ସର୍ବକାଳୀନ ରେକର୍ଡ; ଡିସେମ୍ବରରେ ସର୍ବାଧିକ ୧ ଲକ୍ଷ ୧୫ ହଜାର କୋଟି ଟଙ୍କାର ଜିଏସ୍ଟି ଆଦାୟ
ନୂଆଦିଲ୍ଲୀ: ଦେଶରେ ବଢ଼ିଛି ଜିଏସ୍ଟି ଆଦାୟ। ଡିସେମ୍ବର ମାସରେ ସର୍ବାଧିକ ୧ ଲକ୍ଷ ୧୫ ହଜାର କୋଟି ଟଙ୍କାର ଜିଏସ୍ଟି ଆଦାୟ ହୋଇଛି। ଏନେଇ ଅର୍ଥ ସଚିବ ଅଜୟ ଭୂଷଣ ପାଣ୍ଡେ ସୂଚନା ଦେଇଛନ୍ତି।
ଜିଏସ୍ଟି ଆଦାୟକୁ ନେଇ ଅର୍ଥ ସଚିବ କହିଛନ୍ତି, ଦେଶରେ ଏବେ ଅର୍ଥନୀତି ଟ୍ରାକ୍କୁ ଫେରୁଛି। ଏଥିସହ ବିଭିନ୍ନ କ୍ଷେତ୍ରରେ ଅନେକ ପରିବର୍ତ୍ତନ କରାଯାଇଛି। ଯେଉଁମାନେ ଜିଏସ୍ଟି ଫାଙ୍କିବା ପାଇଁ ଉଦ୍ୟମ କରୁଛନ୍ତି, ସେମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ସିଷ୍ଟମର ଅପବ୍ୟବହାର ରୋକିବା ପାଇଁ ମଧ୍ୟ ବିଭିନ୍ନ ପଦକ୍ଷେପ ନିଆଯାଇଛି। ଯାହା ଫଳରେ ଜିଏସ୍ଟି ଆଦାୟ ବଢ଼ିଛି। ଜିଏସ୍ଟି ଠକେଇ ରୋକିବା ପାଇଁ କଡ଼ା ପଦକ୍ଷେପ ନିଆଯାଇଛି।
ଜିଏସ୍ଟି ଫାଙ୍କିବା ଅଭିଯୋଗରେ ଗତ ଦେଢ଼ ମାସରୁ ୨ ମାସ ଭିତରେ ପ୍ରାୟ ୧୮୦ ଲୋକଙ୍କୁ ଗିରଫ କରାଗଲାଣି। ଏମାନଙ୍କ ଭିତରେ ଅନେକ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଓ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଅଛନ୍ତି ବୋଲି ଅର୍ଥ ସଚିବ କହିଛନ୍ତି।
୨୦୧୯ ବର୍ଷ ଡିସେମ୍ବର ମାସରେ ଆଦାୟ ହୋଇଥିବା ଜିଏସ୍ଟି ତୁଳନାରେ ଏଥର ୧୨ ପ୍ରତିଶତ ଅଧିକ ଆଦାୟ ହୋଇଥିବା ଅର୍ଥମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ୨୦୨୦ ବର୍ଷ ନଭେମ୍ବର ମାସରେ ଜିଏସ୍ଟି ଆଦାୟ ୧ କୋଟି ଅତିକ୍ରମ କରିଥିବା ବେଳେ ଡିସେମ୍ବରରେ ଏହା ସର୍ବାଧିକ ୧ ଲକ୍ଷ ୧୫ ହଜାର କୋଟି ଟଙ୍କା ହୋଇଛି।
ଦେଶର ଦ୍ରାଦ୍ରା ଓ ନଗର ହାବେଳିରେ ଅଧିକ ଜିଏସ୍ଟି ଆଦାୟ ହୋଇଛି। ଏଠାରେ ବର୍ଷକୁ ବର୍ଷ ଦ୍ରବ୍ୟ ଓ ସେବାକର ଆଦାୟ ୬୮ ପ୍ରତିଶତ ବୃଦ୍ଧି ହେଉଛି। ଏହା ପଛକୁ ରହିଛି ତ୍ରିପୁରା ଏଠାରେ ବର୍ଷକୁ ବର୍ଷ ୨୫ ପ୍ରତିଶତ ଜିଏସ୍ଟି ଆଦାୟ ବୃଦ୍ଧି ପାଉଛି।