’ମୋର କେହି ଝିଅ ନାହାନ୍ତି, ମୁଁ ମରିଗଲେ ପୋଲିସକୁ ଦେଇଦେବ ମୃତଦେହ’

ସଂକ୍ରମଣ ଭୟରେ ବୁଢ଼ା ବାପାକୁ ଏକା କରିଦେଲେ ତିନି ଝିଅ, ଦେବଦୂତ ସାଜି ଜୀବନ ବଞ୍ଚାଇଲେ କନେଷ୍ଟବଳ

  • ”ବାପାଙ୍କୁ କାଳେ କରୋନା ହୋଇଥିବ’, ଆମର ତ ପୁଣି ପିଲା ଛୁଆ ଅଛନ୍ତି‘
  • ସଂକ୍ରମଣ ଭୟରେ ବୁଢ଼ାବାପାକୁ ଏକୁଟିଆ କରିଦେଲେ ପରିବାର ଲୋକ
  • ୮୦ ବର୍ଷିୟ ବୃଦ୍ଧଙ୍କର ପରିବାରରେ ୩ ବିବାହିତ ଝିଅ
  • ଦିଲ୍ଲୀ ପୋଲିସ୍ କନେଷ୍ଟବଳଙ୍କ ପାଇଁ ବଞ୍ଚିଲା ଜୀବନ
  • ମେଡ଼ିକାଲକୁ ଯିବାକୁ ରାଜି ହେଉନଥିଲେ ପୂର୍ବତନ ସିଆଇଡି ଅଫସର

ଦିଲ୍ଲୀ : ପରିବାର ହାତ ଛାଡ଼ିଦେଲା, ସାହା ହେଲା ପୋଲିସ୍ । ସଂକ୍ରମଣ ଭୟରେ ଅଲୋଡ଼ା ହୋଇଗଲେ ବୁଢ଼ା ବାପା । ଭଗବାନ ଭରସାରେ ଏକୁଟିଆ ବୁଢ଼ାବାପାକୁ ଘରେ ଛାଡ଼ିଦେଲେ ତିନି ଝିଅ । ଏପରି ସମୟରେ ବୃଦ୍ଧଙ୍କ ପାଇଁ ଦେବଦୂତ ହୋଇ ଉଭାହେଲେ ପୋଲିସ କନେଷ୍ଟବଳ । ଘରୁ ମେଡ଼ିକାକୁ ଯିବାପାଇଁ ଆଦୌ ରାଜି ହେଉନଥିବା ବେଳେ ଅନେକ ବୁଝାସୁଝା କରି ୮୦ ବର୍ଷିୟ ବୃଦ୍ଧଙ୍କୁ ମେଡ଼ିକାଳାରେ ଭର୍ତ୍ତି କରିଛନ୍ତି ଦିଲ୍ଲୀ ପୋଲିସ କନେଷ୍ଟବଳ ରାଜୁ ରାମ ।

୮୦ ବର୍ଷିୟ ବୃଦ୍ଧ ମୁରଲୀଧର ସିଆଇଡ଼ି ଅଫିସର ଭାବେ କାମ କରି ଅବସର ଗ୍ରହଣ କରିସାରିଛନ୍ତି । ତାଙ୍କର ତିନୋଟି ଝିଅ । ଦୁଇ ଜଣ ଝିଅ ଦିଲ୍ଲୀରେ ହିଁ ରହୁଥିବା ବେଳେ ଆଉ ଜଣେ ବାହାରେ ରହୁଛି । ହେଲେ ପାଳିପୋଷି ମଣିଷ କରିଥିବା ବାପାଙ୍କୁ ପାଖରେ ରଖିବାକୁ କାହାର ମନ ନାହିଁ । ମହାମାରୀ ମାଡ଼ି ଚାଲିଥିବା ବେଳେ ବାପାଙ୍କୁ ପାଖରେ ନରଖି ଏକା ଛାଡ଼ି ଦେଇଛନ୍ତି  ।  କର୍ମଜୀବୀ ହୋଇଥିବାରୁ ପୋଲିସକୁ ଫୋନ କରି ବାପାଙ୍କ ବ୍ୟବସ୍ଥା କରିବାକୁ ଅନୁରୋଧ କରି ନିଜ ମୁଣ୍ଡରୁ କର୍ତ୍ତବ୍ୟ ଓହ୍ଲାଇ ଦେଇଥିଲେ ଦୁଇ ଝିଅ । ହିମାଳୟ ପରି ଅଟଳ ମଣିଷଟା ଆଜି ଭାଇରସର ଭୟ ଭିତରେ ବିବଶ ହୋଇପଡ଼ିଛି । ମା’ ଛେଉଣ୍ଡ ତିନି ଝିଅଙ୍କୁ ସ୍ନେହ ମମତା ଦେଇ ବଡ଼ କରିଥିବା ଚଳନ୍ତି ଠାକୁର ଆଜି ପର ହୋଇଯାଇଛି । ମହଲ ପରି ଘରେ ଆଜି ଏକା ପଡ଼ି ରହିଛି ବୁଢ଼ା ବାପା ।

ରବିବାର ୧୧ଟାରେ ଦିଲ୍ଲୀ ରାଜେନ୍ଦ୍ର ନଜର ନିବାସୀ ବୃଦ୍ଧଙ୍କ ଜଣେ ବିବାହିତ ଝିଅ ପୋଲିସକୁ ଫୋନ୍ କରି ଜଣାଇଥିଲେ ବାପା ଘରେ ଏକା ଅଛନ୍ତି । ତାଙ୍କୁ ଜ୍ୱର ହୋଇଥିବା ବେଳେ ବେଡରୁ ଉଠିପାରୁ ନାହାନ୍ତି । କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ତାଙ୍କୁ କାଳେ କରୋନା ହୋଇଥିବ, ସେଥିପାଇଁ ଆମେ ଯାଉନୁ, ଆପଣ ସାହାଯ୍ୟ କରନ୍ତୁ ବୋଲି କହିଥିଲେ ।

