ଉଦାର ରତନ ଟାଟା… ପୁଣେ ଯାଇ ପୂର୍ବତନ କର୍ମଚାରୀଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଲେ

ନୂଆଦିଲ୍ଲୀ: ଧନୀ ଆଉ ଗରିବ ହୁଏତ ୨ଟି ଶବ୍ଦ ହୋଇପାରେ ହେଲେ ଏହା ଭିତରେ ରହିଛି ବିରାଟ ଦୂରତା। ଯେଉଁ ଦୂରତାକୁ ନା ମାପି ହୁଏ ନା ଅନୁମାନ କରିହୁଏ । ହେଲେ ମାନବିକ ସମ୍ପର୍କ ଏପରି ଏକ ଶବ୍ଦ ଯାହା ଏହି ବିରାଟ ଦୂରତାକୁ ଦୂର କରି ଶବ୍ଦ ଦୁଇଟିକୁ ଏକାଠି କରିପାରେ । ଏହି ସମ୍ପର୍କର ଏକ ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ରତନ ଟାଟା।

ଶିଳ୍ପପତି ରତନ ଟାଟା ନିଜର ମହନୀୟ ଗୁଣ ଏବଂ କାମ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ଥାଆନ୍ତି। ନିଜ ଚାରିପାଖର ମଣିଷଙ୍କ ପ୍ରତି ତାଙ୍କର ଶ୍ରଦ୍ଧା, ସହାନଭୂତି ପାଇଁ ସମସ୍ତଙ୍କର ପ୍ରଶଂସାର ପାତ୍ର ହୋଇଥାନ୍ତି ରତନ। ନିକଟରେ ନିଜ ଉଦାର ହୃଦୟର ଆଉ ଏକ ଉଦାହରଣ ଦେଖାଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ୮୩ ବର୍ଷୀୟ ରତନ ଟାଟା ମୁମ୍ବାଇରୁ ପୁଣେ  ଯାଇଥିଲେ ତାଙ୍କର ଜଣେ ପୂର୍ବତନ କର୍ମଚାରୀଙ୍କୁ ଭେଟିବା ପାଇଁ। ଏହି କର୍ମଚାରୀ ଜଣକ ଗତ ୨ ବର୍ଷ ହେବ ଶାରୀରିକ ଅସୁସ୍ଥତା ଯୋଗୁ ଘରେ ରହୁଛନ୍ତି। ତେବେ ତାଙ୍କର ଏହି ଗସ୍ତ ବିଷୟରେ କେହି ଜାଣି ନ ଥିଲେ। କାରଣ ସେଠାରେ କେହି ମିଡିଆ ଉପସ୍ଥିତ ନ ଥିଲେ।

ତେବେ କର୍ମଚାରୀଜଣକ ଏହି ଫଟୋକୁ ସୋଶାଲ ମିଡିଆରେ ଶେୟାର କରି ଲେଖିଛନ୍ତି, ‘ ସାର୍‌ ରତନ ଟାଟା, ଭାରତର ବିଶିଷ୍ଟ ଶିଳ୍ପପତି ଜଣେ ମହାନ ବ୍ୟକ୍ତିତ୍ୱ ଯିଏ କି ମୁମ୍ବାଇରୁ ଫ୍ରେଣ୍ଡ ସୋସାଇଟି ପୁଣେ ଆସି ତାଙ୍କର ପୂର୍ବତନ କର୍ମଚାରୀଙ୍କୁ ଭେଟିଛନ୍ତି ଯେଉଁ କର୍ମଚାରୀ ଜଣକ ୨ ବର୍ଷ ହେଲା  ଶାରୀରିକ ଅସୁସ୍ଥତା ଯୋଗୁ ଘରେ ଅଛନ୍ତି। ତାଙ୍କ ସହ ନା ଅଛନ୍ତି ମିଡିଆ ବାଲା ନା ସୁରକ୍ଷାକର୍ମୀ। ତାଙ୍କର ଏହି ଗସ୍ତ ସମସ୍ତ ଶିଳ୍ପପତିଙ୍କ ପାଇଁ  ଏକ ଶିକ୍ଷା ଦେଇ ଯାଇଛି ଯେ, ମଣିଷ ପଣିଆ ପାଖରେ ଟଙ୍କାର ମୂଲ୍ୟ କିଛି ନୁହେଁ । ହ୍ୟାଟ୍‌ସ ଅପ୍‌ ସାର ! ସମ୍ମାନରେ ମୋ ମୁଣ୍ଡ ନଇଁ ଯାଉଛି।’

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ରତନ ଟାଟା ଜଣେ କର୍ମଚାରୀଙ୍କ ଘରକୁ ଯିବାର ଏହା ପ୍ରଥମ ଉଦାହରଣ ନୁହେଁ। ଏହା ପୂର୍ବରୁ ୨୬/୧୧ ମୁମ୍ବାଇ ଆକ୍ରମଣରେ ପ୍ରଭାବିତ ହୋଇଥିବା ୮୦ କର୍ମଚାରୀଙ୍କ ଘରକୁ ବ୍ୟକ୍ତିଗତ ଭାବେ ଯାଇ ତାଙ୍କ ପରିବାର ସଦସ୍ୟଙ୍କୁ ଭେଟିଛନ୍ତି ରତନ।

ଏହି ପରିବାରର ପିଲାମାନଙ୍କୁ ସମ୍ପୂର୍ଣ୍ଣ ପାଠପଢା ଖର୍ଚ୍ଚ ତୁଲାଇବା ସହ ସମ୍ପୂର୍ଣ୍ଣ ପରିବାର ଏବଂ ତାଙ୍କ ଉପରେ ନିର୍ଭର କରୁଥିବା ବ୍ୟକ୍ତିଙ୍କ ମେଡିକାଲ ଖର୍ଚ୍ଚ ତୁଲାଇବାକୁ ସେ ରାଜି ହୋଇଥିଲେ।

ଯାହା ବି ହେଉ, ଆଜିର ଦୁନିଆରେ ସ୍ୱାର୍ଥ ପାଖରେ ମାନବିକତା ହଜି ଯାଉଥିବାବେଳେ ରତନ ଟାଟାଙ୍କ ପରି ବ୍ୟକ୍ତିତ୍ୱ ବଞ୍ଚିବା ପାଇଁ ନୂତନ ଆଶାର  ଏକ ଉଜ୍ଜଳ କିରଣ।

 

You might also like