୫ କୋଟି ବଦଳରେ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କରିବାକୁ ପ୍ରସ୍ତୁତ! ଫେସବୁକରେ ପୋଷ୍ଟ କରିଥିବା ଅଭିଯୁକ୍ତ ଗିରଫ

ପୁଡ଼ୁଚେରୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା ଧମକ ଦେବା ମହଙ୍ଗା ପଡ଼ିଲା। ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ୍। ୫ କୋଟି ଟଙ୍କା ବଦଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା କରିବାକୁ ପ୍ରସ୍ତୁତ ବୋଲି ଜଣେ ବ୍ୟକ୍ତି ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ। ଆଉ ସେହି ପୋଷ୍ଟ ତୀବ୍ର ବେଗରେ ଭାଇରାଲ୍ ମଧ୍ୟ ହୋଇଥିଲା। ଅଭିଯୁକ୍ତଙ୍କ ଫେସବୁକ ପୋଷ୍ଟ ବିଷୟରେ ସୂଚନା ପାଇବା ପରେ ପୁଡୁଚେରୀରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି।

ଅଭିଯୁକ୍ତ ସତ୍ୟାନନ୍ଦମ୍ ପୁଡ଼ୁଚେରୀର ଆର୍ଯ୍ୟନକୁପ୍ପମ୍ ଗାଁର ବାସିନ୍ଦା। ସେ ଜଣେ ରିଏଲ୍ ଇଷ୍ଟେଟ୍ ବ୍ୟବସାୟୀ।  କେହି ୫କୋଟି ଟଙ୍କା ଦେଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା କରିବେ ବୋଲି ଏକ ଫେସବୁକ୍ ପୋଷ୍ଟ ଜରିଆରେ ଅଭିଯୁକ୍ତ ଘୋଷଣା କରିଥିଲେ । ପୋଷ୍ଟ ସମ୍ପର୍କରେ ଅବଗତ ହେବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୪୩ ବର୍ଷୀୟ ଅଭିଯୁକ୍ତକୁ ଗିରଫ କରିଛି ।

ଗତ ଗୁରୁବାର ଦିନ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ସ୍ଥାନୀୟ କୋର୍ଟରେ ହାଜର କରାଯାଇ  ତାଙ୍କୁ ଜେଲ ପଠାଇ ଦିଆଯାଇଛି। ତେବେ ଏହି ଫେସବୁକ୍ ପୋଷ୍ଟ ସମ୍ପର୍କରେ ଗୁରୁବାର ଦିନ ପ୍ରଥେମ ଜଣେ କାର ଡ୍ରାଇଭର ଦେଖିଥିଲେ ଏବଂ ଏନେଇ ତୁରନ୍ତ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଉକ୍ତ ବ୍ୟକ୍ତିଙ୍କ ଫେସବୁକ ଆକାଉଣ୍ଟ ବିଷୟରେ ଛାନଭିନ କରି ଦୋଷୀ ନିକଟରେ ପହଞ୍ଚି ପାରିଥିଲା।

ଘଟଣାକୁ ଗୁରୁତର ସହ ନେଇ ସଙ୍ଗୀନ ଧାରା ଅନୁସାରେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ଦାୟର କରାଯାଇଛି। ପୋଲିସର ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧାନ ଆଇନର ୫୫୫ (୧) ଏବଂ ୫୦୫ (୨) ଧାରା ଅନୁସାରେ ମାମଲା ଦାୟର କରାଯାଇଛି। ଏପରି ବୟାନ ଦେଇଥିବାରୁ ଶତ୍ରୁତା, ଘୃଣାକୁ ଉତ୍ସାହିତ କରିଥିବାରୁ ଦୋଷୀକୁ କଡ଼ାରୁ କଡ଼ା ଦଣ୍ଡବିଧାନ କରାଯିବ ବୋଲି ପୋଲିସ୍ କହିଛି।

You might also like