେ ଲାଲ୍‌କିଲ୍ଲାରେ ଘଟିଥିବା ହିଂସା ଘଟଣାରେ ଗୋଟିଏ ପରେ ଗୋଟିଏ ଘଟଣା ସାମ୍ନାକୁ ଆସୁଛି। ମିଳିଥିବା ଖବର ଅନୁଯାୟୀ, ଏହି ହିଂସାରେ ଲାଲ୍‌କିଲ୍ଲା ଐତିହାସିକ ଇମାରତ୍‌ର ଅପୂରଣୀୟ କ୍ଷତି ହୋଇଛି। ଏକଥା କହିଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ। ସାମ୍ବାଦିକମାନଙ୍କ ସହ ଆଲୋଚନାବେଳେ ସେ କହିଛନ୍ତି, ଲାଲ କିଲ୍ଲାର ଯେଉଁ ସ୍ଥାନରେ ତ୍ରିରଙ୍ଗା ଉଡୁଛି ସେଠାରେ ସ୍ଥାପନା କରାଯାଇଥିବା ୨ଟି ପତଳ କଳସ ଗାଏବ ହୋଇଯାଇଛି।
ସେତିକି ନୁହେଁ, କିଲ୍ଲାର ମୁଖ୍ୟ ଦ୍ୱାର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ପଟେଲ କହିଛନ୍ତି, କ୍ଷତିଗ୍ରସ୍ତ ହୋଇଥିବା ଏହ କଳାକୃତି ଖୁବ୍‌ ମୂଲ୍ୟବାନ। ଯେତେ ଟଙ୍କା ଖର୍ଚ୍ଚ କଲେ ବି ଏହାକୁ ପୂରଣ କରିପାରିବ ନାହିଁ। ତେବେ ୨୬ ଜାନୁଆରୀରେ ହୋଇଥିବା ଏହି ହିଂସାକାଣ୍ଡ ଘଟଣାରେ ୧୭ଶ ଶତାବ୍ଦୀର ଏଇ ଇମାରତର ଯେଉଁ ଆର୍ଥିକ କ୍ଷତି ହୋଇଥିଲା ତାହାର ହିସାବ ବାହାର କରୁଛନ୍ତି ସରକାର।
 ଜାତୀୟ ଗଣମାଧ୍ୟମ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ, ହିଂସାବେଳେ ପ୍ରଦର୍ଶନକାରୀମାନେ ଲାଲ୍‌କିଲା ପ୍ରଭୂତ କ୍ଷତି ଘଟାଇଛନ୍ତି। କିଲ୍ଲାର ଗୁବନ୍ଦ ଉପର ଭାଗରେ ଥିବା ତିନୋଟି ବହୁମୂଲ୍ୟ କଳସ ସେଠାରେ ଆଉ ନାହିଁ। ଟିକେଟ କାଉଣ୍ଟର ମଧ୍ୟ ନଷ୍ଟ ହୋଇଯାଇଛି। ଟଏଲେଟ, ଏସି ସମ୍ପୂର୍ଣ୍ଣ ନଷ୍ଟ ହୋଇଛି। କିଲ୍ଲା ସମ୍ପର୍କିତ ସୂଚନା ଥାଇ ଲଗାଯାଇଥିବା ଶିଳାଲେଖକୁ କାଢି ଫୋପାଡ଼ି ଦିଆଯାଇଛି।
ସେତିକି ନୁହେଁ, ଷ୍ଟାଫ ରୁମ୍‌ ମଧ୍ୟ ଭଙ୍ଗାରୁଜା ହୋଇଛି। ସିଡି ଏବଂ ରେଲିଂ ଭଙ୍ଗାରୁଜା ହୋଇଛି। ସିସିଟିଭି କ୍ୟାମେରା ଭଙ୍ଗାଯାଇଛି। ଅଧିକାରୀଙ୍କ କହିବା ଅନୁଯାୟୀ ଏହାକୁ ସଜାଡିବା ପାଇଁ ମାସାଧିକ ସମୟ ଲାଗିବ। କିଲ୍ଲା ବାହାରେ ଲାଗିଥିବା ଲାଇଟ, କିଲ୍ଲାର ମୁଖ୍ୟଦ୍ୱାରରେ ଲାଗିଥିବା ବିଭିନ୍ନ ସ୍ଥାନରେ ଭଙ୍ଗାରୁଜା ହୋଇଛି।
ପଟେଲଙ୍କ କହିବା ଅନୁଯାୟୀ ଏ ସଂକ୍ରାନ୍ତ ରିପୋର୍ଟ ପୋଲିସକୁ ଦିଆଯାଇ ସାରିଛି। ଏପରି ଐତିହାସିକ ସ୍ଥାନର ଭଙ୍ଗାରୁଜା କରିଥିବା ବ୍ୟକ୍ତିଙ୍କୁ ତୁରନ୍ତ ଧରି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଆର୍କିଓଲଜିକାଲ ସର୍ଭେ ଅଫ ଇଣ୍ଡିଆ (ASI) ପୋଲିସକୁ କହିଛି।
ସୂଚନାଥାଉ କି, ଚାଷୀ ଆନ୍ଦୋଳନ ନାଁରେ ହୋଇଥିବା ହିଂସାକାଣ୍ଡ ଘଟଣା ପରେ ସିଂଘୁ ସୀମାରେ ଉତ୍ତେଜନା ଦେଖା ଦେଇଥିଲା।  ସ୍ଥାନୀୟ ଲୋକେ ଏବଂ ଚାଷୀ ସାମ୍ନାସାମ୍ନି ହୋଇଥିଲେ।  ଚାଷୀମାନେ ତୁରନ୍ତ ଆନ୍ଦୋଳନସ୍ଥଳ ଛାଡି ଚାଲି ଯାଆନ୍ତୁ ବୋଲି ସ୍ଥାନୀୟ ଲୋକେ ଦାବି କରିଥିଲେ।
ଅନ୍ୟପକ୍ଷେ ଟ୍ରାକ୍ଟର ରାଲି ବେଳେ ସର୍ତ୍ତ ଖିଲାପ ଅଭିଯୋଗରେ ଦିଲ୍ଲୀ ପୋଲିସ ପକ୍ଷରୁ ୨୦ଜଣ ଚାଷୀ ନେତାଙ୍କୁ ନୋଟିସ ଜାରି କରାଯାଇଥିଲା।
You might also like