କଂଗ୍ରେସ ରାଜନୀତିରେ ବିଚିତ୍ର ଚିତ୍ର : ଏକାକି ନିର୍ବାଚନ ପ୍ରଚାର କରୁଛନ୍ତି ରାହୁଲ ଗାନ୍ଧି,ଜମ୍ମୁରେ ୨୩ ପୁରୁଖା ନେତାଙ୍କ ମେଳି

  • କାଶ୍ମୀରରେ ଏକାଠି ହେଲେ ୨୩ ବରିଷ୍ଠ ନେତା
  • ୨୩ ନେତା ନେତୃତ୍ୱ ପରିବର୍ତ୍ତନ ନେଇ ଚିଠି ଲେଖିଥିଲେ
  • ଗୁଲମନବୀଙ୍କ ନେତୃତ୍ୱରେ ଏକାଠି ହେଲେ ପୁରୁଖା
  • ଆଗାମୀ ନିର୍ବାଚନରେ କଂଗ୍ରେସର ପ୍ରଦର୍ଶନ କିପରି ରହିବ ?

ନୂଆଦିଲ୍ଲୀ: ଦିନ କେଇଟା ପରେ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ। ଦୋଦୁଲ୍ୟମାନ ସ୍ଥିତିରେ ଥିବା କଂଗ୍ରେସ ବଳ ଲଗାଇ ପ୍ରଦର୍ଶନରେ ସୁଧାର ଆଣିବାକୁ ଚେଷ୍ଟା କରିବା କଥା। ତେବେ ନିର୍ବାଚନ ପ୍ରଚାର ଜୋର ଧରିଥିବା ବେଳେ ଜମ୍ମୁରେ ୨୩ ବରିଷ୍ଠ କଂଗ୍ରେସ ନେତା ସମ୍ମିଳନୀ କରିବାକୁ ନେଇ ସୃଷ୍ଟି ହୋଇଛି ଦ୍ୱନ୍ଦ୍ୱ । ରାହୁଲ ଏକାକି ପ୍ରଚାର ଚଳାଇଥିବା ବେଳେ ଏହି ନେତାଙ୍କ ଆବଶ୍ୟକତା ମଣୁନାହିଁ କି କଂଗ୍ରେସ ? ଦେଶର ସର୍ବ ପୁରାତନ ରାଜନୈତିକ ଦଳରେ ଏଭଳି ବିଚିତ୍ର ସ୍ଥିତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

କଂଗ୍ରେସ ରାଜନୀତିରେ ବିଚିତ୍ର ଚିତ୍ର। ୫ଟି ରାଜ୍ୟରେ ନିର୍ବାଚନ ଲାଗି ଏକାକି ବୁଲି ବୁଲି ପ୍ରଚାର କରୁଛନ୍ତି ରାହୁଲ ଏଣେ ଜମ୍ମୁରେ ପୂର୍ବତନ ସାଂସଦ ଗୁଲାମନବୀ ଆଜାଦଙ୍କ ଘରେ ୨୩ ପୁରୁଖା ନେତାଙ୍କ ମେଳି ଲଗାଇଛନ୍ତି । ଆଗାମୀ ନିର୍ବାଚନରେ କଂଗ୍ରେସ ଭଲ କରିବ ବୋଲି କେହି ଭାବୁଥାଇ ପାରନ୍ତି, ମାତ୍ର ଏହି ପୁରୁଖା ନେତାଙ୍କର ବୋଧହୁଏ ସେ ବିଶ୍ୱାସ ନାହିଁ। କାରଣ ଗତ ଦଶ ବର୍ଷରେ କଂଗ୍ରେସ ଦେଶବ୍ୟାପୀ ଦୋଦୁଲ୍ୟମାନେ ସ୍ଥିତିରେ ପହଞ୍ଚିଥିବା, ଏହି ନେତାମାନେ ଖୋଲାଖୋଲି ମତ ବ୍ୟକ୍ତ କରିଛନ୍ତି। ଦଳକୁ ମଜଭୂତ କରିବା ଉଦ୍ଦେଶ୍ୟରେ ସେମାନେ ଏକାଠି ହୋଇଥିବା କହିଛନ୍ତି । ତେବେ ଏହି ସମ୍ମିଳନୀରୁ ରାହୁଲ ଗାନ୍ଧୀଙ୍କ ପ୍ରତି ନେତାଙ୍କ ଅନାସ୍ଥା ଭାବ ସ୍ପଷ୍ଟ ବାରି ହୋଇପଡିଛି। ସମ୍ମିଳନୀକୁ ଅଧିକ ସଂଖ୍ୟକ କଂଗ୍ରେସ କର୍ମୀ ଆସିବାକୁ ଆଗ୍ରହୀ ଥିଲେ। ତେବେ କାଳେ ଏଥିରୁ ଭୁଲ ସିଗନାଲ ଯିବ ସେଥିଲାଗି ଆଗାମୀ ସମ୍ମିଳନୀ ଯାଏଁ ଅପେକ୍ଷା କରିବାକୁ ସେମାନଙ୍କୁ କୁହାଯାଇଥିବା ଏବେ ରାଜ୍ୟସଭା ଦାୟିତ୍ୱରୁ ମୁକ୍ତ ହୋଇଥିବା ଗୁଲାମବନୀ ଆଜାଦ୍ କହିଛନ୍ତି ।