ତେବେ ଘଟଣା ସମ୍ପର୍କରେ ଜାଣିବା ପରେ ରାଜୁ ରାମ ନାମକ କନେଷ୍ଟବଳ କ୍ଷଣେ ମଧ୍ୟ ଚିନ୍ତା ନକରି  ତୁରନ୍ତ ଠିକଣା ଦିଆଯାଇଥିବା ଘରେ ପହଞ୍ଚିଯାଇଥିଲେ । କିନ୍ତୁ ଘର ସାମ୍ନାରେ ଲାଗିଥିବା ପୋଷ୍ଟର ଦେଖି ଆଶ୍ଚର୍ଯ୍ୟ ହେବା ସହ ତାଙ୍କ ଆଖିରେ ଲୁହ ଆସିଯାଇଥିଲା । ମୁରଲୀଧର ପୋଷ୍ଟରେ ଲେଖିଥିଲେ, ମୋର ମୃତ୍ୟୁ ହୋଇଗଲେ, ମୃତଦେହ ପୋଲିସକୁ ହସ୍ତାନ୍ତର କରିଦିଆଯିବ, ମୋର ଦୁନିଆରେ କେହି ନାହାନ୍ତି ।

ତେବେ କନେଷ୍ଟବଳ ରାଜୁ ବୃଦ୍ଧଙ୍କୁ ମେଡ଼ିକାଲ ନେବାକ ଅନେକ ଚେଷ୍ଟା କରିଥିଲେ ସୁଦ୍ଧା ସେ ରାଜି ହୋଇନଥିଲେ । ଜୀବନ ପ୍ରତି ଯେପରି ତାଙ୍କର ଆଉ ମୋହ ନଥିଲା । ବାରମ୍ବାର ମନା କରିବା ପରେ ଆମ୍ବୁଲାନ୍ସ ଫେରିଯାଇଥିଲା । ହେଲେ କନେଷ୍ଟବଳ ରାଜୁ ହାରି ଯାଇନଥିଲେ । ନିଜ ତାଙ୍କ ସାଥୀ କନଷ୍ଟେବଳ ପ୍ରଦୀପଙ୍କ ସହ ପିପିଏ କିଟ୍ ପିନ୍ଧି ଉପର ମହଲାକୁ ଗଲେ। ତିନି ଘଣ୍ଟା ସମୟ ବୁଝାସୁଝା କରିବା ପରେ ମୁରଲୀଧର ଡାକ୍ତରଖାନା ଯିବାକୁ ରାଜି ହୋଇଥିଲେ, ପରେ ପୁଣି ଥରେ କନଷ୍ଟେବଳ ରାଜୁ ଆମ୍ବୁଲାନ୍ସକୁ ଡାକି ତାଙ୍କୁ ଆରଏମଏଲ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।

ହସ୍ପିଟାଲରେ ପହଞ୍ଚିବା ପରେ ବି କୌଣସି ଖାଦ୍ୟ, କ୍ଷୀର କିମ୍ବା ଫଳ ରସ ଖାଇବାକୁ ମନା କରିଦେଇଥିଲେ , ଅନେକ ଅନୁରୋଧ ପରେ ପାଣି ଗ୍ଲାସଟିଏ ପିଇଥିଲେ । ହସ୍ପିଟାଲରେ ତାଙ୍କର ବିଭିନ୍ନ ପ୍ରକାର ଟେଷ୍ଟ କରାଯାଇଥିଲା । ପରୀକ୍ଷାରେ ତାଙ୍କର ଅମ୍ଳଜାନ ସ୍ତର ମଧ୍ୟ କମ୍ ଥିବା ଜଣାପଡିଛି, ଏହା ପରେ ଡାକ୍ତରମାନେ ମୁରଲୀଧରଙ୍କୁ ଚିକିତ୍ସା ପାଇଁ ଆଡମିଟ୍ କରିଛନ୍ତି ।

ବାପାଙ୍କୁ ସାହାଯ୍ୟ କରିଥିବାରୁ ପୋଲିସ କର୍ମଚାରୀଙ୍କୁ ମୁରଲୀଧରଙ୍କ ଝିଅ ଫୋନ୍ କରି ଧନ୍ୟବାଦ ଜଣାଇଛନ୍ତି। ସଂକ୍ରମଣ ଭୟ ଥିଲେ ସୁଦ୍ଧା ନିଜ ଜୀବନକୁ ଖାତିର ନକରି ବୃଦ୍ଧଙ୍କୁ ବୁଝାସୁଝା କରି ମେଡ଼ିକାଲରେ ଭର୍ତ୍ତି କରିଥିବାରୁ ତାଙ୍କ ପାଖକୁ ଏବେ ପ୍ରଶଂସାର ସୁଅ ଛୁଟୁଛି । ରାଜସ୍ଥାନର ସିକରର କନଷ୍ଟେବଳ ରାଜୁ, ରାଜେନ୍ଦ୍ର ନାଗର ପୋଲିସ ଷ୍ଟେସନରେ ଥିବା ଏକ ବ୍ୟାରେକରେ ରୁହନ୍ତି । ତାଙ୍କ ପତ୍ନୀ ଏବଂ ପିଲାମାନେ ଗାଁରେ ରୁହନ୍ତି।

You might also like