ମହାମାରୀ ବିପଦରୁ ରକ୍ଷା କରିବେ କରୋନା ମାତା !

ଚାନ୍ଦା ସଂଗ୍ରହ କରି ମନ୍ଦିର ତିଆରି କଲେ ଗାଁ ଲୋକ

ପ୍ରତାପଗଡ଼ : ସଙ୍କଟ ସମୟରେ ରକ୍ଷା କରିବେ କରୋନା ମାତା । କରୋନା ଭୟରେ ତିଆରି ହେଲା କରୋନାମାତା ମନ୍ଦିର । ମହାମାରୀ ଆତଙ୍କ ମନରୁ ଲିଭୁନି । କିଏ ଆପଣାର ଲୋକଙ୍କୁ ହରାଇଛି ତ ଆଉ କାହାର ହସଖୁସିର ପରିବାର ଉଜୁଡ଼ି ଯାଇଛି । ଏପରି ସ୍ଥିତିରେ ଉତ୍ତରପ୍ରଦେଶର ପ୍ରତାପଗଡ଼ର ସାଙ୍ଗିପୁର ପୋଲିସ ଷ୍ଟେସନର ଜୁହି ଶୁକ୍ଲାପୁର ଗ୍ରାମରେ କରୋନାକୁ ନେଇ ଲୋକଙ୍କ ମନରେ ଅନ୍ଧବିଶ୍ୱାସ ଭରିରହିଛି । ଏଠାରେ କରୋନା ଭୟରେ ଗ୍ରାମବାସୀ ଏକତ୍ରିତ ହୋଇ ଚାନ୍ଦା ସଂଗ୍ରହ କରି କରୋନା ମାତା ମନ୍ଦିର ନିର୍ମାଣ କରିଛନ୍ତି । ମନ୍ଦିର ତିଆରି ପରଠାରୁ ପ୍ରତିଦିନ ପୂରା ରୀତିନୀତି ସହିତ କରୋନା ମାତାଙ୍କୁ ପୂଜା କରୁଛନ୍ତି ଗାଁ ଲୋକେ । କରୋନା ଠାରୁ ରକ୍ଷା କରିବା ପାଇଁ କରୋନା ମାତାଙ୍କ ପ୍ରତିମା ମଧ୍ୟ ସ୍ଥାପନ କରାଯାଇଛି ।

ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଅନ୍ଧବିଶ୍ୱାସ ଆଧାରରେ ନିର୍ମାଣ ହୋଇଥିବା ଏହି ମନ୍ଦିରକୁ ଗ୍ରାମବାସୀଙ୍କ ସମେତ ଦୂରଦୂରାନ୍ତରୁ ଅନେକ ଲୋକ ଆସୁଛନ୍ତି । ଏଠାରେ ଲୋକମାନେ କରୋନା ମାତାଙ୍କୁ ପୂଜା କରୁଥିବା ଦେଖିବାକୁ ମିଳୁଛି । ଗ୍ରାମବାସୀମାନେ ଧୂପକାଠି ଜାଳିବା ସହ ପ୍ରସାଦ ଅର୍ପଣ କରି କରୋନା ମାତାଙ୍କୁ ପୂଜା କରୁଥିବାବେଳେ ଜଳ ମଧ୍ୟ ପ୍ରଦାନ କରୁଥିବା ଦେଖିବାକୁ ମିଳୁଛି । କରୋନା ମାତାଙ୍କ ପ୍ରତିମୂର୍ତ୍ତିରେ ମାସ୍କ ପିନ୍ଧା ଯାଇଥିବା ବେଳେ ହାତ ଧୋଇ କରୋନା ଠାରୁ ଦୂରରେ ରହିବାର ବାର୍ତ୍ତା ରହିଛି

କରୋନା ମାତାଙ୍କୁ ପୂଜା କରିବା ଦ୍ୱାରା ଗାଁରେ କରୋନା ସଂକ୍ରମଣ ହେବ ନାହିଁ ବୋଲି ଜଣେ ଗ୍ରାମବାସୀ ରାଧେ ବର୍ମା କହିଛନ୍ତି । ଅନେକ ଲୋକ ଏହାକୁ ଅନ୍ଧବିଶ୍ୱାସ ବୋଲି କହୁଛନ୍ତି । କିନ୍ତୁ କରୋନା ମାତାଙ୍କ ମାସ୍କ ପିନ୍ଧା ପ୍ରତିମୂର୍ତ୍ତି ମଧ୍ୟ ଗ୍ରାମବାସୀଙ୍କୁ କରୋନାର ରକ୍ଷା ପାଇବା ସମ୍ପର୍କରେ ସଚେତନ କରୁଛି । ଶୁକ୍ଲାପୁର ଗ୍ରାମରେ ବ୍ୟାପିଥିବା ଏହି ଅନ୍ଧବିଶ୍ୱାସ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ହେଲେ ପୋଲିସ ଏବଂ ସ୍ୱାସ୍ଥ୍ୟ ବିଭାଗ ଏହାକୁ ରୋକିବା ପାଇଁ ଏଯାଏଁ କୌଣସି ପଦକ୍ଷେପ ନେଉନାହାଁନ୍ତି।

You might also like