’ମୋ ପାଇଁ ମାଗନ୍ତୁ ନାହିଁ ଭାରତ ରତ୍ନ’! କ୍ୟାମ୍ପେନ୍ ରୋକିବାକୁ ବିନମ୍ରତା ସହ ଅପିଲ କଲେ ବିଶିଷ୍ଟ ଉଦ୍ୟୋଗପତି ରତନ୍ ଟାଟା
ନୂଆଦିଲ୍ଲୀ: ’ମୋ ପାଇଁ ମାଗନ୍ତୁ ନାହିଁ ଭାରତ ରତ୍ନ’। ମୋତେ କୌଣସି ବ୍ୟକ୍ତିଗତ ସମ୍ମାନ କିମ୍ବା ପୁରସ୍କାର ଦରକାର ନାହିଁ। ହୃଦୟବାନ୍ ମଣିଷର ଆବେଗଭରା ଅନୁରୋଧ। ସୋସିଆଲ ମିଡ଼ିଆରେ ଜୋରସୋରରେ ଚାଲିଥିବା କ୍ୟାମ୍ପେନକୁ ରୋକିବାକୁ ଅନୁରୋଧ କଲେ ଦେଶର ବିଶିଷ୍ଟ ଉଦ୍ୟୋଗପତି ରତନ୍ ଟାଟା । ଲୋକଙ୍କ ଭାବାବେଗକୁ ପ୍ରଶଂସା କରି ଟ୍ୱିଟରରେ ଚାଲିଥିବା ଅଭିଯାନ ବନ୍ଦ କରିବା ପାଇଁ ବିନମ୍ରତା ସହ ଅପିଲ କରିଛନ୍ତି। ବହୁ ସଂଖ୍ୟାରେ ଟ୍ୱିଟର ବ୍ୟବହାରକାରୀ ଚଳାଇଥିବା ଅଭିଯାନର ଅବସାନ ଘଟିବା ଆବଶ୍ୟକ ବୋଲି ନିଜେ ରତନ ଟାଟା କହିଛନ୍ତି।
”ଭାରତ ରତ୍ନ ଫର୍ ରତନ୍ ଟାଟା’। ଟାଟା ଗ୍ରୁପର ମୁଖ୍ୟ ରତନ ଟାଟାଙ୍କ ପାଇଁ ନିକଟରେ ଟ୍ୱିଟରରେ ଅଭିଯାନ ଆରମ୍ଭ ହୋଇଛି । ସୋସିଆଲ ମିଡ଼ିଆରେ ଏକ ଗ୍ରୁପ ଦ୍ୱାରା ଟାଟା ଟ୍ରଷ୍ଟ ଅଧ୍ୟକ୍ଷ ରତନ ଟାଟାଙ୍କୁ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନରେ ସମ୍ମାନିତ କରାଯାଉ ବୋଲି ଦାବି କରାଯାଉଛି। ତେବେ ଟ୍ରେଣ୍ଡ କରୁଥିବା ଏହି ଟ୍ୱିଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କିମ୍ବଦନ୍ତୀ ଭାରତୀୟ ବ୍ୟବସାୟୀ। ସୋସିଆଲ ମିଡ଼ିଆରେ ଉଠିଥିବା ଦାବିକୁ ସମ୍ମାନ କରିବା ସହ ମୁଁ ବିନମ୍ରତା ସହ ଅନୁରୋଧ କରୁଛି ଏହି ଅଭିଯାନକୁ ତୁରନ୍ତ ବନ୍ଦ କରାଯାଉ । ଜଣେ ଭାରତୀୟ ହିସାବରେ ଭାରତର ସୁଖ ଓ ସମୃଦ୍ଧି ପାଇଁ ଯୋଗଦାନ କରିପାରିଥିବାରୁ ନିଜକୁ ଭାଗ୍ୟଶାଳୀ ମନେ କରୁଛି । ଏଥିପାଇଁ କୌଣସି ପୁରସ୍କାରର ଆବଶ୍ୟକତା ନାହିଁ।
While I appreciate the sentiments expressed by a section of the social media in terms of an award, I would humbly like to request that such campaigns be discontinued.
Instead, I consider myself fortunate to be an Indian and to try and contribute to India’s growth and prosperity pic.twitter.com/CzEimjJPp5
— Ratan N. Tata (@RNTata2000) February 6, 2021
ବିଗତ ଦିନରେ ମୋଟିଭେସନାଲ ସ୍ପିକର ବିବେକ ବିନ୍ଦ୍ରା, ରତନ ଟାଟାଙ୍କୁ ଭାରତ ରତ୍ନ ପ୍ରଦାନ କରାଯାଉ ବୋଲି ଦାବି କରି ଏକ ଟ୍ୱିଟ୍ କରିଥିଲେ । ଏକ ଅଭିଯାନ ଆରମ୍ଭ କରି ଲୋକଙ୍କୁ ସାହାଯ୍ୟ ମାଗିଥିଲେ। ରତନ ଟାଟାଙ୍କୁ ଭାରତ ରତ୍ନ ଦିଆଯାଉ, ଏବଂ ଅଧିକରୁ ଅଧିକ ରିଟ୍ୱିଟ୍ କରି ଅଭିଯାନକୁ ଆଗେଇ ନେବାକୁ ଲୋକଙ୍କୁ ଅନୁରୋଧ କରିଥିଲେ। ଆଉ ଏହାପର ଠାରୁ ରତନ ଟାଟା ଓ ଭାରତ ରତ୍ନ ଫର୍ ରତନ୍ ହାସଟାଗ ଟ୍ରେଣ୍ଡ କରୁଥିଲା। କିଛି ୟୁଜର ଏନେଇ ପିଏମଓଙ୍କୁ ମଧ୍ୟ ଅପିଲ୍ କରିଥିଲେ। ଦେଶର ସବୁଠାରୁ ବଦାନ୍ୟ ତଥା ଶକ୍ତିଶାଳୀ ବ୍ୟବସାୟୀଙ୍କୁ ଭାରତ ରତ୍ନ ଦିଆଯାଉ ବୋଲି ଦାବି କରିଥିଲେ ।