ଗୁଲାମ ନବୀ ଆଜାଦ୍ ଜମ୍ମୁ ସମ୍ମିଳନୀର ଆୟୋଜନ କରିଥିବା ବେଳେ ଏଥିରେ ଅସନ୍ତୁଷ୍ଟ ୨୩ ନେତା ସାମିଲ ହୋଇଥିଲେ।  କଂଗ୍ରେସ ନେତୃତ୍ୱକୁ ନେଇ ପ୍ରଶ୍ନ ଉଠାଇଥିବା କପିଲ ସିବଲ, ଆନନ୍ଦ ଶର୍ମା, ରାଜ ବାବ୍ବର, ଭୁପିନ୍ଦର ସିଂହ ହୁଡା, ମନୀଷ ତ୍ୱିଓ୍ୱାରୀ ଓ  ବିବେକ୍ ତନ୍ଖା ଭଳି ହେଭିୱେଟ୍ ଏକାଠି ହେବା ସହ କଂଗ୍ରେସର ସ୍ଥିତି ସଂପର୍କରେ ଆଲୋଚନା କରିଥିଲେ। ଆମେ ଯୁବକ ବେଳେ କଂଗ୍ରେସର ଭଲ ଦିନ ଦେଖିଛୁ, ତେବେ ବୁଢା ହେଲା ବେଳକୁ ଦଳକୁ ଏଭଳି ଦୁର୍ବଳ ସ୍ଥିତିରେ ଦେଖିବାକୁ ଚାହୁଁ ନାହିଁ ବୋଲି କହିଥିଲେ ବରିଷ୍ଠ ନେତା ଆନନ୍ଦ ଶର୍ମା ।

କଂଗ୍ରେସ ନେତୃତ୍ୱକୁ ନେଇ ପ୍ରଶ୍ନ ଉଠାଇବା ସହ ଏହି ପୁରୁଖା ନେତାମାନେ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିଥିଲେ। ସାଂଗଠନିକ ସ୍ତରରେ ଆମୁଳଚୂଳ ପରିବର୍ତ୍ତନ ସହ ଦଳରେ ଅଧିକ ଗଣତନ୍ତ୍ର ଆଣିବା ଲାଗି ଏମାନେ ଦାବି କରିଥିଲେ। ନିର୍ବାଚନ ମାଧ୍ୟମରେ ଦଳୀୟ ସଭାପତି ବାଛିବା ଲାଗି ବି ସୋନିଆଙ୍କୁ ପ୍ରସ୍ତାବ ଦିଆଯାଇଥିଲା। ତେବେ ଏହି ଚିଠି ଗଣମାଧ୍ୟମରେ ଲିକ୍ ହୋଇଯିବା ପରେ କଂଗ୍ରେସରେ ଝଡ଼ ସୃଷ୍ଟି ହୋଇଥିଲା।  ସେବେଠାରୁ କଂଗ୍ରେସର ପୁରୁଖା ନେତା ଓ ଯୁବନେତା ଦୁଇ ଗୋଷ୍ଠୀରେ ପରିଣତ ହୋଇଥିବା ଚର୍ଚ୍ଚା ହେଉଛି।

 

You might also like